Sat. Mar 7th, 2026

ସୋନପୁର ସମସ୍ୟା ନେଇ ନଗର ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା କ˚ଗ୍ରେସ

266 Views

ଭୁବନେଶ୍ବର , ଡିସେମ୍ବର ୧୫ : ସୋନପୁର ସହରର ଶତାଧିକ ବ୍ୟକ୍ତି ଦୂଷିତ ପାଇପ୍‌ ଜଳ ଯୋଗାଣ ଯୋଗୁଁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ପାଇଁ ଡାକ୍ତରଖାନାରେ ଜାଗା ନାହିଁ। ସରକାରୀ ଉଦାସୀନତା ଏବଂ ଜନସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିଛି କଂଗ୍ରେସ ଦଳ। ଏହା ସହିତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ନିରଞ୍ଜନ ପୂଜାରୀଙ୍କ ଇସ୍ତଫା ଦାବି କରାଯାଇଛି।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କ˚ଗ୍ରେସ କମିଟି ମିଡିଆ ସେଲ୍‌ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଲେ ଯେ, ଜଳ ବିଶୋଧନ ପ୍ଲାଣ୍ଟରେ ସର୍ବନିମ୍ନ ବିଏସ୍‌ସି ଗ୍ରାଜୁଏଟ୍‌ଙ୍କୁ ରଖିବାର ନିୟମ ଥିବା ବେଳେ ମାଟ୍ରିକ୍‌ ଯୋଗ୍ୟତାଧାରୀ ତଥା ଅଣ ପ୍ରଶିକ୍ଷିତ ଡିଏଲଆର/ଏନ୍‌ଏମଆରମାନଙ୍କୁ ନିୟୋଜିତ କରାଯାଇଛି। ନିୟମିତ ସମୟ ବ୍ୟବଧାନରେ ଜଳର ନମୁନା କାହିଁକି ପରୀକ୍ଷା କରାଯାଇନଥିଲା, ସେ ନେଇ ପ୍ରଶ୍ନ ଉଠାଇଛି କ˚ଗ୍ରେସ। ୨୦୧୨-୧୩ ମସିହାରେ ସୋନପୁରରେ ଏକ ନୂତନ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ସରକାର ୫ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ। ଏକ ବର୍ଷ ମଧ୍ୟରେ ପ୍ରକଳ୍ପ ସରିବା କଥା।

କିନ୍ତୁ ୬ ବର୍ଷ ହେଲା କାହିଁକି ଏହାକୁ କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ। ମହାନଦୀରୁ ସହରକୁ ପାଇପ ଯୋଗେ ଯୋଗାଣ ହେଉଥିବା ଜଳ ଦୂଷିତ ହୋଇଯାଇଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଦଳ ତରଫରୁ ଅଭିଯୋଗ ହୋଇଛି। ଏଣୁ ପ୍ରଦୂଷିତ ପାଇପ୍‌ ଜଳ ବ୍ୟବହାର ନକରିବାକୁ ଡାକବାଜି ଯନ୍ତ୍ର ଜରିଆରେ ପ୍ରଚାର କରିବା ସହିତ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କ˚ଗ୍ରେସ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଅଶୋକ ସାମଲ, ମନୋଜ ମହାପାତ୍ର, ହିମା˚ଶୁ ଲେଙ୍କା, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post