Mon. Apr 21st, 2025

ଶ୍ରମ ବିଭାଗରେ ବ୍ଲାକ୍ ଡିଲ୍! ପ୍ରଥମେ କିରାଣି, ପରେ କମିଶନରଙ୍କ ଭିଡିଓ ଭାଇରାଲ

By amfnews Oct 19, 2019 #Featured
135 Views

ଦୁର୍ନୀତିକୁ ପ୍ରଶୟ ଦେବା ମୁଡ୍‌ରେ ରାଜ୍ୟ ସରକାର ନ ଥିବା ବେଳେ ଏଠାରେ କିନ୍ତୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପାଲଟିଛି ବ୍ଲାକ୍ ଡିଲ୍‌ର ପେଣ୍ଠ ସ୍ଥଳ । ତଳୁ ଉପର ଯାଏଁ ଲମ୍ବିଛି ଦୁର୍ନୀତିର ଚେର । ଗୋଟିଏ ଦିନରେ  ବଲାଙ୍ଗିର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର  କିରାଣି ଓ ଖୋଦ ଡିଭିଜନାଲ୍ କମିଶନର ଲାଞ୍ଚ ନେବାର ଭିଡିଓ ସାମନାକୁ ଆସିଛି। ଏହାପରେ କେତେ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ହୋଇ ପାରିଛି ସରକାରୀ କାର୍ଯ୍ୟାଳୟ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ କିରାଣୀ ଆଇନଗତ ଭାବେ ଶ୍ରମିକ ଚାଲାଣ ଲାଇସେନ୍ସ ଦେବାକୁ ଜଣେ ବ୍ୟକ୍ତିଙ୍କ ନିକଟରୁ ହଜାରେ ଲାଞ୍ଚ ନେଉଛନ୍ତି। ଲାଞ୍ଚ ନେବାର ଦୃଶ୍ୟକୁ ଜଣେ ସମାଜ ସେବୀ କ୍ୟାମେରାରେ କଏଦ କରିଛନ୍ତି । ଏବେ ଏହି ଭିଡିଓ ସୋଶାଲ ମିଡ଼ିରେ ଭାଇରାଲ ହେଉଛି। କିରାଣୀଙ୍କ ନାଁ ବଲ୍ଲଭ ନାଗ।

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଶ୍ରମିକ ପଠାଇବା ପାଇଁ ଲାଇସେନ୍ସ କରିବାକୁ ବଲାଙ୍ଗିର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଏଥିପାଇଁ କିରାଣିଙ୍କୁ ସବୁ ଡକ୍ୟୁମେଣ୍ଟ ଦେଇଥିଲେ। ହେଲେ ଏହି କାମ କରିବାକୁ ସପ୍ତାହେ ଲାଗିବ ବୋଲି କିରାଣି ତାଙ୍କୁ କହିଥିଲେ। ଟଙ୍କା ନ ଦେଲେ କୌଣସି କାମ ହୁଏ କି ବୋଲି ପ୍ରଶ୍ନ କରିଥିଲେ। କିଛି ସମୟ କଥାବାର୍ତ୍ତା ପରେ ଶେଷରେ ସଂପୃକ୍ତ ବ୍ୟକ୍ତି କିରାଣିଙ୍କୁ ହଜାରେ ଟଙ୍କା ଦେଇଥିଲେ।

ଏହାପରେ ଆଉ ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ଖୋଦ ଡିଭିଜନାଲ୍ କମିଶନର ସରୋଜ କୁମାର ରଞ୍ଜିତୋ ଧରା ପଡ଼ିଛନ୍ତି । ଭିଡିଓରେ ସେ ଜଣେ ବ୍ୟକ୍ତିଙ୍କୁ କହିଛନ୍ତି, ଯାହା ଖୁସିରେ ଦେବେ। ଆମର କିଛି ଡିମାଣ୍ଡ୍ ନାହିଁ ।  ଏହାପରେ ଟେବୁଲ୍ ଉପରେ ଥୁଆ ହୋଇଥିବା ଟଙ୍କାକୁ କାଗଜରେ ଢାଙ୍କି ଦେଉଛନ୍ତି ।

କିରାଣିଙ୍କ ଲାଞ୍ଚ ନେବାର ଭିଡିଓ ସାମନାକୁ ଆସିବା ପରେ କିଛି ଘଣ୍ଟା ପୂର୍ବେ  ବଡ଼ ବଡ଼ ନୀତିବାଣି ଶୁଣାଉଥିବା ଡିଭିଜନାଲ୍ ଲେବର୍ କମିଶନର ସରୋଜ କୁମାର ରଞ୍ଜିତୋଙ୍କ ପାଟିରୁ ଏବେ ଭାଷା ବାହାରୁନି। କିରାଣି ଧରା ପଡ଼ିବା ପରେ  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ  କମିଶନର  କହିଥିଲେ, ଏପରି କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ତାଙ୍କୁ ନିଲମ୍ବନ କରିବା ଲାଗି ଜଏଣ୍ଟ ଲେବର କମିଶନରଙ୍କୁ ଜଣାଇବୁ। ହେଲେ ଏବେ ତାଙ୍କ ବିରୋଧରେ କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଦେଖିବାକୁ ଅପେକ୍ଷା।

ବେଆଇନ ଦାଦନ ଚାଲାଣ ପାଇଁ ପୁଲିସ୍‌ ଜିରୋ ଟଲରେନ୍ସ ନୀତି ଆପଣାଉଥିବା ବେଳେ, ରାଜ୍ୟ ସରକାର 5Tର ନାରା ଦେଉଥିବା ବେଳେ, ଏହା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଚିନ୍ତାଧାରା ଓ ବଦଭ୍ୟାସକୁ କେତେ ବଦଳାଇପାରିଛି   ବୋଲି ପ୍ରଶ୍ନ ଉଠୁଛି।

By amfnews

Related Post