Sat. Mar 7th, 2026

ହୃଦ୍‌ରୋଗ ଚିକିତ୍ସାଳୟରେ ଅଛନ୍ତି କିମ୍ ଜୋଙ୍ଗ୍-ଉନ୍

228 Views

ନୂଆଦିଲ୍ଲୀ : ଉତ୍ତର କୋରିଆ ଶାସକ  କିମ୍ ଜୋଙ୍ଗ୍-ଉନ୍ ଯେଉଁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି, ତାହା କେବଳ ତାଙ୍କ ପରିବାର ନିମନ୍ତେ ଉଦ୍ଦିଷ୍ଟ ବୋଲି ‘ଡେଲି ଏନ୍‌କେ’ ନାମକ ଇଣ୍ଟର୍‌ନେଟ୍ ଖବର ପ୍ରସାରଣ ସଂସ୍ଥାନ ସୂତ୍ରରୁ ଜଣାପଡ଼ିଛି। ଦକ୍ଷିଣ କୋରିଆରେ ଥିବା ଏହି ଖବର ସମ୍ପ୍ରସାରଣ ସଂସ୍ଥାନଟି କେବଳ ଉତ୍ତର କୋରିଆ ସମ୍ବନ୍ଧିତ ଖବର ପ୍ରସାରଣ କରେ।

‘ଡେଲି ଏନ୍‌କେ’ ରିପୋର୍ଟ କରିଛି ଯେ ‘ହିୟାଙ୍ଗ୍ ସାନ୍ ହସ୍‌ପିଟାଲ୍’ ଦୀର୍ଘ ଦିନରୁ ହୃଦ୍‌ରୋଗ ସମ୍ବନ୍ଧୀୟ ରୋଗ ଚିକିତ୍ସା ନିମନ୍ତେ ବିଶେଷତ୍ବ ଅର୍ଜନ କରିଛି। କିମ୍ ଜୋଙ୍ଗ୍‌-ଉନ୍‌ଙ୍କ ଜେଜେ ଦ୍ବିତୀୟ କିମ୍‌ଙ୍କ ମୃତ୍ୟୁ ପରେ ୧୯୯୪ରେ ଏହି ଡାକ୍ତରଖାନା ନିର୍ମିତ ହୋଇଥିଲା। ମୃତ୍ୟୁ ସମୟରେ ଦ୍ବିତୀୟ କିମ୍ ରାଜଧାନୀ ପିୟୋଙ୍ଗ୍ୟାଙ୍ଗ୍‌ ଠାରୁ ପ୍ରାୟ ୧୫୦ କିଲୋମିଟର୍ ଦୂର ହିୟାଙ୍ଗ୍ ସାନ୍‌ରେ ଥିଲେ। କିମ୍‌ ଜୋଙ୍ଗ୍-ଉନ୍‌ଙ୍କର ବିଶ୍ବାସ ଯେ ସେ ଅଞ୍ଚଳରେ ଡାକ୍ତରଖାନାଟିଏ ଥିଲେ ଜେଜେଙ୍କୁ ବଞ୍ଚାଇବା ସମ୍ଭବ ହୋଇଥାଆନ୍ତା।

ରାଜଧାନୀ ପିୟୋଙ୍ଗ୍ୟାଙ୍ଗ୍ ଠାରୁ ଦୂରରେ ଡାକ୍ତରଖାନା ନିର୍ମାଣ କରିବାର ଅନ୍ୟ ଏକ କାରଣ ମଧ୍ୟ ରହିଛି। ତାହା ହେଲା ନେତା ଓ ତାଙ୍କ ପରିବାରବର୍ଗଙ୍କୁ କୌଣସି ପ୍ରକାର ସର୍ଭିଲେନ୍‌ସ୍‌ରୁ ଦୂରରେ ରଖିବା।

‘ଡେଲି ଏନ୍‌କେ’ ଆହୁରି ରିପୋର୍ଟ କରିଛି ଯେ କିମ୍‌ଙ୍କର ଅସ୍ତ୍ରୋପଚାର କରିଥିବା ଡାକ୍ତରଜଣକ ହେଉଛନ୍ତି ଜଣେ ହୃଦ୍‌ରୋଗ ବିଶେଷଜ୍ଞ ଏବଂ ସେ ବିଦେଶରେ ତାଲିମ ପାଇଛନ୍ତି। ସେ ଡାକ୍ତରଙ୍କୁ କଡ଼ା ନିରାପତ୍ତା ମଧ୍ୟରେ ରଖାଯାଇଛି ଏବଂ ତାଙ୍କ ଚାରିପଟେ ତାଙ୍କ ନିଜ ଅଙ୍ଗରକ୍ଷୀମାନେ ପହରା ଦେଉଛନ୍ତି। ଡାକ୍ତରଖାନାରେ ଥିବା ଉପକରଣଗୁଡ଼ିକ ଜର୍ମାନ ଏବଂ ଜାପାନରୁ ଆମଦାନି କରାଯାଇଛି।

ପ୍ରବଳ ଧୂମପାନ, ମେଦ ବହୁଳତା ଏବଂ କ୍ଳାନ୍ତି କାରଣରୁ ଏ ମାସ ପ୍ରାରମ୍ଭରେ କିମ୍‌ଙ୍କର ହାର୍ଟ ସର୍ଜରି ହୋଇଥିବା କଥା ‘ଡେଲି ଏନ୍‌କେ’ ପୂର୍ବରୁ ରିପୋର୍ଟ କରିଥିଲା।

By amfnews

Related Post