ରାୟଗଡ଼ା: କଥାରେ ଅଛି ବାପା ମାଆ ସ୍ୱର୍ଗଠୁ ବଡ଼। ନିଜ ପୁଅ ଝିଅଙ୍କ ପାଇଁ ତାଙ୍କର ବଳିଦାନ ଅତୁଳନୀୟ। ହେଲେ ଅନେକ ସମୟରେ ବାପା ମାଆ ମାନେ ନିଜ ରୋଜଗାର କ୍ଷମ ପୁଅ ଝିଅଙ୍କ ନିକଟରେ ଅଲୋଡ଼ା ହୋଇଯାଆନ୍ତି। ମୁଠାଏ ଦାନା ପାଇଁ ପୁଅ ଝିଅଙ୍କ ଦାଣ୍ଡ ଦୁଆରେ ଘଣ୍ଟା ଘଣ୍ଟା ଧରି ବାପା ମାଆଙ୍କୁ ପଡ଼ି ରହିବାକୁ ପଡ଼ିଥାଏ। ଏଭଳି କିଛି ଦୃହୟ ବିଦାରକ ଘଟଣା ରାୟଗଡ଼ାରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ମାଆ ନିଜର ବ୍ୟାଙ୍କ୍ ମ୍ୟାନେଜର ପୁଅର ଘର ବାହାରେ ୨ ଘଣ୍ଟାରୁ ଅଧିକ ସମୟ ପଡ଼ିରହିଥିଲେ ମଧ୍ୟ ପୁଅ ବୋହୂ କବାଟ ଖୋଲିନଥିଲେ।ପୁଅର ଦାଣ୍ଡ ଦୁଆରେ ପଡ଼ିରହିଥିଲେ ୯୦ ବର୍ଷର ବୃଦ୍ଧା ମାଆ। ଘର ଭିତରକୁ ଯିବାକୁ ଚାହୁଁଥିଲେ, ହେଲେ ବଡ଼ ପୁଅ ଓ ବୋହୂ କବାଟ ଖୋଲି ନଥିଲେ। ସାନ ପୁଅ ଘରେ ମାଆ ୬ ମାସ ରହିବା ପରେ ଅସୁସ୍ଥ ବୃଦ୍ଧା ମାଆ ବଡ଼ ପୁଅ ଘରେ ରହିବା ପାଇଁ ଆସିଥିଲେ। ହେଲେ କବାଟ ବାଡ଼େଇ, ଯେତେ କାକୁତି ମିନତି ହୋଇ ଡାକିଲେ ମଧ୍ୟ ବଡ଼ ପୁଅ ବୋହୂ ଶୁଣିନଥିଲେ। ଦୀର୍ଘ ୨ ଘଣ୍ଟା ଧରି ଘର ବାହାରେ ପଡ଼ିରହିଥିଲେ ମଧ୍ୟ ବ୍ୟାଙ୍କ ମ୍ୟାନେଜର ପୁଅ ଆଡ଼ ଆଖିରେ ଚାହିଁନଥିଲେ।
ସୂଚନାଥାଉ କି, ବୃଦ୍ଧା ଜଣଙ୍କ ସାନ ପୁଅ ଘରେ ୬ ମାସ ରହିଥିଲେ। କିନ୍ତୁ ଗୁରୁବାର ସକାଳେ ଏକ ଅଟୋରେ ମାକୁ ଆଣି ସାନ ପୁଅ ଏସ୍. ରାବଣା ବଡ଼ ଭାଇ ଘର ଆଗରେ ଛାଡିଦେଇ ଚାଲି ଯାଇଥିଲେ। ତେବେ ବଡ଼ ପୁଅ ବୋହୂ ଘରକୁ ନ ନେବା ପରେ ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ସାନ ପୁଅକୁ ଡାକି ମାଆଙ୍କୁ ତାଙ୍କ ଘରକୁ ପୁଣି ଫେରାଇ ଦେଇଥିଲେ। ସ୍ଥାନୀୟ ଲୋକେ ଏହି ଦୃଶ୍ୟର ଫଟୋ ଉତ୍ତୋଳନ କରି ସୋଶାଲ୍ ମିଡିଆରେ ପୋଷ୍ଟ କରିବା ପରେ ପୂରା ଘଟଣା ବିଷୟରେ ଜଣାପଡ଼ିଥିଲା।
ପୁଅ ଝିଅଙ୍କୁ ପାଠ ପଢ଼ାଇ ବାପା ମାଆ ମଣିଷ କରିଥାନ୍ତି। ଆଉ ଆଶା ରଖିଥାନ୍ତି କି ବୃଦ୍ଧାବସ୍ଥାରେ ସେମାନଙ୍କ ସନ୍ତାନ ସେମାନଙ୍କୁ ପୋଷିବ। ହେଲେ ବାପା ମାଆଙ୍କ ପରିଣତ ବୟସରେ ଯଦି ସନ୍ତାନମାନେ ସେମାନଙ୍କୁ ନପଚାରନ୍ତି, ତେବେ କ’ଣ ହେବ ସେହି ବାପା ମାଆଙ୍କ ଅବସ୍ଥା?