Sun. Mar 8th, 2026

ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

302 Views

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଓ ମନ୍ତ୍ରୀ ନବୋଜତ ସିଂହ ସିଦ୍ଧୁଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଶେଷରେ ବିସ୍ଫୋରକ ରୂପ ଧାରଣ କରିଛି। ଏହି ବିବାଦକୁ ଦୃଷ୍ଟିରେ ରଖି ସିଦ୍ଧୁ ପଞ୍ଜାବ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି।

ସେ ଇସ୍ତଫାପତ୍ର ଜୁଲାଇ ୧୦ରେ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଥିଲେ। ଆଜି ସେ ନିଜ ଇସ୍ତଫାପତ୍ରକୁ ଟ୍ୱିଟରରେ ପୋଷ୍ଟ କରିଛନ୍ତି। ରାହୁଲ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ହେଁ ସିଦ୍ଧୁ ଏଯାଏ ରାହୁଲଙ୍କୁ ଅଧ୍ୟକ୍ଷ ବୋଲି ଏହି ଚିଠିରେ କହିଛନ୍ତି।

ଲୋକସଭା ନିର୍ବାଚନ ପରେ ସିଦ୍ଧୁ ଓ ଅମରିନ୍ଦରଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। କଂଗ୍ରେସ ପଞ୍ଜାବରେ ଆଶା ଅନୁଯାୟୀ, ପ୍ରଦର୍ଶନ ନ କରିବା ପଛରେ ସିଦ୍ଧୁ ଦାୟୀ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର କହିଥିଲେ। ସିଦ୍ଧୁ ନଗର ଉନ୍ନୟନ ମନ୍ତ୍ରୀ ଥିଲେ ହେଁ ସହରବାସୀଙ୍କ ପାଇଁ କିଛି କରି ନଥିବାରୁ ଲୋକମାନେ କଂଗ୍ରେସକୁ ଭୋଟ ଦେଇ ନଥିବା ସେ କହିଥିଲେ। ଏହାକୁ ନେଇ ଦୁଇ ନେତା ମୁହାଁମୁହିଁ ହୋଇଥିଲେ।

ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିଲେ। ଏହି ସମୟରେ ସିଦ୍ଧୁଙ୍କ ଠାରୁ ନଗର ଉନ୍ନୟନ ବିଭାଗ ପ୍ରତ୍ୟାହାର କରି ନିଆଯାଇଥିଲା। ସେବେଠାରୁ ସିଦ୍ଧୁ ନିଜ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ଏବେ ସେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି।

By amfnews

Related Post