Fri. Apr 25th, 2025

ନିଖୋଜ ନୁହେଁ ମାସୁଦ୍‌, ବାହୱାଲପୁରେ ଲୁଚିଥିବା ନେଇ ଗୁଇନ୍ଦା ସୂଚନା

By amfnews Feb 18, 2020 #Featured
172 Views

ନୂଆଦିଲ୍ଲୀ: ଏଫ୍‌ଏଟିଏଫ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ପାକିସ୍ତାନ ସୋମବାର ଦର୍ଶାଇଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ୍‌ ଆଝାର କୁଆଡ଼େ ନିଖୋଜ ହୋଇଯାଇଛି। ତେବେ ବର୍ତ୍ତମାନ ଗୁଇନ୍ଦା ସୂଚନା ମିଳିଛି ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇ ତା’କୁ ବାହୱାଲପୁରର ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଛନ୍ତି। ଏପରିକି ତା’ର ପରିବାର ଲୋକଙ୍କୁ ମଧ୍ୟ ଏଭଳି ଲୁଚାଇ ରଖାଯାଇଥିବା କୁହାଯାଉଛି।

ଉଭୟ ମାସୁଦ୍‌ ଏବଂ ତା’ର ପରିବାରକୁ ବାହୱାଲପୁର ନିଆଯାଇଛି। କେବଳ ମାସୁଦ୍‌କୁ ମାର୍କାଜ୍‌ ଉସ୍‌ମାନ୍‌ ଓ ଅଲ୍ଲୀଠାରେ ରଖାଯାଇଛି। ଏହି ସ୍ଥାନ ମାସୁଦ୍‌ର ସଂଗଠନ ଜୈଶ୍‌ ଏ ମହମ୍ମଦର ନୂଆ ହେଡ୍‌କ୍ୱାର୍ଟର। ବାହୱାଲପୁର-କାରଚି ରାସ୍ତାରେ କଡ଼ା ସୁରକ୍ଷା ବଳୟରେ ମାସୁଦ୍‌କୁ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ମାସୁଦ୍‌ ବାହୱାଲପୁର ଏବଂ ଖାଇବର ପଖ୍‌ତୁନ୍‌ଖ୍ୱା ମଧ୍ୟରେ ଲଗାତାର ଯିବା ଆସିବା ଜାରି ରଖିଛି।

ଏହା ପୂର୍ବରୁ ପାକିସ୍ତାନ ଅର୍ଥନୀତିକ ବ୍ୟାପାର ମନ୍ତ୍ରୀ ହମ୍ମାଦ୍‌ ଆଝାର କହିଥିଲେ, ଜୈଶ ଏ ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାର ନିଖୋଜ ହୋଇଯାଇଛି। ତେଣୁ ତା’ ବିରୋଧରେ ଏଫ୍‌ଆଇଆର ରୁଜୁ କରାଯାଇପାରୁନାହିଁ ବୋଲି ହମ୍ମାଦ କହିଥିଲେ।

ପାକିସ୍ତାନର ଏପରି କାର୍ଯ୍ୟକଳାପକୁ ଏବେ ସନ୍ଦେହଜନକ ଦୃଷ୍ଟିରେ ଦେଖାଯାଉଛି। କାରଣ ଏପରି ଲୁଚକାଳି ଖେଳ ପାକିସ୍ତାନ ଠିକ ସେହି ସମୟରେ ଖେଳୁଛି ଯେତେବେଳେ ଏଫ୍‌ଏଟିଏଫ୍‌ ପାକିସ୍ତାନର ଭବିଷ୍ୟତ ନେଇ ନିଷ୍ପତ୍ତି ନେବାର ଅଛି। ଟେରର ଫଣ୍ଡିଂ ଏବଂ ମନି ଲଣ୍ଡରିଂ ଆଦି କ୍ଷେତ୍ରରେ ଏଫ୍‌ଏଟିଏଫ୍‌ର ଗାଇଡ୍‌ଇନ୍‌ ଅନୁଯାୟୀ ପାକିସ୍ତାନ କାମ କରୁଛି କି ନା ତା’ର ଯାଞ୍ଚ କରାଯାଇ କଟକଣା ବାବଦରେ ଘୋଷଣା କରିବାର ଅଛି। ସୂଚନାଯୋଗ୍ୟ ଯେ, ନିକଟରେ ଲସ୍କର ଏ ତାଏବା ମୁଖ୍ୟ ହାଫିଜ୍‌ ସୟିଦ୍‌କୁ ପାକିସ୍ତାନର ଏକ କୋର୍ଟ ୧୧ ବର୍ଷର ଜେଲ୍‌ ଦଣ୍ଡ ଦେଇଛନ୍ତି।

By amfnews

Related Post