Sat. Jan 25th, 2025

ମୋନମୋହନ ମୋଦୀଙ୍କୁ ବତାଇଲେ, ଏମିତି ହେବ ଚାଷୀଙ୍କ ଆୟ ଦ୍ଵିଗୁଣ

By Manas Jul 22, 2018 #Featured
228 Views

ନୂଆଦିଲ୍ଲୀ,ଜୁଲାଇ୨୨: ନିଜର ନିରବତା ପାଇଁ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଅର୍ଥ ଶାସ୍ତ୍ରୀ ମନମୋହନ ସିଂହ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମୁଖରିତ ହୋଇଥିବା ଦେଖାଯାଇଛନ୍ତି।  କଂଗ୍ରେସର କାର୍ୟ୍ୟକାରିଣୀ ବୈଠକରେ ମନମୋହନ ସିଂହ ଆତ୍ମମୁଗ୍ଧତା ଓ ଜୁମଲେବାଜିକୁ ନେଇ ପିଏମ ମୋଦୀଙ୍କୁ ନିଶାଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା ପ୍ରତିଶ୍ରୁତି ଉପରେ କହିଛନ୍ତି ଯେ କୃଷିରେ  ୧୪ ପ୍ରତିଶତ ବିକାଶ ଦର ହାସଲ ବିନା ଏହା ସମ୍ଭବ ନୁହେଁ।

ରବିବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନବ ନିଯୁକ୍ତ ସିଡବ୍ଲ୍ୟୁସି ବୈଠକ ଡକାଇଛନ୍ତି। ଏହି ବୈଠକର ସୂଚନା ଦେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜଓ୍ଵାଲା କହିଛନ୍ତି ଯେ ମନମୋହନ ସିଂହ ବିକାଶ ପାଇଁ ମଜଭୁତ ପଲିସି ଫ୍ରେମଓ୍ଵର୍କ ତିଆରି କରିବା ପରିବର୍ତ୍ତେ ଜୁମଲେବାଜି କରିବା ନେଇ ପିଏମ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି।

ସୁରେଜବାଲା କହିଛନ୍ତି ଯେ ବୈଠକରେ ରାହୁଲ ଗାନ୍ଧୀ ପୀଡିତଙ୍କ ହକରେ ଲଢିବା ଓ ସ୍ଵର ଉତ୍ତୋଳନ କରିବା ପାଇଁ କଂଗ୍ରେସର କାର୍ୟ୍ୟକର୍ତ୍ତାଙ୍କୁ ଆହ୍ଵାନ କରିଛନ୍ତି। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ୨୦୨୨ ପର୍ୟ୍ୟନ୍ତ ଚାଷୀଙ୍କ ଆୟ ଦ୍ଵିଗୁଣିତ କରିବା ପାଇଁ ମୋଦୀ ସରକାର ଦେଇଥିବା ପ୍ରତିଶ୍ରୁତି ଉପରେ ଟିପ୍ପଣୀ କରିଛନ୍ତି। ମନମୋହନ ସିଂହ କହିଛନ୍ତି ଯେ ଯଦି ୨୦୨୨ ପର୍ୟ୍ୟନ୍ତ ଚାଷୀଙ୍କ ଆୟକୁ ଦ୍ଵିଗୁଣିତ କରିବାର ଅଛି ତେବେ କୃଷିରେ ୧୪ ପ୍ରତିଶତ ବିକାଶ ଦର ହେବା ଉଚିତ୍। ମାତ୍ର ଏହା ବର୍ତ୍ତମାନ ସମୟରେ ସମ୍ଭବ ଦେଖାଯାଉନାହିଁ। ଏଠାରେ କହି ରଖୁଛୁ ଯେ ଚଳିତ ବର୍ଷ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮ ପାଇଁ ଉପସ୍ଥାପିତ ଆର୍ଥିକ ସର୍ଭେରେ କୃଷି କ୍ଷେତ୍ରରେ ୨.୧ ପ୍ରତିଶତ ବିକାଶ ଦର ହେବ ବୋଲି ଅନୁମାନ କରିଥିଲେ।

ଗତ ଦିନରେ ମୋଦୀ ସରକାର ଚାଷୀଙ୍କ ପାଇଁ ୧୪ଟି ଖରିଫ ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ପିଏମ ମୋଦୀଙ୍କ ନେତୃତ୍ଵରେ ବଜେପି ଜୋରସୋରରେ ଏହାର ପ୍ରଚାର କରିବାରେ ଜୁଟି ଯାଇଛି।  ବିଜେପିର କହିବା କଥା ପିଏମ ମୋଦୀ ଚାଷୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୁରା କରିଛନ୍ତି।

ରବିବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସର କାର୍ୟ୍ୟକାରିଣୀ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବ୍ୟତୀତ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ଏକେ ଆଣ୍ଟୋନି, ମୋତିଲାଲ ବୋରା, ଗୁଲାମ ନବି ଆଜାଦ, ମଲ୍ଲିକାର୍ଜୁନ  ଖଡଗେ ଓ ଅଶୋକ ଗେହଲୋତ ପରି ବରିଷ୍ଠ ନେତା ଉପସ୍ଥିତ ଥିଲେ।

By Manas

Related Post