Sun. Mar 8th, 2026

ଭଞ୍ଜନଗର: ପୋଷ୍ଟ ଅଫିସ ସାମ୍‌ନାରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ

185 Views

ଭଞ୍ଜନଗର, ଡିସେମ୍ବର ୨୭ : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଷ୍ଟ ଅଫିସ ସାମ୍‌ନାରୁ ଜଣେ ଯୁବକଙ୍କ ମୃତଦେହ ଆଜି ସକାଳୁ ଠାବ କରାଯାଇଛି। ତେବେ ଏହା ଏକ ହତାକାଣ୍ଡ ବୋଲିି ମୃତ ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣା ନେଇ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ,ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଭେଜିପୁଟ ଗ୍ରାମର ଉନ୍ନା କେଦାର ପାତ୍ର (୩୮ ବର୍ଷ) ଆଜି ସକାଳୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ପୋଷ୍ଟ ଅଫିସ ସମ୍ମୁଖରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସଙ୍ଗେସଙ୍ଗେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ମୃତ ଶ୍ରୀ ପାତ୍ରଙ୍କ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ପୁଲିସ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ମୃତଦେହ ପଞ୍ଚନାମା କରିଛି।

ତୋବେ ମୃତ ଶ୍ରୀ ପାତ୍ରଙ୍କ ଭାଇ ଉନ୍ନା ମୁନ୍ନା ପାତ୍ର କହିଛନ୍ତି ଯେ ଗତ ୨୪ ତାରିଖରୁ ତାଙ୍କ ଭାଇ ଶ୍ୱଶୁର ଘରକୁ ଯାଇଥିଲେ। ସ୍ତ୍ରୀ ସହିତ ଝଗଡ଼ା ଲାଗି ସ୍ତ୍ରୀ ଶ୍ୱଶୁର ଘର କନ୍ଧମାଳ ଜିଲ୍ଲାଗଦାପୁର ଗାଁକୁ ଚାଲିିଯାଇଥିିବାରୁ ଏହାର ସମାଧାନ ପାଇଁ ଶ୍ରୀ ପାତ୍ର ଶ୍ୱଶୁର ଘରକୁ ଯାଇଥିଲେ। ଗତକାଲି ସନ୍ଧ୍ୟାରେ ଶ୍ରୀ ପାତ୍ର ତାଙ୍କ ମାଆ ଉମା ଲଳିତା ପାତ୍ରଙ୍କ ସହିତ ମୋବାଇଲ ଫୋନ ଯୋଗେ କଥା ହୋଇଥିଲେ।

ତେବେ ଆଜି ସକାଳୁ ଶ୍ରୀ ପାତ୍ରଙ୍କ ମୃତଦେହ ପୋଷ୍ଟଅଫିସ ସାମ୍‌ନାରେ ପଡ଼ିଥିବା ବେଳେ ତାଙ୍କ ନାକ, ପାଟିରୁ ରକ୍ତ ବାହାରୁ ଥିବା ଓ ପିଠିରେ ମାଡ଼ର ଚିହ୍ନ ଥିବା ଦେଖିବାକୁ ମିଳିଛି। ତେଣୁ ତାଙ୍କ ଶ୍ୱଶୁର ଘର ଲୋକେ ଶ୍ରୀ ପାତ୍ରଙ୍କୁ ହତ୍ୟା କରିଛନ୍ତି ବୋଲି ତାଙ୍କ ଭାଇ ଉନ୍ନା ମୁନ୍ନା ପାତ୍ର ପୁଲିସରେ ଅଭିଯୋଗ କରିଛନ୍ତି।

By amfnews

Related Post