ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଦୁର୍ନୀତି ଅଭିଯୋଗରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଭଳି ବରିଷ୍ଠ ରାଜନେତାମାନେ ଦଣ୍ଡିତ ହେବାର ଉଦାହରଣ ରହିଛି । ସେହିଭଳି ପ୍ରତିରକ୍ଷା ବିଭାଗର ବରିଷ୍ଠ କର୍ତ୍ତା ଏବଂ ବିଚାର ବିଭାଗର ବରିଷ୍ଠ ବିଚାରପତିମାନେ ମଧ୍ୟ ଦଣ୍ଡିତ ହୋଇଛନ୍ତି । ମାତ୍ର ଆମ ଦେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଅଭିଯୋଗରେ ଏହି ବର୍ଗର କୌଣସି ବ୍ୟକ୍ତି ଦଣ୍ଡିତ ହେବାର ଉଦାହରଣ ପ୍ରାୟ ନାହିଁ ।
ସତ୍ୟମ୍ କମ୍ପୁ୍ୟଟର୍ସ ଭଳି ଏକ ସଂସ୍ଥାର ସ୍ରଷ୍ଟା ଥିବା ରାମଲିଙ୍ଗା ରାଜୁଙ୍କୁ ୭ ବର୍ଷ ଜେଲ୍ ଏବଂ ଏକ ଶହ କୋଟି ଟଙ୍କା ଜରିମାନା ହେବା ଘଟଣା ଆମ ଦେଶର ଇତିହାସରେ ସବୁଦିନ ଲାଗି ଲିପିବଦ୍ଧ ହୋଇ ରହିବ । ଜଣେ ବିଚକ୍ଷଣ ଶିଳ୍ପପତି ଭାବରେ ଯେଉଁ ରାଜୁଙ୍କୁ ଦେଶ ବିଦେଶରେ ସମ୍ମାନିତ କରାଯାଉଥିଲା ସେ ୧. ୪୭ ବିଲିୟନ୍ ଡଲାର୍ ଠକିଥିଲେ ବୋଲି ୨୦୦୯ ମସିହାରେ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋର ତଦନ୍ତକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ସ୍ୱୀକାର କରିବା ପରେ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ୨୦୧୫ ମସିହା ଏପ୍ରିଲ୍ ୧୦ ତାରିଖ ଦିନ ହାଇଦ୍ରାବାଦ୍ର ଏକ ଫୌଜଦାରୀ ଅଦାଲତ ଶ୍ରୀ ରାଜୁଙ୍କୁ ଦଣ୍ଡାଦେଶ ଶୁଣାଯିବା ପରେ ଆମ ଦେଶରେ ଅର୍ଥନୈତିକ ଅପରାଧ ସହ ସମ୍ପୃକ୍ତ ଥିବା ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିବା ଅସ୍ୱୀକାର କରି ହେବ ନାହିଁ ।
ଅର୍ଥନୈତିକ ଅପରାଧ କ୍ଷେତ୍ରରେ ସିବିଆଇର ତଦନ୍ତ ଏବଂ ବିଚାରାଳୟର ନିଷ୍ପତ୍ତି ଆମ ସମାଜରେ ହୁଏତ ଅସ୍ଥାୟୀ ଭାବରେ ପ୍ରଭାବ ପକାଇପାରେ ମାତ୍ର ସବୁଦିନ ପାଇଁ ବ୍ୟବସାୟ, ରାଜନୀତି ଓ ପ୍ରଶାସନ କ୍ଷେତ୍ରରୁ ଦୁର୍ନୀତି ଦୂର କରିବାର ସମ୍ଭାବନା ବହୁତ କମ୍ ।
