Sun. Mar 8th, 2026

ସବୁଆଡ଼ ଖାଁ ଖାଁ : କରୋନା ପାଇଁ ଶ୍ରମିକଙ୍କ ଆର୍ଥିକ ସ୍ଥିତି ଦୟନୀୟ

155 Views

ନୟାଗଡ଼ : କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନଗୁଡ଼ିକ ବ୍ୟାପକ ମାତ୍ରାରେ ସଚେତନତା ସହ କଟକଣା ଲାଗୁ କରିଛନ୍ତି। ରୋଗର ଭୟାବହତା ସମ୍ପର୍କରେ ଅବଗତ ହେ‌ଲା ପରେ ସାଧାରଣରେ ମଧ୍ୟ ଏହାକୁ ନେଇ ବେଶ୍ ସତର୍କତା ତଥା ଆତଙ୍କ ଦେଖାଯାଇଛି। ଇତି ମଧ୍ୟରେ ନୟାଗଡ଼ ଜିଲ୍ଲାକୁ ଦେଶ ବାହାରେ ତଥା ଅନ୍ୟାନ୍ୟ ରାଜ୍ୟରେ ରହୁଥିବା ପାଖାପାଖି ୫ ଶହ ଲୋକ ଘରକୁ ଫେରିଛନ୍ତି। ସମସ୍ତଙ୍କୁ ଘରେ ପୃଥକ୍‌ ଭାବେ ରହିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ଜିଲ୍ଲା ପ୍ରଶାସନ ପୋଷାକ ଦୋକାନ, ଗ୍ୟାରେଜ୍, ବ୍ୟୁଟିପାର୍ଲର, ଉଠା ଖାଦ୍ୟ ଦୋକାନ ଆଦି ଉପରେ କଟକଣା ଲଗାଇଥିବା ବେଳେ, ବଡ଼ ହୋଟେଲ୍‌, ରେଷ୍ଟୁରାଣ୍ଟକୁ କେତେକ ନୀତିନିୟମ ପାଳନ କରି ଏହା ଖୋଲା ରଖିବାକୁ କହିଥିଲା। ଯେଭଳି ଅଧିକ ଗହଳି ନ ହୁଏ, ଗୋଟିଏ ଟେବୁଲ୍‌ରେ ଦୁଇରୁ ଅଧିକ ଲୋକ ନ ବସିବେ ଆଦି ଦିଗ ପ୍ରତି ଦୃଷ୍ଟି ଦେବାକୁ କହିଥିଲା। ଏହି ପରିପ୍ରେକ୍ଷୀ‌ରେ ଯଦିଓ ନୟାଗଡ଼ ସହରର କିଛି ରେଷ୍ଟୁରାଣ୍ଟ୍, ହୋଟେଲ୍ ଆଦି ‌ଖୋଲା ରହିଛି।

