Sat. Mar 7th, 2026

ମହାବାତ୍ୟାକୁ ପୂରିଲା ୨୦ ବର୍ଷ: ଧ୍ୱଂସ ଲୀଳା ଆଜି ବି ଅଲିଭା ଦାଗ

167 Views

ଭୁବନେଶ୍ୱର  : ପ୍ରକୃତିର କରାଳ ତଥା ଭୟାନକ ରୂପ ଦେଖିବାକୁ ମିଳିଥିଲା ୧୯୯୯ ମହାବାତ୍ୟାରେ। ଆଖି ଆଗରେ ଦୋହଲିଗଲା ସବୁକିଛି । ଭାଙ୍ଗିଗଲା ଘର, ଉପୁଡ଼ିଗଲା ଗଛ। କ୍ଷୟକ୍ଷତିର ଏକ ଭୟାନକ ଦୃଶ୍ୟ ଦେଖିଲେ ଓଡ଼ିଶାବାସୀ ।

୧୯୯୯ ମହାବାତ୍ୟା ବିଶେଷ କରି ଉପକୂଳବର୍ତ୍ତୀ ଜିଲ୍ଲା କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ରଚିଥିଲା  ତାଣ୍ଡବଲୀଳା।  ଝଡ଼ର ତାଣ୍ଡବ, ପବନର ବେଗ, ବର୍ଷା ଓ ସମୁଦ୍ରର ଅଶାନ୍ତ ଜୁଆର ମିଳିତ ଭାବେ ରଚାଇଥିଲେ ସଂହାର ଲୀଳା। ନିମିଷକ ମଧ୍ୟରେ ଘରଦ୍ୱାର, ଗାଁଦାଣ୍ଡ ନିଶ୍ଚିହ୍ନ ହୋଇଗଲା।  ମହାବାତ୍ୟାର ଏହି ଅଭୁଲା ସ୍ମୃତି ୨୦ ବର୍ଷ ପରେ ବି  ତାଜା ହୋଇ ରହିଛି।   ମହାବାତ୍ୟାରେ ବହୁ ଲୋକଙ୍କ ଜୀବନ ଯିବା ସହ କେତେ ଲୋକଙ୍କ ସ୍ୱପ୍ନର ଘର ଉଜୁଡି ଯାଇଥିଲା।

ମହାବାତ୍ୟାରେ ସବୁଠୁ ଅଧିକ କ୍ଷତି ସହିଥିଲା ଜଗତସିଂହପୁର ଜିଲ୍ଲା। ଜିଲ୍ଲାର ଏରସମା ବ୍ଲକରେ ମୃତ୍ୟୁର ତାଣ୍ଡବ ରଚିଥିଲା ମହାବାତ୍ୟା। ଚାରିଆଡ଼େ ପ୍ରଳୟର ଚିହ୍ନ। ଆଖି ଆଗରେ ଭାସିଗଲେ ଆତ୍ମୀୟ, ସ୍ୱଜନ, ପରିବାର ଲୋକେ। ମା’ ଆଗରେ ଚାଲିଗଲା ପୁଅ, ସ୍ୱାମୀ ଆଗରେ  ଭାସିଗଲା ସ୍ତ୍ରୀ।  ତା’ ପରଦିନ ଯୁଆଡେ ଚାହିଁବେ ଖାଲି କୁଢ଼ କୁଢ଼ ମୃତଦେହ ।   କିଛି ଦିନ ଧରି ସବୁଆଡ଼କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିଦ୍ୟୁତ୍ ସରବରାହ ଏକ ପ୍ରକାର ଠପ୍ ହୋଇପଡ଼ିଥିଲା।

କୁହାଯାଉଥିଲା, ନଅଙ୍କ ଦୁର୍ଭିକ୍ଷ ପରେ ଓଡ଼ିଶା ଦେଖିଥିଲା ସବୁଠାରୁ ବଡ଼ ବିପର୍ଯ୍ୟୟ। ଏହି ମଧ୍ୟରେ ୨୦ ବର୍ଷ ବିତିଛି। ମହାବାତ୍ୟା ପରେ ଫାଇଲିନ୍, ହୁଡହୁଡ, ତିତଲି ଓ ଫୋନି ଭଳି ବାତ୍ୟାକୁ ସହିଛି ଓଡ଼ିଶା। ହେଲେ ମହାବାତ୍ୟାର ଅଭିଜ୍ଞତା ରାଜ୍ୟବାସୀଙ୍କୁ ସତର୍କ ଓ ସଂଘର୍ଷ ଶିଖାଇ ଦେଇଛି। ମହାବାତ୍ୟାର ସେହି ଧ୍ୱସଂଲୀଳା ଆଜି ମଧ୍ୟ ଏରସମା ବ୍ଲକବାସିନ୍ଦାଙ୍କ ହୃଦୟରେ ଅଲିଭା ଦାଗ ହୋଇ ରହିଯାଇଛି।

By amfnews

Related Post