ଭୁବନେଶ୍ୱର, ଅଗଷ୍ଟ ୨୩ : ଓଡ଼ିଶା ସମେତ ସମଗ୍ର ଭାରତରେ କରୋନା ମହାମାରୀ ତାର କାୟା ବିସ୍ତାର କରିଚାଲିଥିବା ବେଳେ ରାଜ୍ୟ ସରକାର ଟେଷ୍ଟିଂକୁ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟରେ ଗୋଟିଏ ଦିନରେ ୬୮ ହଜାର ୯୦୬ କରୋନା ନମୁନା ପରୀକ୍ଷା ହୋଇଛି । ଆରସିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ଏହି ନମୁନା ଗୁଡ଼ିକ ପରୀକ୍ଷା ହୋଇଛି । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ଅନୁସାରେ ୭ ହଜାର ୫୮୫ ଆରଟିପିସିଆର, ୬୧ ହଜାର ୧୬୬ ଆଣ୍ଟିଜେନ ଓ ୧୫୫ ଟ୍ରୁନଟ ମାଧ୍ୟମରେ ପରୀକ୍ଷା ହୋଇଛି ।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ଟୁଇଟ ଅନୁସାରେ, ଗତକାଲି ଯାଏଁ ୧୨ ଲକ୍ଷ ୩୩ ହଜାର ୮୦୫ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା । ଏଥିରୁ ୭୫ ହଜାର ୫୩୭ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟୁଇଟ ଅନୁସାରେ ରାଜ୍ୟରେ କାଲିଯାଏଁ ୫୨ ହଜାର ୨୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଗତକାଲି ଯାଏଁ କିନ୍ତୁ କରୋନା ଯୋଗୁଁ ୩୯୯ ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ଅନ୍ୟ କାରଣରୁ ୫୩ ଜଣ ପ୍ରାଣ ହରାଇଥିଲେ ।