କିନ୍ତୁ ସେଠାକୁ ଗ୍ରାହକ ଆସୁନଥିବା ଜଣାଯାଇଛି। ଫଳ‌ରେ ତଳିଆ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ଏହି ସବୁ ‌ହୋଟେଲ୍ ,ରେଷ୍ଟୁରାଣ୍ଟ୍ ଉପରେ ନିର୍ଭର କରି ଚଳୁଥିବା ପରିବା‌ର ମଧ୍ୟ ଚଳିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋପୀନାଥ ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି, ହୋଟେଲରେ ରହିବାକୁ ବର୍ତ୍ତମାନ ଆଉ କେହି ବୁକିଂ କରୁନାହାନ୍ତି। ସରକାରୀ କଟକଣା ପରେ ମଧ୍ୟ ଆମେ ବୁକିଂ ବନ୍ଦ କରିଛୁ। ଆମ ରେଷ୍ଟୁରାଣ୍ଟ୍‌କୁ ଏବେ ପାଖାପାଖି ଦିନକୁ ୧୦/୧୨ ଜଣ ଆସୁଛନ୍ତି। ପୂର୍ବରୁ ପାଖାପାଖି ୬୦ରୁ ଅଧିକ ଗ୍ରାହକ ଆସୁଥିଲେ। ସେହିଭଳି ଗାର୍ଡେନ ରେଷ୍ଟୁରାଣ୍ଟ୍ କର୍ତ୍ତୃପକ୍ଷ କହିଛନ୍ତି, ପୂର୍ବରୁ ଦୈନିକ ୧୦୦ ପାଖାପା‌ଖି ଗ୍ରାହକ ଆସୁଥିବା ବେଳେ, ଏବେ ୨୦/୨୫ ଜଣ ଆସିବା ମୁସ୍କିଲ୍‌। ମ୍ୟୁନିସିପାଲିଟିର କଟକଣା ଅନୁଯାୟୀ ଆମେ ଦୂରତା ଅବଲମ୍ବନ କରି ଟେବୁଲ୍‌ ବ୍ୟବସ୍ଥା, ସାନିଟାଇଜର୍‌ ରଖିବା, ଗହଳି ନକରିବା ଭଳି କଥାକୁ ଧ୍ୟାନ ଦେଇଥିଲେ ମଧ୍ୟ ଲୋକ ଆସୁନାହାନ୍ତି।

ଏହି ପରିପ୍ରେକ୍ଷୀରେ ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ସହ ତାଳ ମିଳାଇ ରାଜ୍ୟ ସରକାରଙ୍କ ଆଜିଠାରୁ ଗୋଟିଏ ସ୍ଥାନରେ ୭ ଜଣ ଲୋକ ଏକାଠି ହୋଇନପାରିବା ଭଳି ଘୋଷଣା ପରେ ଆସନ୍ତାକାଲିଠାରୁ ସମସ୍ତ ରେଷ୍ଟୁରାଣ୍ଟ୍‌, ହୋଟେଲ୍‌ ଆଦିକୁ ବନ୍ଦ କରି ଦିଆଯିବ ବୋଲି ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କହିଛନ୍ତି। ଏଭଳି ‘ବିଜ୍ଞାପିତ ବିପର୍ଯ୍ୟୟ’ ପାଇଁ ସାଧାରଣ ଜୀନବଯାପନ ବାଧାପ୍ରାପ୍ତ ହେବା ସହ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦୋକାନବଜାର ସବୁଠି ଖାଁ ଖାଁ, କମ୍‌ ସଂଖ୍ୟକ ଲୋକଙ୍କୁ ଦେଖିବାକୁ ମିଳୁଛି। ଭୟରେ ଲୋକମାନେ ଆଉ ବାହାରକୁ ଯାଉନଥିବାରୁ କମ୍‌ ଯାନବାହନ ଚଳାଚଳ କରୁଥିବା ଦେଖିବାକୁ ମିଳିଥିବା ବ‌େ‌ଳେ, ନୟାଗଡ଼ ବସ୍‌ଷ୍ଟାଣ୍ଡ୍‌ରେ ମଧ୍ୟ କମ୍‌ ଯାତ୍ରୀଙ୍କୁ ଦେଖିବାକୁ ମିଳୁଛି। ପୋଷାକ ଦେକାନ, କଲ୍ୟାଣ ମଣ୍ଡପ ଆଦି ପୂର୍ବରୁ ବନ୍ଦ ହୋଇ ସାରିଥିବା ବେଳେ, ଏଠାରେ କାମ କରି ପେଟ ପୋଷୁଥିବା କିଛି ତଳିଆ କର୍ମଚାରୀଙ୍କ ଘର ଚଳିବା କଷ୍ଟକର ହୋ‌ଇପଡ଼ିଲାଣି। ଆଗାମୀ ଦିନରେ କରୋନା ଆହୁରି ହନ୍ତସନ୍ତ କରିବା ଭଳି ଆଶଙ୍କା ପ୍ରକାଶ ପାଇଛି।

By amfnews

Related Post