ଯାଜପୁର,୩୦/୦୯ ରବିବାର ଅପରାହ୍ନରେ ଚଣ୍ଡୀଖୋଲ- ଡୁବୁରୀ ୫୩ ନଂବର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ଝାଟିଆପଡା ପୋଲରୁ ଏକ ଡମ୍ଫର ଖସି ପଡିବା ଫଳରେ ଡମ୍ଫର ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଡମ୍ଫର ଚାଳକଙ୍କ ନାମ ପାଣ୍ଡିୟା ସାହୁ (୪୫ ବର୍ଷ) ।
ତାଙ୍କର ଘର ଯାଜପୁର ଜିଲ୍ଲାର ଟମକା ଥାନା ଅନ୍ତର୍ଗତ ଚିତିରି । ଡ୍ରାଇଭର ଜଣକ ଡମ୍ପରରେ ଚାପି ହୋଇ ରହିଥିବା ବେଳେ ତାଙ୍କୁ ଚଢେଇଧରା ଦମକଳ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ମାନେ ମିଳିତ ଭାବେ ଉଦ୍ଧାର କରିଥିଲେ । ଖବରରୁ ପ୍ରକାଶ, ଡମ୍ଫରଟି ଚଣ୍ଡିଖୋଲରୁ ଡୁବୁରୀ ଅଭିମୁଖେ ଯାଉଥିବା ବେଳେ ଅପର ପଟରୁ ଆସୁଥିବା ଏକ ଅଜଣା ଟ୍ରକ ସାଇଡ ମାରିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।
ଫଳରେ ଡମ୍ଫରଟି ଭାରସାମ୍ୟ ହରାଇ ପୋଲ ତଳକୁ ଗଳି ପଡିଥିଲା । ଏହି ୫୩ ନଂବର ଜାତୀୟ ରାଜପଥରେ ସଡକ ସୁରକ୍ଷା ଆଇନକୁ ଉଲଂଘନ କରି ଟ୍ରକ ଗୁଡିକ ବେପରୁଆ ଏବଂ ମଦ୍ୟପ ଅବସ୍ଥାରେ ଖୁବ ଦ୍ରୁତ ବେଗରେ ଗାଡି ଚଲାଉ ଥିବାରୁ ଅଯଥାରେ ଭଲ ଗାଡି ଚାଳକ ମାନେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି । ଏଥିପାଇଁ ମୁଖ୍ୟତ ମୋଟର ସାଇକେଲ ଚାଳକ ମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ଏ କ୍ଷେତ୍ରରେ ପୋଲିସ ତରଫରୁ ବେଆଇନ ଭାବେ ଦ୍ରୁତ ବେଗରେ ଗାଡି ଚଲାଉଥିବା ଚାଳକ ଏବଂ ମଦ୍ୟପ ଚାଳକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ କେବଳ ହେଲମେଟ ଚେକିଂରେ ସଡକ ସୁରକ୍ଷା ସିମୀତ ରହୁଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଉଛି ।