ରାଉରକେଲା, ୨୬/୭ : ସ୍ମାର୍ଟସିଟି ସ୍ଥାପନ, ଦ୍ୱିତୀୟ ବ୍ରାହ୍ମଣୀ ସେତୁର କାର୍ଯ୍ୟାରମ୍ଭ, ସୁପର ସ୍ପେଶାଲିଟି ହସ୍ପିଟାଲର କାର୍ଯ୍ୟାରମ୍ଭ, ପାସପୋର୍ଟ ଅଫିସ ସ୍ଥାପନ, ଅମୃତ ଯୋଜନା, ଝୁଲା ପୋଲ ପାଇଁ ୧୧ କୋଟି ଅନୁଦାନ, ଶହୀଦ ପୀଠ ଆମକୋ ସିମକୋର ବିକାଶ ପାଇଁ ୪ କୋଟି ଟଙ୍କାର ଅନୁଦାନ, ଜିଲାର ପ୍ରତ୍ୟେକ ପଞ୍ଚାୟତରେ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ ଅନୁଦାନ, ସହରରେ ୩ଟି ଓଭର ବ୍ରିଜ ନିର୍ମାଣ, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପାଇଁ ଅନୁଦାନ, ଆଦିବାସୀମାନଙ୍କ ପାଇଁ ଟ୍ରାଇବାର କଲଚରାଲ କନଫରେନ୍ସ ହଲ୍ ନିର୍ମାଣ ପାଇଁ ୧୦ କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଛି ବୋଲି ବିଜେପିର ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।
ଏଥିସହ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଦଳର ବିଫଳତାକୁ ନେଇ କଡା ସମାଲୋଚନା କରାଯାଇଛି । ସ୍ମାର୍ଟସିଟି ଯୋଜନା ପ୍ରଧାନମନ୍ତ୍ରୀ ମୋଦିଙ୍କ ମାନସ ସନ୍ତାନ । ରାଉରକେଲାକୁ ସ୍ମାର୍ଟସିଟିରେ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଆମର ଅଧିକାଂଶ ଅଭାବ ପୂରଣ ହେବା ସହ ସହରର ବିକାଶ ବହୁଗୁଣ ବୃଦ୍ଧି ପାଇଛି । ଏହି ଯୋଜନାରେ ରାସ୍ତାଘାଟ, ଡ୍ରେନେଜ୍ ସିଷ୍ଟମ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ବିଜୁଳି, ପରିମଳ ବ୍ୟବସ୍ଥା, ଗମନାଗମନ, ସୁରକ୍ଷା, ଟ୍ରାଫିକ୍, କ୍ରୀଡା କସରତ ଓ ସାମାଜିକ ବ୍ୟବସ୍ଥା ସହ ଆମ ସମସ୍ତଙ୍କ ଚିନ୍ତାରେ ବି ପରିବର୍ତ୍ତନ ଘଟିଛି । ପୂର୍ବରୁ ପୌରପାଳିକାରେ ବାର୍ଷିକ ଖର୍ଚ୍ଚ ଅଧିକରୁ ଅଧିକ ୧୦ କୋଟି ଟଙ୍କା ହେଉଥିବା ବେଳେ ବର୍ତ୍ତମାନ ବାର୍ଷିକ ୨୦୦ କୋଟି ଟଙ୍କା ବିକାଶ ଖର୍ଚ୍ଚ ପାଇଁ ଦିଆଯାଇପାରିଛି ।
ଏହାବ୍ୟତୀତ ଅମୃତ ଯୋଜନାରେ ପାନୀୟ ଜଳ, ଉଜ୍ୱଳା ଯୋଜନାରେ ରନ୍ଧନ ଗ୍ୟାସ, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଡାନ ଯୋଜନାରେ ବିମାନ ବନ୍ଦର, ଇନ୍ଦ୍ରଧନୁସ ଯୋଜନାରେ ୭ଟି ମାରାତ୍ମକ ରୋଗର ନିରାକରଣ ପାଇଁ ବ୍ୟବସ୍ଥା ସହିତ ବେଟି ବଚାଓ ବେଟି ପଢାଓ ଯୋଜନା, ଧନଜନ ଯୋଜନା, ଆୟୁଷ୍ମାନ ଯୋଜନା, ଗ୍ରାମ୍ୟ ସଡକ ଯୋଜନା ଆଦି ୧୫୧ ଟି ଯୋଜନା ମାଧ୍ୟମରେ ରାଷ୍ଟ୍ରର ବିକାଶକୁ ବହୁଗୁଣିତ କରାଯାଇପାରିଛି, ଯାହା ଦେଖି ବିରୋଧିଙ୍କ ନିଦ ହଜିଯାଇଛି ।
