Sun. Mar 8th, 2026

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବାକୁ କହି ଲାଞ୍ଚ ନେବା ବେଳେ ଭିଜିଲାନ୍ସ୍ ହାତରେ ଧରାପଡ଼ିଲେ ଗ୍ରାମ ରୋଜଗାର ସେବକ

259 Views

ପୁରୀ: ଆଜି ସକାଳୁ ସକାଳୁ ଲାଞ୍ଚ ନେଉଥିବା ବେଳେ ଜଣେ ଗ୍ରାମ ରୋଜଗାର ସେବକ ଭିଜିଲାନ୍ସ୍ ହାତରେ ଧରପଡ଼ିଥିବା ଜଣାଯାଇଛି। ଜଣେ ଗରିବ ଲୋକଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ସେ ଗିରଫ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଛବି ନାରାୟଣ ପଣ୍ଡା ନାମକ ଜଣେ ଗ୍ରାମ ରୋଜଗାର ସେବକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବାକୁ କହି ଇନ୍ଦ୍ରମଣି ପଣ୍ଡାଙ୍କଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ। ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ପଞ୍ଚାୟତର ବାଁବରଡ଼ା ଗାଁର ଇନ୍ଦ୍ରମଣି ପଣ୍ଡାଙ୍କଠାରୁ ଅଭିଯୁକ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରାଇ ଦେବାକୁ କହି ପ୍ରଥମେ ୧୫ ହଜାର ଟଙ୍କା ମାଗିଥିଲେ। ହେଲେ ଇନ୍ଦ୍ରମଣି ଏଥିରେ ଅକ୍ଷମତା ପ୍ରକାଶ କରିବାରୁ ସେ ପରେ ୫୦୦୦ଟଙ୍କା ମାଗିଥିଲେ। ଏହାପରେ ସେ ଇନ୍ଦ୍ରମଣିଙ୍କୁ ବାରମ୍ବାର ଫୋନ୍ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଇନ୍ଦ୍ରମଣି ପଣ୍ଡା ପୁରୀ ଭିଜିଲାନ୍ସକୁ ଜଣାଇଥିଲେ। ତା’ପରେ ଛବି ନାରାୟଣ ପଣ୍ଡାଙ୍କୁ ଧରିବା ଲାଗି ଭିଜିଲାନ୍ସ୍ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିଲା।
ତାହା ଅନୁଯାୟୀ, ଆଜି ସକାଳେ ଇନ୍ଦ୍ରମଣି ନିଜ ପାଖରେ ଗାଡ଼ି ନଥିବା କହି ଛବି ନାରାୟଣ ପଣ୍ଡାଙ୍କୁ ଟଙ୍କା ଦେବା ଲାଗି ଚନ୍ଦନପୁର ଥାନା ସମ୍ମୁଖକୁ ଡାକିଥିଲେ। ସେଠାରେ ପୂର୍ବରୁ ପ୍ରସ୍ତୁତ ଥିବା ଥିବା ଭିଜିଲାନ୍ସ୍ ଟିମ୍ ଏହି ଟଙ୍କା ନେଉଥିବାବେଳେ ଛବି ନାରାୟଣ ପଣ୍ଡାଙ୍କୁ ଚନ୍ଦନପୁର ଥାନା ସମ୍ମୁଖରୁ ଧରିଥିଲେ। ଏହି ଘଟଣା ଏବେ ପୁରୀ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post