Sat. Nov 23rd, 2024

୧୦ବର୍ଷ ପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି ଜଳସେଚନ ପ୍ରକଳ୍ପ

By amfnews Jul 1, 2019 #Featured
116 Views

ଟିକିରି : କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଜମିରେ ଜଳସେଚନ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ ରାୟଗଡା ଜିଲ୍ଲା କାଶୀପୁର ବ୍ଳକ ସାନ ମାଟିକଣା ଗ୍ରାମବାସୀ ଏହି ସୁବିଧାରୁ ବଞ୍ଚିତ ରହିଛନ୍ତି। ଗ୍ରାମର ଏକ ଜଳସେଚନ ପ୍ରକଳ୍ପ ଦୀର୍ଘ ୧୦ବର୍ଷ ପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି। ଅନ୍ୟପଟେ ପାଣି ଅଟକାଇବା ପାଇଁ ନିର୍ମିତ କଂକ୍ରିଟ୍‌ କାନ୍ଥ ଭୁଶୁଡ଼ି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗ୍ରାମର ଚାଷ ଜମିରେ ଜଳ‌ସେଚନ ବ୍ୟବସ୍ଥା କରିବାକୁ ୧୦ବର୍ଷ ତଳେ ବ୍ଲକ ପ୍ରଶାସନ ପକ୍ଷରୁ ୨ଲକ୍ଷ ଟଙ୍କା ବ୍ୟୟରେ ଗାଁ ନାଳରେ ପାଣିମୁଣ୍ଡା ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଅଦ୍ୟାବଧି ଏହି ପ୍ରକଳ୍ପ କାମ ସଂପୂର୍ଣ୍ଣ ହୋଇନଥିବାରୁ ଗ୍ରାମର ଚାଷୀ ଜଳସେଚନ ସୁବିଧାରୁ ବଞ୍ଚିତ ରହିଛନ୍ତି। ଅନ୍ୟପଟେ ନାଳ ପାଣି ଅଟକାଇବା ପାଇଁ ନିର୍ମିତ ୨୦ମିଟର ବିଶିଷ୍ଟ କଂକ୍ରିଟ୍‌ କାନ୍ଥ ନିର୍ମାଣ କିଛି ମାସ ପରେ ଭୁଶୁଡ଼ି ପଡିଛି। ନିମ୍ନମାନର କାମ ଯୋଗୁଁ କଂକ୍ରିଟ୍ କାନ୍ଥ ଭୁଶୁଡ଼ି ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଦି ଏହି ପ୍ରକଳ୍ପ କାମ ସଂପୂର୍ଣ୍ଣ ହୁଏ ତେବେ ଗ୍ରାମର ଶହେରୁ ଊର୍ଧ୍ବ ଏକର ଜମିରେ ଜଳସେଚନ ହୋଇପାରିବ ବୋଲି ସାନମାଟିକଣା ଗ୍ରାମବାସୀ ତଥା ପୂବର୍ତନ ସରପଞ୍ଚ ପାତଡି ମାଝୀଙ୍କ ସମେତ ଅନ୍ୟମାନେ କହିଛନ୍ତି। ଆବଶ୍ୟକ ସରକାରୀ ଅନୁଦାନ ମିଳୁନଥିବାରୁ ଏହି ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରୁନଥିବା ଜଣାପଡିଛି। ଅନୁଦାନ ପାଇଁ ଆଇଟିଡିଏ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ଓ ସ୍ଥାନୀୟ ଅଞ୍ଚଳରେ ଥିବା ଉତ୍କଳ ଆଲୁମିନା କର୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି। କିନ୍ତୁ ଏହାପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ପୂର୍ବତନ ସରପଞ୍ଚ ପାତଡି ମାଝୀ, ଶିବ ମାଝୀ, ଭାସ୍କର ମାଝୀ ପ୍ରମୁଖ ଅଭିଯୋଗ କରିଛନ୍ତି। ଏଦିଗରେ ଶୀଘ୍ର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

By amfnews

Related Post