Mon. Jan 13th, 2025

ନିର୍ଦ୍ଧାରିତ ସମୟ ବହୁ ଆଗରୁ ଆରମ୍ଭ ହେଲା ପହଣ୍ଡି, ଗୁଣ୍ଡିଚା ମନ୍ଦିରରୁ ବାହାରିଲେ ଚକ୍ରବୀର ସୁଦର୍ଶନ

By amfnews Jul 12, 2019 #Featured
96 Views

ପୁରୀ, ଜୁଲାଇ ୧୨ :  ନବଦିନାତ୍ମକ ଯାତ୍ରା ପରେ ଆଜି ଜନ୍ମବେଦୀ ଛାଡ଼ି ରତ୍ନବେଦୀକୁ ପୁଣି ଥରେ ବାହୁଡ଼ି ଆସିବେ ଶ୍ରୀଜିଉ । ମାଉସୀ ଘରୁ ବଡ଼ ଭାଇ ବଳଭଦ୍ର ଓ ଉଭଣୀ ସୁଭଦ୍ରାକୁ ନେଇ ବଡ଼ ଦେଉଳକୁ ଆସିବେ ଜଗତର ନାଥ ଜଗନ୍ନାଥ । ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନୀତି ଆରମ୍ଭ ହୋଇଯାଇଛି । ଆରମ୍ଭ ହୋଇଛି ଧାଡ଼ି ପହଣ୍ଡି । ପ୍ରଥମେ ଚକ୍ରବୀର ସୁଦର୍ଶନଙ୍କର ପହଣ୍ଡିରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିଛନ୍ତି । ଘଣ୍ଟ, ଖୋଳ, କାହାଳୀ ନାଦରେ ପ୍ରକମ୍ପିତ ହେଉଛି ଶରଧାବାଲିର ଦାଣ୍ଡ । ବାହୁଡ଼ାରେ ମଧ୍ୟ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି ।

ପ୍ରଥମେ ମଙ୍ଗଳ ଆଳତି, ତଡ଼ପ ଲାଗି, ମଇଲମ ଓ ଅବକାଶ ପରେ ଖେଚେଡି଼ ଭୋଗ ଶେଷ ହୋଇଛି । ସକାଳ ଧୂପ ପରେ ଧାଡ଼ି ପହଁଣ୍ଡି ଆରମ୍ଭ ହୋଇଛି । ପ୍ରଥମେ ଚକ୍ରବୀର ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହୋଇଛି । ଏହା ପରେ ପରେ ବଡ଼ ବଳଭଦ୍ର, ଦେବୀ ସୁଭଦ୍ରା ଓ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡି ହେବାର କାର୍ଯ୍ୟକ୍ରମ ରହିଛି । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ପହଣ୍ଡି ହୋଇଛି । ତେଣୁ ବହୁତ ଶୀଘ୍ର ରଥ ଟଣା ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ବାହୁଡ଼ା ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି ୧୦ ହଜାର ପୋଲିସ, ୧୪୨ ପ୍ଲାଟୁନ୍ ଫୋର୍ସ, ୨ କଂପାନି ଆର୍‌ଏଏଫ୍‌ ଓ ୩ ସ୍ପେସାଲ ଟାକ୍ଟିକାଲ ୟୁନିଟ୍ । ସମ୍ପୂର୍ଣ୍ଣ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିରକୁ ସିସିଟିଭି ନଜରରେ ରଖାଯାଇଛି ।

By amfnews

Related Post