Sat. Mar 7th, 2026

ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବାକୁ ଗୋଆ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

254 Views

ପାଣାଜୀ, ଡିସେମ୍ବର ୫: ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ତାହା ଆଫିଡେଭିଟ୍‌ ଜରିଆରେ ଜଣାଇବାକୁ ମୁମ୍ବାଇ ହାଇକୋର୍ଟର ପାଣାଜୀ ବେଞ୍ଚ ଗୋଆ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁମ୍ବାଇ ହାଇକୋର୍ଟର ପାଣାଜୀ ବେଞ୍ଚର ଜଷ୍ଟିସ୍‌ ଆରଏମ ବୋର୍ଦେ ସ୍ଥାନୀୟ ରାଜନେତା ଟ୍ରାଜନୋ ଡି ମେଲୋଙ୍କ ଆଦେବନ ଉପରେ ଏହି ନିର୍ଦ୍ଦେଶ ଦେଇଛନ୍ତି।

ପାନ୍‌କ୍ରିଆସ କ୍ୟାନସର ରୋଗରେ ପୀଡ଼ିତ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଦୀର୍ଘ ଦିନ ଧରି ତାଙ୍କ ଘରୁ ବାହାରି ନାହାଁନ୍ତି କିମ୍ବା କୌଣସି ସରକାରୀ, ବେସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେଇ ନାହାଁନ୍ତି। ତେଣୁ ଶ୍ରୀ ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ତାହା ସାର୍ବଜନୀନ କରିବାକୁ ମୁମ୍ବାଇ ହାଇକୋର୍ଟର ପାଣାଜୀ ବେଞ୍ଚରେ ଟ୍ରାଜନୋ ଡି ମେଲୋ ଆବେଦନ କରିଥିଲେ। ଏଥିରେ ଡି ମେଲୋ ଆବେଦନ କରିଥିଲେ ଯେ ମାନ୍ୟବର କୋର୍ଟ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାକିରକଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି ତାହା ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ପରୀକ୍ଷା କରାଇ ଏହାକୁ ସାର୍ବଜନୀନ କରିବାକୁ ଗୋଆ ମୁଖ୍ୟ ଶାସନ ସଚିବ ଧର୍ମେନ୍ଦ୍ର ଶର୍ମାଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ ଯେ ପାନକ୍ରିଆସ କ୍ୟାନସର ଜଣାପଡ଼ିବା ପରେ ଗତ ୯ ମାସହେବ ମନୋହର ପାରିକର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ଅକ୍ଟୋବର ୧୪ ତାରିଖରେ ସେ ଏମ୍‌ସର ଗୋଆ ଫେରିବା ପରେ ଆଉ କୌଣସି ସରକାରୀ କାର୍ଯ୍ୟରେ ଯାଗ ଦେଇ ନାହାଁନ୍ତି। ଏହାକୁ ନେଇ ବିରୋଧୀଦଳ ଗୁଡ଼ିକ ହୋ ହଲ୍ଲା କରିବା ସହିତ ଗୋଆରେ ପ୍ରଶାସନ ସ୍ଥାଣୁ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି।

By amfnews

Related Post