Wed. Mar 19th, 2025

ପୁଣି ଘୁଞ୍ଚିଲା ସୁପ୍ରିମକୋର୍ଟରେ କର୍ଣ୍ଣାଟକା ଶୁଣାଣି

By amfnews Jul 23, 2019 #Featured
106 Views

ନୂଆଦିଲ୍ଲୀ : ଆସ୍ଥା ଭୋଟ ପରି କର୍ଣ୍ଣାଟକା ‘ନାଟକ’ର ଶୁଣାଣି ମଧ୍ୟ ସୁପ୍ରିମକୋର୍ଟରେ ଘୁଞ୍ଚିଘୁଞ୍ଚି ଚାଲିଛି। କର୍ଣ୍ଣାଟକା ବିଧାନସଭାରେ ଆସ୍ଥା ଭୋଟ ଯଥାଶୀଘ୍ର ଶେଷ କରିବା ପାଇଁ ୨ ଜଣ ସ୍ୱାଧୀନ ବିଧାୟକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଆସନ୍ତାକାଲି ଯାଏ ଏହାର ଶୁଣାଣିକୁ ସ୍ଥଗିତ ରଖିଛି।

ବାଚସ୍ପତି ରେମଶ କୁମାର ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଆସ୍ଥା ଭୋଟ ଶେଷ ହେବ ବୋଲି ଘୋଷଣା କରିଥିଲେ। ତେଣୁ ଆଜି ଯଦି ଆସ୍ଥା ଭୋଟ ନେବ, ତା’ହେଲେ କୋର୍ଟ ଏହା ଉପରେ ଶୁଣାଣି କରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ରୁଲିଂ ଦେଇଛନ୍ତି।

ଆଜି ଶୁଣାଣି ବେଳେ ୨ ସ୍ୱାଧୀନ ବିଧାୟକଙ୍କ ଓକିଲ ମୁକଲ ରୋହତଗୀ ଆସ୍ଥା ଭୋଟ ତୁରନ୍ତ ଶେଷ କରିବାକୁ ବାଚସ୍ପତିଙ୍କୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଯୁକ୍ତି କରିଥିଲେ। ତେବେ ବାଚସ୍ପତିଙ୍କ ଓକିଲ ଅଭିଷେକ ମନୁ ସିଙ୍ଘଭୀ ଏହାକୁ ବିରୋଧ କରିଥିଲେ।ସେ କୋର୍ଟଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ଆସ୍ଥା ଭୋଟ ଶେଷ କରିବାକୁ ବାଚସ୍ପତି ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାଇଥିଲେ। ତେଣୁ ଏବେ ସୁପ୍ରିମକୋର୍ଟ ଧାର୍ଯ୍ୟ ସମୟକୁ ଅପେକ୍ଷା କରିବା ଦରକାର ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ। କୋର୍ଟ ଏହାପରେ ବୁଧବାର ଯାଏ ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲେ।

By amfnews

Related Post