ଅନ୍ୟପକ୍ଷରେ ରାଉରକେଲାର ବିକାଶ ମୁଖ୍ୟମନ୍ତ୍ରୀ ଚାହାନ୍ତି ନାହିଁ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ତେଣୁ ପ୍ରତ୍ୟେକ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ଅସହଯୋଗ କରି ଏହାର ବିଳମ୍ବର କାରଣ ସାଜିଛନ୍ତି । କେନ୍ଦ୍ର ଦେଉନାହିଁ ବୋଲି ମିଥ୍ୟା ଅପପ୍ରଚାର କରି କେନ୍ଦ୍ରକୁ ନିନ୍ଦା କରିବାର ପ୍ରୟାସ କରାଯାଉଛି ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । କିନ୍ତୁ ଅତୀତରେ ମୁଖ୍ୟମନ୍ତ୍ରୀ ରାଉରକେଲା ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମିଥ୍ୟା ପ୍ରମାଣିତ ହୋଇଛି ।
ଏଥିସହ କୁଆଁରମୁଣ୍ଡା ଠାରେ ମେଡିକାଲ କଲେଜ ସ୍ଥାପନ ପାଇଁ ଶିଳାନ୍ୟାସକୁ ୧୦ ବିତିଯାଇଛି, ଆର୍ଏମ୍ସି ମାର୍କେଟ କମ୍ପେ୍ଲକ୍ସର ଶିଳାନ୍ୟାସ କେବଳ ଶିଳାନ୍ୟାସରେ ରହିଛି, କୋଏଲ ବ୍ୟାରେଜ ଶିଳାନ୍ୟାସକୁ ୪ ବର୍ଷ ବିତିଯାଇଛି, ଗରିବଙ୍କୁ ୧୦ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେବା ଆଳରେ ୨୦ ଏକର ସରକାରୀ ଜମିକୁ ମାଗଣାରେ ଏକ ଘରୋଇ ସଂସ୍ଥାକୁ ଦେବା ସହ ଏଥିପାଇଁ ପଶ୍ଚିମ ଓଡିଶା ପାଣ୍ଠିରୁ ୧୦ କୋଟି ଟଙ୍କାର ଅନୁଦାନ ଦେବା, ଏକମାତ୍ର ରାଉରକେଲା ସରକାରୀ ଡାକ୍ତରଖାନା ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା, କେନ୍ଦ୍ର ସରକାରଙ୍କ ଅନୁଦାନରେ ଆସିଥିବା ଅର୍ଥ ଥାଇ ମଧ୍ୟ ଜମି ଅଧିଗ୍ରହଣ କରିନପାରିବା ଯୋଗୁ ଦୀର୍ଘ ୫୦ ବର୍ଷ ଧରି ବମଳାଗଡ-ତାଳଚେର ରେଳପଥ ନିର୍ମିତ ହୋଇନପାରିବା, ଦୀର୍ଘ ୪ ବର୍ଷ ଧରି ମହାନଗର ନିଗମ ନିର୍ବାଚନ କରିନପାରିବା, ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତ ନ କରି ଜାଣୁଶୁଣି ସ୍ମାର୍ଟସିଟିର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ମିନେରାଲ ଡେଭଲପମେଣ୍ଟ ଫଣ୍ଡରେ ଥିବା ଶହ ଶହ କୋଟି ଟଙ୍କାକୁ ଆଞ୍ଚଳିକ ବିକାଶ କାର୍ଯ୍ୟରେ ବିନିଯୋଗ ନକରିବା, ବ୍ରାହ୍ମଣୀ କୂଳେ କୂଳେ ରିଂ ରୋଡ୍ କରିବା ଘୋଷଣାକୁ ୪ ବର୍ଷ ବିତିଯାଇଛି, ୨୦ ହଜାର ନୂତନ ବାସଗୃହ ଯୋଗାଇ ଦିଆଯିବ ବୋଲି ଆର୍ଡିଏ ଅଧ୍ୟକ୍ଷଙ୍କ ଘୋଷଣାକୁ ୩ ବିର୍ଷ ବିତିଯାଇଛି ଓ ଇଏସ୍ଆଇ ମେଡିକାଲ କଲେଜ ଏବଂ ଜାଭିୟର ଇନ୍ଷ୍ଟିଚ୍ୟୁଟ୍ ଏଠାରେ ନ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ବିଜେଡି ସରକାର ଅପରାଗତା ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ପାନପୋଷ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା, ଭଗବାନ ରାଉତ, ଗଙ୍ଗାଧର ଦାସ, ପୂର୍ଣ୍ଣିମା କେର୍କେଟା, କିଷାନ ସାହୁ, ଶଶାଙ୍କ ଶେଖର ଜେନା, ତପନ କୁମାର ସ୍ୱାଇଁ, ଦିଲ୍ଲୀପ ଦାସ, ଏନ ବି ରାୟ, ସେକ ମୁଜାହିନ ପ୍ରମୁଖ ଉପସ୍ଥିତ ଥିଲେ ।