Thu. Jan 23rd, 2025

ସକାଳୁଆ ହୋଇପାରେ ମାଟ୍ରିକ ପରୀକ୍ଷା, କରୋନା ପାଇଁ ସାମାଜିକ ଦୂରତାକୁ ନେଇ ବିଶେଷ ବନ୍ଦୋବସ୍ତ

By amfnews Jan 18, 2021 #Featured
107 Views

ଭୁବନେଶ୍ବର, ଜାନୁଆରୀ ୧୮ : କରୋନା ସମସ୍ୟାକୁ ଦୃଷ୍ଟିରେ ରଖି ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ବ୍ୟବସ୍ଥାରେ କିଛି ଜରୁରୀ ପରିବର୍ତ୍ତନ କରାଯିବ ବୋଲି ସୂଚନା ମିଳିଛି  । ଆସନ୍ତା ମେ ୩ ତାରିଖରେ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବାବେଳେ ସକାଳୁଆ ପରୀକ୍ଷା ହେବା ନେଇ ବିଭିନ୍ନ ପଦକ୍ଷେପ ନିଆଯାଉଛି  ।  

ମେ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା ସକାଳୁଆ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଯୋଜନା କରୁଥିବା ସୂଚନା ମିଳିଛି । ସକାଳୁଆ ପରୀକ୍ଷା ପାଇଁ ଇତିମଧ୍ୟରେ ବୋର୍ଡ କର୍ତ୍ତପକ୍ଷଙ୍କ ସହ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି ।

ସେହିପରି କୋଭିଡ୍‌ କଟକଣା ମଧ୍ୟରେ ପରୀକ୍ଷା କରାଯିବାର ଥିବାରୁ ପରୀକ୍ଷାକେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ଦିଗରେ ଗୁରୁତ୍ୱ ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ସେଣ୍ଟର ପିଛା ପରୀକ୍ଷାର୍ଥୀଙ୍କ ସଂଖ୍ୟା ୨ ଶହ ମଧ୍ୟରେ ସୀମିତ ରଖିବା ବୋର୍ଡ ପକ୍ଷରୁ ପ୍ରାଥମିକ ଭାବେ ନିଷ୍ପତ୍ତି ନିଆଯାଇଛି ।

ତେବେ ଅଧିକ ଭତ୍ତିଭୂମି ଥିବା ବଡ଼ ବିଦ୍ୟାଳୟରେ ୨ଟି ପ୍ରବେଶ ପଥ ଏବଂ ଅଧିକ ଶ୍ରେଣୀ କକ୍ଷ ଥିଲେ ସେଠାରେ ୨ ଶହରୁ ଅଧିକ ପରୀକ୍ଷାର୍ଥୀଙ୍କୁ ନେଇ ପରୀକ୍ଷା କରାଯାଇପାରେ ।

ସେହିପରି ହଲ୍‌ରେ ପରୀକ୍ଷାର୍ଥୀଙ୍କ ବସିବାରେ ୬ ଫୁଟ ବ୍ୟବଧାନ ରହିବ ବୋଲି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା କେନ୍ଦ୍ର ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ କେଉଁ ଶିକ୍ଷା ଜିଲ୍ଲାରେ କେତେ ସେଣ୍ଟର ଚୟନ କରାଯିବ ସେ ସମ୍ପର୍କରେ ଏବେ ବୋର୍ଡ ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ବୋର୍ଡ କର୍ତ୍ତୃପକ୍ଷ ଓ ଅନ୍ୟ ଅଧିକାରୀଙ୍କ ସ୍ତରରେ ଯୋଜନା ପ୍ରସ୍ତୁତ କରାଯାଉଛି। ଫର୍ମ ପୂରଣ ଶେଷ ହେବା ପରେ ମୋଟ୍‌ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ନିଆଯାଇ ସେଣ୍ଟର ଚୟନ ବାବଦରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।

By amfnews

Related Post