Sun. Mar 8th, 2026

ମୃତ ବାପାଙ୍କ ଇଚ୍ଛା ପୂରଣ କରିବାକୁ ଯୋଗୀ ଆଦିତ୍ୟନାଥଙ୍କୁ କଠଉ ଉପହାର ଦେଲେ ୬ ବର୍ଷୀୟ ବାଳିକା

327 Views

ଲକ୍ଷ୍ନୌ, ଜାନୁଆରୀ ୨୫ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହଳେ କଠଉକୁ ଭେଟି ଦେଇଛନ୍ତି ଜଣେ ୬ ବର୍ଷୀୟ ଝିଅ। ବାପ ଛେଉଣ୍ଡ ସେ ଝିଅ ରିମ୍‌ଝିମ୍‌ କହିଛି: ବାପା ମତେ କହିଥିଲେ ଯେ ସେ ଯୋଗୀଜୀଙ୍କୁ କଠଉ ଉପହାର ଦେବାକୁ ଚାହାଁନ୍ତି।

ରିମ୍‌ଝିମ୍‌ ହେଉଛନ୍ତି ସାଲେହନଗର ନିବାସୀ ବିଜୁଳି ବିଭାଗର କର୍ମଚାରୀ ଆନନ୍ଦ ଶର୍ମାଙ୍କ ଝିଅ। ଗତବର୍ଷ ନଭେମ୍ବର ମାସରେ ଏକ ଦୁର୍ଘଟନାରେ ତାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା।

ଯୋଗୀ ଆଦିତ୍ୟନାଥଙ୍କ ଲାଗି ଶର୍ମା କାଠରେ ହଳେ କଠଉ ତିଆରି କରିଥିଲେ, କିନ୍ତୁ ତାଙ୍କର ଆଶା ପୂରଣ ହେବା ପୂର୍ବରୁ ଦୁନିଆ ଛାଡ଼ିଗଲେ। ୨୦୧୬ ମସିହାରେ ରିମ୍‌ଝିମ୍‌ଙ୍କର ମାଆଙ୍କ ଦେହାନ୍ତ ଘଟିଥିଲା। ମାମୁଘର ଲୋକେ ଏବେ ରିମ୍‌ଝିମ୍‌ଙ୍କ ତତ୍ତ୍ୱ ନେଉଛନ୍ତି।

ବାପାଙ୍କ ମୃତ୍ୟୁ ହେବାର ପ୍ରାୟ ୩ ମାସ ପରେ ରିମ୍‌ଝିମ୍‌ ତାଙ୍କ ବାପାଙ୍କ ଇଚ୍ଛା ପୂର୍ଣ୍ଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ନିଜ ବାସଭବନକୁ ଆମନ୍ତ୍ରଣ କରିଥିଲେ। କାଠ କଠଉ ନେଲାବେଳେ ସେ ପଚାରିଲେ: କିଏ ୟାକୁ ତିଆରି କରିଛି। ରିମ୍‌ଝିମ୍‌ ଜବାବ ଦେଲେ: ମୋ ବାପା।ମୁଖ୍ୟମନ୍ତ୍ରୀ ପଚାରିଲେ: ସେ କ’ଣ କହିଥିଲେ? ରିମ୍‌ଝିମ୍‌ କହିଲା: ସେ ୟାକୁ ଯୋଗୀବାବାଙ୍କୁ ଦେବାକୁ ଚାହାଁନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କୁ ତାଙ୍କ ସ୍କୁଲ୍‌ କଥା, ପାଠପଢ଼ା ଏବଂ ପରିବାର କଥା ପଚାରିଥିଲେ। ସ୍କୁଲରେ ୟୁନିଫର୍ମ ଏବଂ ବ୍ୟାଗ୍‌ ପାଉଛି କି, ନାହିଁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ପଚାରିଥିଲେ।ମୁଖ୍ୟମନ୍ତ୍ର ଆହୁରି ମଧ୍ୟ ପଚାରିଥିଲେ: ମାମୁଘର ଲୋକେ ତୁମର ତତ୍ତ୍ୱ ନେଉଛନ୍ତି ତ?

ତା’ପରେ ରିମ୍‌ଝିମ୍‌ ଲାଗି ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଘୋଷଣା କରିବା ସହ ତା’ ଆଈ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ କରାଇ ଦେବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କୁ ନିର୍ଦେଶ ଦେଇଥିଲେ।

By amfnews

Related Post