Sun. Mar 8th, 2026

‘ରାତି ଅଧିଆ କିକ୍‌ ମାରିବାରେ ସରକାର ଅଭ୍ୟସ୍ତ’

178 Views

ଭୁବନେଶ୍ୱର : ପୂର୍ବତନ ଡିଜିପି ବିକେ ଶର୍ମାଙ୍କ ରାତି ଅଧିଆ ବଦଳି ନେଇ ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି  ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ନିଜ ପ୍ରତିକ୍ରିୟାରେ ତାରା କହିଛନ୍ତି,“ ଯେତେବେଳେ ରାଜ୍ୟ ସରକାର ତାଙ୍କୁ ଡିଜିପି ନିଯୁକ୍ତି ଦେଲେ ସେତେବେଳେ କ’ଣ ତାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ନଥିଲେ। ଯଦି ଜାଣି ନଥିଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ। ରାତି ଅଧିଆ ଜଣକୁ ବାହାର କରି ଫୋପାଡ଼ି ଦେବା କେତେଦୂର ଯୁକ୍ତିଯୁକ୍ତ। ଡିଜିପିମାନେ ଯେମିତି କଣ୍ଢେଇ। ଯେତେବେଳେ ଚାହୁଁଛନ୍ତି ଯାହାକୁ ସୁଟ୍ ମାରି କିକ୍ ଆଉଟ୍‌ କରୁଛନ୍ତି। ଆଉ ଯେତେବେଳେ ଚାହୁଁଛନ୍ତି ଆମନ୍ତ୍ରଣ କରୁଛନ୍ତି। ଏଇଟା ନୂଆ କଥା ନୁହଁ। ଏହା ରାଜ୍ୟ ସରକାରଙ୍କ ପୁରୁଣା ଅଭ୍ୟାସ। ପୂର୍ବରୁ ଅନେକ ଡିଜିପିଙ୍କୁ କିକ୍ ମାରିଛନ୍ତି ସରକାର । ତେଣୁ ଏହା ନୂଆ ନୁହେଁ। ପୂର୍ବରୁ ଅମରେନ୍ଦ୍ର ପଟ୍ଟନାୟକଙ୍କ ଭଳି ଜଣେ ଡିଜିପିଙ୍କୁ କିକ୍ ମାରି ବାହାର କରିଦେଇଥିଲେ। କିକ୍‌ ମାରିବାରେ ସରକାର ଅଭ୍ୟସ୍ତ। ଏଥିରେ ନୂତନତ୍ୱ ନାହିଁ।”

ସେହିଭଳି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“- ସରକାର କୌଣସି ଅଫିସରଙ୍କ ଉପରେ ସଂପୂର୍ଣ୍ଣ ଭରସା ରଖି ପାରୁ ନାହାନ୍ତି। ଅଫିସରଙ୍କୁ ନିଜ ମୁତାବକ ଚଳାଇବାକୁ ଚାହୁଁଛନ୍ତି। ଯିଏ ଚଳିପାରୁ ନାହିଁ ତାଙ୍କୁ ପରିବର୍ତ୍ତନ କରୁଛନ୍ତି।”

ସୂଚନାଯୋଗ୍ୟ, ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ  ଡିଜିପି ଦାୟିତ୍ୱ ଓ ଅଗ୍ନିଶମ ବିଭାଗ ଡିଜି ପଦରୁ ବିଜୟ କୁମାର ଶର୍ମାଙ୍କୁ ବିଦା ହେବାକୁ ପଡ଼ିଛି।  ରାଜ୍ୟ ସରକାର ଏହାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି।

By amfnews

Related Post