Sat. Dec 28th, 2024

ପିଠାରେ ଫାଟିଲା ମୁଣ୍ଡ, ମହିଳା ସରପଞ୍ଚଙ୍କ ସହ ସ୍ୱାମୀ ଓ ପୁଅକୁ ମାଡ଼, କ୍ରୀଡ଼ାମନ୍ତ୍ରୀଙ୍କ ସଂପୃକ୍ତି ଥିବା ଅଭିଯୋଗ

By amfnews Jan 19, 2019 #Featured
279 Views

କଟକ, ଜାନୁଆରୀ ୧୯: ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକାଭିମୁଖୀ କରିବାକୁ ଆରମ୍ଭ ହୋଇଥିବା ପିଠା କାର୍ଯ୍ୟକ୍ରମରେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି । ପିଠା କାର୍ଯ୍ୟକ୍ରମରେ ମହିଳା ସରପଂଚଙ୍କ ସହିତ ତାଙ୍କ ସ୍ୱାମୀ ଓ ପୁଅଙ୍କ ଉପରେ ହୋଇଛି ଆକ୍ରମଣ । ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରାଙ୍କ ସମର୍ଥକ ମାଡ଼ ମାରିଛନ୍ତି ବୋଲି ସଂପୃକ୍ତ ସରପଞ୍ଚ ଅଭିଯୋଗ କରିଛି । ଘଟଣାଟି ଘଟିଛି କଟକ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତରେ । ଗୁରୁତର ସରପଞ୍ଚ, ତାଙ୍କ ସ୍ୱାମୀ ଓ ପୁଅ ଆହତ ହୋଇଛନ୍ତି । ବନ୍ଧୁକରେ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।

ଆଜି ଗତିରାଉତପାଟଣାରେ ପିଠା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏଥିରେ ସରପଞ୍ଚ ଲକ୍ଷ୍ମୀପ୍ରୀୟ ସ୍ୱାଇଁ ଏଲ୍‌ଇଡି ବଲ୍‌ବ ବଣ୍ଟନ ପାଇଁ ଘୋଷଣା କରିଥିଲେ । ଏହି ସମୟରେ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କ ଅତି ନିକଟତର ଅମର ସାହୁ ଓ ତାଙ୍କ ପୁଅ ଏବଂ କିଛି ଲୋକ ଆଜି ସରପଞ୍ଚଙ୍କ ସ୍ୱାମୀ ଓ ପୁଅଙ୍କୁ ମାଡ଼ ମାରିଥିଲେ । ବନ୍ଧୁକ ପଛ ପାର୍ଶ୍ୱରେ ମାଡ଼ ମାରିବାରୁ ତାଙ୍କ ପୁଅର ମୁଣ୍ଡରେ ଆଘାତ ଲାଗିଛି । ଏ ନେଇ ଲକ୍ଷ୍ମୀପ୍ରୀୟା ସ୍ୱାଇଁ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ କରିଛନ୍ତି । ସେ ସିଧାସଳଖ ମନ୍ତ୍ରୀଙ୍କ ମୁଣ୍ଡରେ ଦୋଷ ଲଦିଛନ୍ତି । ଏଥିରେ ମନ୍ତ୍ରୀଙ୍କର ସଂପୃକ୍ତି ରହିଛି ବୋଲି ସେ କହିଛନ୍ତି ।

କିନ୍ତୁ ମନ୍ତ୍ରୀ ଏହି ଅଭିଯୋଗକୁ ଭିତ୍ତିହୀନ କହିବା ସହ ସଂପୂର୍ଣ୍ଣଭାବେ ଖଣ୍ଡନ କରିଛନ୍ତି । ମନ୍ତ୍ରୀ କହିଛନ୍ତି ସେ ଏ ସଂପର୍କରେ କିଛି ଜାଣି ନାହାଁନ୍ତି । ସେ ସଭାରେ ଯୋଗ ଦେଇଥିବାବେଳେ ଶାନ୍ତି ଶୃଙ୍ଖଳା ଥିଲା । ସେମିତି କିଛି ବି ଅଘଟଣ ଘଟି ନ ଥିଲା । ଯଦି ଏପରି ଅଭିଯୋଗ ଆସିଛି ପୋଲିସ ତା’ର ତଦନ୍ତ କରିବ ବୋଲି କହିଛନ୍ତି ।

By amfnews

Related Post