Sun. Mar 8th, 2026

ଭାରତ ବିରୋଧରେ କହୁଥିବା ଲୋକଙ୍କୁ ଗୁଳି ମାରି ହତ୍ୟା କରିବାକୁ ଆଇନ ଚାହୁଁଛନ୍ତି କର୍ଣ୍ଣାଟକ ମନ୍ତ୍ରୀ

247 Views

ନୂଆଦିଲ୍ଲୀ : ଭାରତ ବିରୋଧରେ ଖରାପ କଥା କହୁଥିବା କିଂବା ପାକିସ୍ତାନ ସପକ୍ଷରେ କହୁଥିବା ବ୍ୟକ୍ତିଙ୍କୁ ଦେଖିଲା ମାତ୍ରେ ଗୁଳି କରି ହତ୍ୟା କରିବାକୁ ସୋମବାର ଦିନ କର୍ଣ୍ଣାଟକର କୃଷିମନ୍ତ୍ରୀ ବି. ସି. ପାଟିଲ କହିଛନ୍ତି। ବିଶ୍ୱାସଘାତକମାନଙ୍କ ସହ ମୁକାବିଲା କରିବାକୁ କଠୋର ଆଇନ ପ୍ରଣୟନ କରିବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଚୀନ୍‌ ଦୃଷ୍ଟାନ୍ତ ଦେଇ ସେ ଆଜି ଏ କଥା ଗଣମାଧ୍ୟମକୁ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ନିନ୍ଦୁକମାନେ ଭାରତର ଖାଦ୍ୟ, ପାଣି ଓ ପବନ ବ୍ୟବହାର କରୁଛନ୍ତି। ସେମାନେ କାହିଁକି ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ୍‌ ଦେବେ? ଚୀନ୍‌ବାସୀ ସେମାନଙ୍କ ଦେଶ ବିରୋଧରେ କହିବାକୁ ଭୟ କରନ୍ତି। ବିଶ୍ୱାସଘାତକମାନଙ୍କ ସହ ମୁକାବିଲା କରିବାକୁ କଠୋର ଆଇନ ପ୍ରଣୟନ କରିବା ନିମନ୍ତେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରୁଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଅନେକ ବିଜେପି ନେତା ‘ସିଏଏ’ ବିରୋଧୀ ପ୍ରତିବାଦକାରୀଙ୍କୁ ବିଶ୍ୱାସଘାତକ କହୁଛନ୍ତି। ନିକଟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ର‍୍ୟାଲିରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ‘ବିଶ୍ୱାସଘାତକଙ୍କୁ ଗୁଳି ମାର’ ବୋଲି କହିଥିଲେ। ତେଣୁ ନିର୍ବାଚନ କମିସନ ତାଙ୍କ ପ୍ରଚାର ଉପରେ ନିଷେଧାଦେଶ ଜାରି କରିଥିଲେ। ଗତ ଦୁଇମାସ ମଧ୍ୟରେ ପୁଲିସ ଦେଶର ଅନେକ ‘ସିଏଏ’ ବିରୋଧୀ ପ୍ରତିବାଦକାରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି।

By amfnews

Related Post