Sun. Nov 24th, 2024

ବିବାଦ ତୁଟୁନି, ବିଲ୍ଟ ଚାଲୁ ହେବ କେବେ? : ଦୀର୍ଘ ଦିନ ଧରି ପ୍ଲାଣ୍ଟ ବନ୍ଦ ହେବା ପରେ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ

By amfnews Aug 16, 2018 #Featured
186 Views

ଜୟପୁର : ଗାଗନପୁରସ୍ଥିତ ବିଲଟ ପେପର ମିଲକୁ ନେଇ ବିବାଦ ତୁଟୁ ନଥିବା ବେଳେ ଦିନକୁ ଦିନ ଏହା ଅଧିକ ଘନୀଭୂତ ହେବାରେ ଲାଗିଛି । କଂପାନି କର୍ତ୍ତୃପକ୍ଷ କିଛି କର୍ମଚାରୀଙ୍କ ଧାରଣା ଓ ବିଶୃଙ୍ଖଳିତ ଆଚରଣକୁ ଆଳ କରି ପ୍ଲାଣ୍ଟ ବନ୍ଦ କରିଥିବା କହୁଥିବା ବେଳେ ପ୍ରକୃତରେ ପ୍ଲାଣ୍ଟ ବନ୍ଦ ହେବା ପଛରେ ଏହା କାରଣ ନା ପରିଚାଳନା କର୍ତ୍ତୃପକ୍ଷଙ୍କ ଅନ୍ୟ କିଛି କାରଣ ରହିଛି ତାହା ସ୍ପଷ୍ଟ ଜଣାପଡୁନାହିଁ ।

ଦୀର୍ଘ ଦିନ ଧରି ପ୍ଲାଣ୍ଟ ବନ୍ଦ ହେବା ପରେ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେବା ସହ ଯେକୌଣସି ପରିସ୍ଥିତିରେ ବି କଂପାନି ଚାଲୁ କରିବାକୁ ଦାବି କରିଛନ୍ତି । କଂପାନି କର୍ତ୍ତୃପକ୍ଷଙ୍କ ମନୋଭାବ ସ୍ପଷ୍ଟ ହେଉନଥିବା ବେଳେ ଏବେ କର୍ମଚାରୀଙ୍କ ସ୍ୱାର୍ଥ ପାଇଁ ଲଢ଼ୁଥିବା ସଂଘ ମଧ୍ୟରେ ବି ସମନ୍ଵୟର ଅଭାବ ଦେଖାଦେଇଛି । ତିନୋଟି ସଂଘ ଏକଜୁଟ ହୋଇଥିବା ବେଳେ ଗୋଟିଏ ସଂଘ କଂପାନି କର୍ତ୍ତୃପକ୍ଷଙ୍କ ଆଚରଣକୁ ବିରୋଧ କରୁଛି ।

କଂପାନି ଚାଲୁ କରିବା ପାଇଁ ତୁହାକୁ ତୁହା ବୈଠକ ହେଉଥିଲେ ହେଁ କୌଣସି ନିର୍ଯାସ ବାହାରିପାରୁନାହିଁ । ଇତି ମଧ୍ୟରେ କାର୍ଯ୍ୟରତ କର୍ମଚାରୀଙ୍କ ପକ୍ଷରୁ ପୃଥକ୍‌ ପୃଥକ୍‌ ଭାବେ ଏକ ଲିଖିତ ପତ୍ର ବିଲଟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରୁଥିବା ଜଣାଯାଇଛି । ଏହି ପତ୍ରରେ କର୍ମଚାରୀଜଣକ କୌଣସି ବିଶୃଙ୍ଖଳିତ କାର୍ଯ୍ୟରେ ସାମିଲ ହେବେ ନାହିଁ କିମ୍ବା ଆନ୍ଦୋଳନକାରୀଙ୍କ ସହ ସାମିଲ ହେବେ ନାହିଁ, ଆନ୍ଦୋଳନ ସମୟରେ ନିଜର ଦରମା ଦାବି କରିବି ନାହିଁ ଭଳି କଥା ଉଲ୍ଲେଖ ରହିଛି । ଉକ୍ତ ପତ୍ରକୁ ଦେଖିଲେ ଏହା ସଂପୂର୍ଣ୍ଣ କଂପାନିର ସ୍ୱାର୍ଥରେ ହିଁ ରହିଛି ।

ତେବେ ପ୍ରକୃତରେ କର୍ମଚାରୀମାନେ ଏଭଳି ପତ୍ରରେ ଦସ୍ତଖତ କରିବା ପଛରେ କୌଣସି ବାଧ୍ୟବାଧକତା ନାହିଁ ତ ? ବୋଲି ପ୍ରଶ୍ନ ଉଠିଛି। ଏଥିନେଇ ୨ ନମ୍ବର ୟୁନିଅନର କର୍ମକର୍ତ୍ତା ଜୟନ୍ତ ସାନ୍ତ୍ରାଙ୍କ ସହ ଯୋଗାଯୋଗ କରାଯିବାରେ କର୍ମଚାରୀ ନିଜେ ନିଜେ ଏଭଳି ଲେଖା ଦେଉଥିବା ପ୍ରକାଶ କରିଛନ୍ତି । ପ୍ରଥମତଃ କଂପାନି ଚାଲୁ ହେବା ଦରକାର । ଏହା ପଛରେ କାହାରି ବାଧ୍ୟବାଧକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

By amfnews

Related Post