Sat. Mar 7th, 2026

ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ, ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜ କିରାଣି ଗିରଫ

174 Views

ଅନୁଗୁଳ: ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ମହିଳା ଅଧିକାରୀ। ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜରେ ସେ ପ୍ରଶିକ୍ଷଣ ନେବାକୁ ଆସିଥିବାବେଳେ ବନବିଭାଗର ଜଣେ କର୍ମଚାରୀ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ୍‌ ବନ ବିଭାଗର ତୃତୀୟ ଶ୍ରେଣୀ କର୍ମଚାରୀ ବିଶ୍ବଜିତ ନାୟକ(୩୨)ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜାମିନ୍‌ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପୁରୀ ଜିଲ୍ଲାରେ ଫରେଷ୍ଟର ଭାବେ କାମ କରୁଥିବା ୨୮ ବର୍ଷୀୟା ବିବାହିତା ମହିଳା ଜଣକ ୨୦୧୭ ମସିହାରେ ଅନୁଗୁଳ ଫରେଷ୍ଟ ରେଞ୍ଜର୍ସ କଲେଜକୁ ପ୍ରଶିକ୍ଷଣ ନେବାକୁ ଆସିଥିଲେ। ଏଠାକାର ରହଣି ମଧ୍ୟରେ ଏହି କଲେଜରେ କିରାଣି ଭାବେ କାର୍ଯ୍ୟରତ ବିଶ୍ବଜିତ ନାୟକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ମୋବାଇଲ ଫୋନ୍‌ରେ କଥାବାର୍ତ୍ତା ବେଳେ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ନିୟମିତ ବ୍ୟବଧାନରେ ସେମାନେ ଚାଟିଂ ମଧ୍ୟ କରୁଥିଲେ। ନୂଆ ବର୍ଷ ଅବସରରେ ବିଶ୍ବଜିତ କୁଆଡ଼େ ମହିଳା ଫରେଷ୍ଟରଙ୍କୁ ଅନୁଗୁଳ ଡକାଇଥିଲେ। ଏକାଠି ଦୁହେଁ ରାତ୍ରିଯାପନ କରିଥିଲେ। ବିବାହ କରିବାର ପ୍ରତିଶ୍ରୁତି ଦେଇ ବିଶ୍ବଜିତ ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ମାତ୍ର ୨ ତାରିଖ ଦିନ ବିଶ୍ବଜିତ ନିଜ ପ୍ରତିଶ୍ରୁତିରୁ ଓହରି ଯାଇଥିଲେ। ‌କେବଳ ସେତିକି ନୁହେଁ, ତାଙ୍କୁ ଧମକ୍ ଚମକ ବି ଦେଇଥିଲେ।

ଏଭଳି ସ୍ଥିତିରେ ପୀଡ଼ିତା ମହିଳା ଫରେଷ୍ଟର ଜଣକ ଗତକାଲି ଅନୁଗୁଳ ଥାନାରେ ଏତଲା ଦେଇଥିଲେ। ଅନୁଗୁଳ ପୁଲିସ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲା। ଡାକ୍ତରୀ ପରୀକ୍ଷା ପରେ ବିଶ୍ବଜିତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ୫ ବର୍ଷର ଏକ ସନ୍ତାନ ଥିବା କୁହାଯାଇଛି।

By amfnews

Related Post