Sat. Mar 7th, 2026

୧୦ ବର୍ଷ ଧରି ବାପା ହେବାର ଅନୁଭୂତିକୁ କରିଥିଲେ ଅପେକ୍ଷା! ବାପା  ହେବାର  ଦିନକ ପୂର୍ବରୁ  ଦେଶ ଲାଗି ଜୀବନ ଦେଲେ; ଶେଷକୃତ୍ୟରେ  ନବଜାତ କନ୍ୟା ସାମିଲ ହେଲା

267 Views

ଶ୍ରୀନଗର: ୧୦ ବର୍ଷ ଧରି ବାପା ହେବାକୁ ଅପେକ୍ଷା କରି ରହିଥିଲେ। ଶେଷରେ  ବାପା ହେଲେ, କିନ୍ତୁ ସେତେବେଳକୁ ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ସହିଦ୍‌ ହୋଇ ସାରିଥିଲେ। ଗୋଟିଏ ପଟେ ତାଙ୍କ ଶବାଧାର ଘରେ ପହଞ୍ଚୁଥିବା ବେଳେ ଅନ୍ୟ ପଟେ ଡାକ୍ତରଖାନାରେ ସହିଦଙ୍କ ପତ୍ନୀ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।

ମଙ୍ଗଳବାର ଭାରତ-ପାକ୍‌ ସୀମାନ୍ତସ୍ଥ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ ନିକଟରେ କର୍ତ୍ତବ୍ୟରତ ଅବସ୍ଥାରେ  ପାକ ଅନୁପ୍ରବେଶକାରୀଙ୍କ ଗୁଳିରେ ଶିକାର ବନିଥିଲେ ଲାନ୍ସ ନାଏକ ରଞ୍ଜିତ୍‌ ସିଂ। ସହିଦ୍‌ ରଞ୍ଜିତଙ୍କର ଶବାଧାର ଜମ୍ମୁକଶ୍ମୀରର  ରମ୍‌ବନ୍‌ ଜିଲ୍ଲା ଅନ୍ତର୍ଗତ ତାଙ୍କ ଗ୍ରାମରେ ପହଞ୍ଚିବାର ପ୍ରାୟ ଘଣ୍ଟାଏ ପୂର୍ବରୁ  ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ ତାଙ୍କ ପତ୍ନୀ ସିମ୍ମୁ ଦେବୀ।

ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସହିଦ୍‌ ସିଂଙ୍କ ଦାହସଂସ୍କାର ସଂପନ୍ନ ହେବାକୁ ଯାଉଥିବା ସମୟରେ ନବଜାତ ଶିଶୁ କନ୍ୟାକୁ ଧରି ସେଠାରେ ଏକ ଆମ୍ବୁଲାନ୍ସ ଯୋଗେ ପହଞ୍ଚିଥିଲେ ସିମ୍ମୁ ଦେବୀ। ଭାରତୀୟ ସେନା, ଜମ୍ମୁକଶ୍ମୀର ପୁଲିସ, ଜିଲ୍ଲାପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ସହିଦ୍‌ଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ଗାଁ ଲୋକଙ୍କଠାରୁ ଜଣାପଡ଼ିଛି କି ବିବାହ ୧୦ବର୍ଷ ହୋଇଯାଇଥିଲେ ମଧ୍ୟ ଲାନ୍ସ ନାଏକ ରଞ୍ଜିତଙ୍କର ସନ୍ତାନସନ୍ତତି ନ ଥିଲା। ତେଣୁ ପତ୍ନୀ ସିମ୍ମୁ ଗର୍ଭବତୀ ହେବା ଦେଖି ସେ ଅତ୍ୟନ୍ତ ଆନନ୍ଦିତ ଥିଲେ ଓ ସନ୍ତାନର ଆଗମନକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଥିଲେ। ଦୁର୍ଭାଗ୍ୟକୁ ନିଜ ଶିଶୁ କନ୍ୟାକୁ ଦେଖିବାକୁ ବଞ୍ଚିତ ହେଲେ ସହିଦ୍‌।

By amfnews

Related Post