Sun. Feb 2nd, 2025

ଶ୍ରାବଣ ମାସ ପ୍ରଥମ ସୋମବାରରେ ସବୁ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

By amfnews Jul 22, 2019 #Featured
105 Views

ଭୁବନେଶ୍ୱର  : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଏଥିପାଇଁ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ପଡ଼ିଛି। ମହାଦେବଙ୍କ ନିକଟରେ ଜଳଲାଗି କରି ମନୋସ୍କାମନା ପୂରଣ କରିବା ପାଇଁ ଆଜି ସକାଳେ ରାଜ୍ୟର ପ୍ରାୟ ସମସ୍ତ ଶୈବପୀଠ ଗୁଡ଼ିକରେ କାଉଡ଼ିଆଙ୍କ ଭିଡ଼ ଲାଗିଥିଲା।

athgada

କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠରେ କାଉଡ଼ିଆଙ୍କ ଗହଳି ଦେଖିବାକୁ ମିଳିଥିଲା। ଏଠାରେ ରାତି ୩ଟାରେ ମନ୍ଦିର ଫିଟା ଯିବା ପରେ କାଉଡ଼ିଆମାନେ ଆସି ଧବଳେଶ୍ୱରଙ୍କୁ ଜଳଲାଗି କରିଥିଲେ। କାଉଡ଼ିଆଙ୍କ ପାଇଁ ପୂଜକ ସମିତି ଓ ପ୍ରଶାସନ ପକ୍ଷରୁ ଝୁଲାପୋଲ ଠାରୁ ଆରମ୍ଭ କରି ମନ୍ଦିର ବେଢା ପର୍ଯ୍ୟନ୍ତ ସବୁଠି ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଥିଲା।dkl

ଢେଙ୍କାନାଳର କପିଳାସ ପୀଠରେ ମଧ୍ୟ କାଡ଼ିଆଙ୍କ ଭିଡ଼ ଲାଗିଥିଲା। ବିଶ୍ୱାସ ରହିଛି ଶ୍ରାବଣ ମାସ ସୋମବାରରେ ଏଠାରେ ଜଳଲାଗି କଲେ ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।  ଉତ୍ତର ଓଡ଼ିଶାର ପ୍ରମୁଖ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଆସି ଜଳଲାଗି କରିଥିଲେ। ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ଓ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।nilagiri

ସମ୍ୱଲପୁରର ବିଭିନ୍ନ ଶୈବପୀଠରେ ସକାଳୁ ସକାଳୁ କାଉଡ଼ିଆଙ୍କୁ ଦେଖିବାକୁ ମିଳିଥିଲା। ମହାନଦୀରୁ କାଉଡ଼ିଆମାନେ ପାଣି ଉଠାଇ ବିଭିନ୍ନ ଶୈବପୀଠରେ ଜଳଲାଗି କରିଥିଲେ। ସହରର ବୁଢ଼ାରାଜା ଓ ମୁଦିପଡ଼ା ମନ୍ଦିରରେ ମଧ୍ୟ କାଉଡ଼ିଆଙ୍କ ଭିଡ଼ ଲାଗିଥିଲା।

ସେହିପରି ବଲାଙ୍ଗିର ଜିଲ୍ଲାର ପ୍ରମୁଖ ଶୈବପୀଠ ରାଣୀପୁର ଝରିଆଲର ସୋମେଶ୍ୱର ବାବାଙ୍କ ମନ୍ଦିର ରାତି ୩ଟାରେ ଖୋଲା ଯିବା ପରେ କାଉଡ଼ିଆଙ୍କ ଭିଡ଼ ଲାଗିଥିଲା। ଏଠାରେ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।bolangir

ଶ୍ରାବଣ ସୋମବାର ପାଇଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସ୍ଥିତ ଦେବଗିରି ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଛି। ଗୁମ୍ଫା ଭିତରେ ପୂଜା ପାଉଥିବା ପାଞ୍ଚମୁଖୀ ନୀଳକଣ୍ଠେଶ୍ୱର ଶିବ ଲିଙ୍ଗ ଉପରେ  କାଉଡ଼ିଆ ଜଳଲାଗି କରିଥିଲେ। ଏହି ପୀଠକୁ ବିଭିନ୍ନ ସ୍ଥାନରୁ ହଜାର ହଜାର ବୋଲବମ୍‌ ଭକ୍ତ ଆସିଥାଆନ୍ତି।

 

By amfnews

Related Post