Sun. Mar 8th, 2026

ଧର୍ମଘଟର ଦ୍ୱିତୀୟ ଦିନ: ରେଳରୋକ ସହିତ ଜାତୀୟ ରାଜପଥ ଅବରୋଧ କଲେ ଆନ୍ଦୋଳନକାରୀ

177 Views

ଭୁବନେଶ୍ୱର, ଜାନୁଆରୀ ୦୯  : ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଦୁଇ ଦିନିଆ ଧର୍ମଘଟ ଡାକରାର ପ୍ରଭାବ ଆଜି ବି ଦ୍ୱିତୀୟ ଦିନରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ଗତକାଲି ଦିନତମାମ ବସ୍‌, ଅଟୋ ବନ୍ଦ ହେବା ସହ ଗମନାଗମନ ବ୍ୟବସ୍ଥା ପ୍ରାୟ ବନ୍ଦ ହୋଇଯାଇଥିଲା। ଫଳରେ ଲୋକେ ନାହିଁ ନଥିବା ହଇରାଣ ହରକତ ହୋଇଥିଲେ। ଆଜି ପୁଣି ସକାଳୁ ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଦୋକାନବଜାର ବନ୍ଦ ରହଛି। ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବାରୁ ମୁଖ୍ୟ ରାସ୍ତାଗୁଡ଼ିକରେ ଗାଡ଼ିମୋଟର ଚଳାଚଳ କରି ପାରି ନାହିଁ।
୧୨ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଧର୍ମଘଟକୁ ବିଜେପି ବାଦ୍‌ ଅନ୍ୟ ସମସ୍ତ ପ୍ରମୁଖ ରାଜନେତିକ ଦଳ ସମର୍ଥନ କରିଛନ୍ତି। ଧର୍ମଘଟ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ଦ୍ୱିତୀୟ ଦିନରେ ବାଲେଶ୍ୱର ଷ୍ଟେସନରେ ଆନ୍ଦୋଳନକାରୀମାନେ ରେଳରୋକ କରିଛନ୍ତି। ଫଳରେ ସେଠାରେ ପୁରୀ-ହାଓ୍ଵଡ଼ା ପାସେଞ୍ଜର ଓ ବାରିପଦା ଫାଷ୍ଟ ପାସେଞ୍ଜର ଟ୍ରେନ୍‌ ଅଟକି ରହିଛି।

ବ୍ରହ୍ମପୁର ଷ୍ଟେସନରେ ପଲାସା-ପୁରୀ ଟ୍ରେନ୍‌ ଅଟକି ରହିଥିବା ବେଳେ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏପରିକି ଭଦ୍ରକରେ ଦୋକାନବଜାର ମଧ୍ୟ ବନ୍ଦ ରହିଛି।
ଅପରପକ୍ଷେ ଧର୍ମଘଟକୁ ଆଖିଆଗରେ ରଖି ୨୨ଟି ଜିଲ୍ଲାର ଜିଲ୍ଲାପାଳମାନେ ଆଜି ମଧ୍ୟ ସେମାନଙ୍କ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରିଥିବାରୁ ସେହିସବୁ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

କଟକ ବାଦାମବାଡ଼ି ଅଞ୍ଚଳରୁ ସରକାରୀ ଓ ଘରୋଇ ବସ ଚଳାଚଳ ବନ୍ଦ ରହିଥିବାରୁ ଶହଶହ ଯାତ୍ରୀ ଆଜି ମଧ୍ୟ ନାହିଁ ନ ଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।

By amfnews

Related Post