ବିଭିନ୍ନ ଚିଟ୍ଫଣ୍ଡ ସଂସ୍ଥା ଦ୍ୱାରା ଓଡିଶାରେ ହୋଇଥିବା ହଜାର ହଜାର କୋଟି ଟଙ୍କାର ମହାଦୁର୍ନୀତିର ତଦନ୍ତ କ୍ରାଇମ୍ବ୍ରାଞ୍ଚ, ପୋଲିସ୍ କମିଶନ୍ରେଟ୍, ସିବିଆଇ ଏବଂ ବିଚାର ବିଭାଗୀୟ ତଦନ୍ତ କମିଶନ୍ର ଦ୍ୱାରା କରାଯାଉଥିଲେ ମଧ୍ୟ ଚିଟ୍ଫଣ୍ଡ ସଂସ୍ଥାଗୁଡିକର ମାଲିକମାନେ ଏବଂ ସେମାନଙ୍କୁ ପ୍ରୋତ୍ସାହନ ଦେଇଥିବା ଓ ସହଯୋଗ କରିଥିବା ବ୍ୟକ୍ତିବିଶେଷ ନିଶ୍ଚିତ ଭାବରେ ଦଣ୍ଡିତ ହେବେ ଏବଂ ଜମାକାରୀମାନେ କେତେକ ପରିମାଣର ଅର୍ଥ ଫେରି ପାଇବେ ବୋଲି ଅନେକଙ୍କ ମନରେ ଆଶା ଥିଲା । ସିବିଆଇ ତଦନ୍ତ ପାଇଁ ଦାବିକୁ ରାଜ୍ୟ ସରକାର ଏଡାଇ ଦେବା ପରେ ସୁପ୍ରିମକୋର୍ଟରେ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସିବିଆଇ ଦ୍ୱାରା ତଦନ୍ତ ନିଦେ୍ର୍ଧଶ ଦିଆଯିବା ପରେ ରାଜ୍ୟରେ କିଛି ପରିମାଣରେ ଗିରଫଦାରୀ ଆରମ୍ଭ ହୋଇଥିଲା ଏବଂ ଚିଟ୍ଫଣ୍ଡ ସହିତ ଜଡିତ ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକେ ଗିରଫ ହୋଇଥିଲେ । ସିବିଆଇର ଦକ୍ଷତା ଓ ନିରପେକ୍ଷତା ନେଇ କେତେକ ମହଲରେ ପ୍ରଶ୍ନ ଉଠିଥିଲେ ମଧ୍ୟ ଯେହେତୁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ସିବିଆଇ ଏହି ତଦନ୍ତ କରୁଛନ୍ତିତେଣୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ତଦନ୍ତ ପ୍ରକ୍ରିୟାକୁ ତଦାରଖ କରିବାର ସମ୍ଭାବନା ଥିବାରୁ ସିବିଆଇ କର୍ତ୍ତୃପକ୍ଷ ଅସଲ ଅପରାଧୀମାନଙ୍କୁ ଲୋକଲୋଚନକୁ ଆଣି ଦଣ୍ଡିତ କରିବା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥା କରିବେ ବୋଲି ଧାରଣା ସୃଷ୍ଟି ହୋଇଥିଲା । ତଦନ୍ତ ସମୟରେ ଅର୍ଥତତ୍ତ୍ୱ, ସିସୋର୍ ଭଳି ବୃହତ୍ତ ଚିଟ୍ଫଣ୍ଡ ସଂସ୍ଥାର ମାଲିକ ପ୍ରଦୀପ ସେଠୀ ଏବଂ ପ୍ରଶାନ୍ତ ଦାସ ଓ ସେମାନଙ୍କ ଦ୍ୱାରା ଉପକୃତ ହୋଇଥିବା କେତେକ ରାଜନେତା, ସାମ୍ବାଦିକ ଓ ଦଲାଲ୍ ଗିରଫ ହୋଇଥିଲେ ମଧ୍ୟ ସନେ୍ଦହ ପରିସରକୁ ଆସିଥିବା ଅମଲାତନ୍ତ୍ରୀ (ଆଇଏସଏ୍, ଆଇପିଏସ୍ ପ୍ରଭୃତି) ଏପର୍ଯ୍ୟନ୍ତ ଯଥେଷ୍ଟ ନିରାପଦ ଥିବା ଅନୁଭୂତ ହେଉଛି । ସିବିଆଇର ତଦନ୍ତ ପ୍ରକ୍ରିୟାକୁ ସୁପ୍ରିମ୍କୋର୍ଟ ତଦାରଖ କରିବା ପାଇଁ ଇତିମଧ୍ୟରେ ସୁପ୍ରିମ୍କୋର୍ଟରେ ହେଇଥିବା ଏକ ମାମଲାର ଶୁଣାଣି କରି ଏହି ପ୍ରାର୍ଥନାକୁ ନାକଚ କରିଦେବା ପରେ ତଦନ୍ତକାରୀ ସଂସ୍ଥା ଉପରେ ଆଉ କୌଣସି ଚାପ ବା ଅଙ୍କୁଶ ନଥିବାରୁ ସେମାନେ କେତେ ନିରପେକ୍ଷ ଭାବରେ ତଦନ୍ତ କରିବେ ସେ ବିଷୟ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହେବା ସ୍ୱାଭାବିକ ।
ଇତିମଧ୍ୟରେ ଦେଶର ଏକ ପ୍ରତିଷ୍ଠିତ ଜାତୀୟ ସମ୍ବାଦପତ୍ରରେ ପ୍ରଥମ ପୃଷ୍ଠାରେ ପ୍ରକାଶିତ ହୋଇଥିବା ଚମକ୍ପ୍ରଦ ସମ୍ବାଦ ଅନୁଯାୟୀ ସିସୋର୍ ସଂସ୍ଥା ନେତା ଓ ବହୁ ପଦସ୍ଥ ଆଇଏଏ୍ସ୍, ଆଇପିଏସ୍ଙ୍କୁ ୫୫୦ କୋଟି ଟଙ୍କା ଉକ୍ରୋଚ ଦେଇଥିବା ଏବଂ ଏହି ସଂସ୍ଥାର ମାଲିକ ପ୍ରଶାନ୍ତ ଦାସଙ୍କ ବ୍ୟବସାୟ ମାଲେସିଆ ପର୍ଯ୍ୟନ୍ତ ବ୍ୟାପିଥିଲା । ସିବିଆଇ ହାତରେ ହସ୍ତଗତ ହୋଇଥିବା ୩୯ ମିନିଟ୍ ୬ ସେକେଣ୍ଡର ଗୋଟିଏ ସିଡିରେ ଏ ସମ୍ପର୍କୀତ ସମସ୍ତ ତଥ୍ୟ ଲିପିବଦ୍ଧ ହୋଇଛି । ସିସୋର୍ କମ୍ପାନୀ ଗ୍ରୁପ୍ର କର୍ମଚାରୀ ପ୍ରଦୀପ ସାମନ୍ତରାୟ ଏବଂ ତାଙ୍କ ସହଯୋଗୀ ପିନାକୀ ମହାନ୍ତିଙ୍କ ସୁତ୍ରରୁ ମିଳିଥିବା ଏହି ଅଡିଓ ସିଡିଟିକୁ ହାଇଦ୍ରାବାଦ୍ର ଫୋରେନ୍ସିକ୍ ଲାବ୍ରୋଟୋରୀକୁ ପରୀକ୍ଷା କରିବାକୁ ପଠାଯାଇଛି । ଏହି ସିଡିଟି ସିବିଆଇର ହସ୍ତଗତ ହେବା ପରେ ମାର୍ଚ୍ଚ ୧୮ ତାରିଖ ଦିନ ଶ୍ରୀ ମହାନ୍ତିଙ୍କ ନିଆଳି ଓ କଟକ ଫୁଲନଖରା ସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇଥିଲା । ଏହି ସିଡିରୁ ମିଳିଥିବା ତଥ୍ୟ ଅନୁଯାୟୀ ଶାସକ ଦଳ ସମେତ ବିଭିନ୍ନ ଦଳର ବିଧାୟକ ଏବଂ କେତେକ ମନ୍ତ୍ରୀଙ୍କୁ ୨୦୦୮ରୁ ୨୦୧୨ ମସିହା ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୧୭ ବା ୧୮ ଜଣ ବିଧାୟକ ଅର୍ନ୍ତଭୁକ୍ତ ବୋଲି ଶ୍ରୀ ମହାନ୍ତି ଉଲ୍ଲେଖ କରି ସେ ନିଜେ ଏହି ଟଙ୍କା ବାଣ୍ଟିଥିଲେ ବୋଲି କହିଛନ୍ତି । ପ୍ରଶାନ୍ତ ଦାସଙ୍କ ବ୍ୟବସାୟ ସାମ୍ରାଜ୍ୟ କେବଳ ମାଲେସିଆ ପର୍ଯ୍ୟନ୍ତ ବ୍ୟାପ୍ତ ନଥିଲା, ସେ ମାଲେସିଆର ନାଗରିକତ୍ୱ ମଧ୍ୟ ଗ୍ରହଣ କରିଥିଲେ ଓ ସେଠାରେ ୨୦ କୋଟିରୁ ଉଦ୍ଧ୍ୱର୍ ପରିମାଣର ଅର୍ଥ ବିନିଯୋଗ କରିଥିଲେ ।
ଏହି ସିଡିଟି ସିବିଆଇ କର୍ତ୍ତୃପକ୍ଷଙ୍କ ହସ୍ତଗତ ହେବା ପୂର୍ବରୁ ଶୁଭଙ୍କର ନାୟକ ଠାରୁ ଜବତ ହୋଇଥିବା ଏକ ଡାଏରୀରେ ଆଇଏଏସ୍ ଓ ଆଇପିଏସ୍ ଅଫିସରମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିବାର ଉଲ୍ଲେଖ କରାଯାଇଛି । ରାଜ୍ୟସଭା ସଂସଦ ଶ୍ରୀ ପ୍ୟାରୀମୋହନ ମହାପାତ୍ର, ବିଜେଡିର ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା, ବିଜେଡିର ଚଉଦ୍ୱାର – କଟକ ବିଧାୟକ ପ୍ରଭାତ ବିଶ୍ୱାଳ, ଆଇପିଏସ୍ ଅଫିସର ରାଜେଶ କୁମାର, ସତୀଶ ଗୋଜ୍ବାୟା ପ୍ରଭୃତିଙ୍କୁ ସିବିଆଇ କର୍ତ୍ତୃପକ୍ଷ ଜେରା କରିଛନ୍ତି ।
ଚିଟ୍ଫଣ୍ଡ ମହାଦୁର୍ନୀତି ସହ ଅନେକ ରାଜନେତା, ଅମଲାତନ୍ତ୍ରୀ, ବ୍ୟବସାୟୀ, ସାମ୍ବାଦିକ, ଗ୍ଲାମର୍ ଦୁନିଆ ସହ ସମ୍ପୃକ୍ତ ଅଭିନେତ୍ରୀ ଓ ମଡେଲ୍ ସମ୍ପୃକ୍ତ ଥିଲେ ମଧ୍ୟ ସିବିଆଇ କର୍ତ୍ତୃପକ୍ଷ ମନ୍ଥର ତଦନ୍ତ ପ୍ରକ୍ରିୟା ଯୋଗୁଁ ଜନସାଧାରଣଙ୍କ ମନରେ ସନେ୍ଦହ ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ସେଥିପ୍ରତି କେନ୍ଦ୍ର ସରକାର ଅଥବା ରାଜ୍ୟ ସରକାରଙ୍କର ବିଶେଷ ଧ୍ୟାନ ଥିବା ଭଳି ମନେ ହେଉନାହିଁ । ଯଦି ଏଭଳି ମହାଦୁର୍ନୀତିକୁ ଆବଶ୍ୟକୀୟ ଗୁରୁତ୍ୱ ଦେଇ ଏଥିସହ ସମ୍ପୃକ୍ତ ଅପରାଧୀମାନଙ୍କୁ ଦଣ୍ଡିତ କରାନଯାଏ ତେବେ ଦୁର୍ନୀତି ଦୂର କରିବା ଲାଗି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୀତି କାର୍ଯ୍ୟକାରୀ ହେବାର ସାମାନ୍ୟତମ ସମ୍ଭାବନା ଦେଖାଯିବ ନାହିଁ ।
ଯେଉଁ ଦେଶରେ ଭୋଟ୍ଦାତାମାନଙ୍କୁ ଅର୍ଥବଳରେ କିଣାଯାଇ କ୍ଷମତା ଦଖଲ କରାଯାଉଛି, ଅର୍ଥବଳରେ ଗଣମାଧ୍ୟମ, ଅମଲାତନ୍ତ୍ର ଓ କେତେକ ବିଚାରପତିଙ୍କୁ ପ୍ରଭାବିତ କରାଯାଇପାରୁଛି ସେ ଦେଶର ମାଟିରୁ ଦୁର୍ନୀତି ମୂଳୋପôାଟନ କରିବା ପାଇଁ ଯେଉଁମାନେ ଦାବି କରୁଛନ୍ତି ସେମାନଙ୍କୁ ଦେଶବାସୀ ବିଶ୍ୱାସ କରିବା ଲାଗି ବହୁ ପରିମାଣରେ ଆଦୌ ପ୍ରସ୍ତୁତ ନୁହନ୍ତି । ସ୍ୱାଧୀନତା ପରେ ଭାରତୀୟ ଗଣତନ୍ତ୍ରର ଚାରିଗୋଟି ଯାକ ସ୍ତମ୍ଭ ସୁଦୃଢ଼ ହୋଇ ଗଣତନ୍ତ୍ରକୁ ସୁରକ୍ଷା ଯୋଗାଇପାରିବ ବୋଲି ଯେଉଁମାନେ ସ୍ୱପ୍ନ ଦେଖୁଥିଲେ ସେ ସ୍ୱପ୍ନ କ୍ରମେ ଧୂଳିସାତ୍ ହେବାରେ ଲାଗିଛି । ଏଭଳି ଏକ ପରିସ୍ଥିତିରୁ ଦେଶକୁ କୌଣସି ନେତା ବା ରାଜନୈତିକ ଦଳ ରକ୍ଷା କରିବାର ସମ୍ଭାବନା ଆଦୌ ନାହିଁ । ଚଳିତ ବର୍ଷ ପ୍ରଭୁ ଜଗନ୍ନାଥଙ୍କର ନବକଳେବର ହେଉଥିବାରୁ ବ୍ରହ୍ମ ପରିବର୍ତ୍ତନ ପରେ ଦେଶର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ନ୍ୟାୟିକ କ୍ଷେତ୍ରରେ କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ଆଶା କରିବା ବ୍ୟତୀତ ଅନ୍ୟପନ୍ଥା ନାହିଁ । ତାହାଯଦି ସମ୍ଭବ ନହୁଏ ତେବେ ପରିସ୍ଥିତି ଯେ କଣ ହେବ କହିହେବ ନାହିଁ ।
ଆମ ଦେଶରେ ଗଣତନ୍ତ୍ରର ଚାରିଗୋଟି ଯାକ ସ୍ତମ୍ଭକୁ ଦୁର୍ନୀତି, ପ୍ରିୟାପ୍ରୀତିତୋଷଣ ଓ ଭ୍ରଷ୍ଟାଚାରର କଳାଛାଇ ଅନେକ ପରିମାଣରେ ଆବୋରି ରଖିଥିବାରୁ ଗଣତନ୍ତ୍ର କ୍ରମେ ରୁଗ୍ଣ ଓ ଦୂର୍ବଳ ହୋଇପଡିବା ସାଙ୍ଗେ ସାଙ୍ଗେ ଦୁଃଖ ଏବଂ ଦୁର୍ଦ୍ଧଶାର କଳାମେଘ ଜନସାଧାରଣଙ୍କୁ ଗ୍ରାସ କରିଚାଲିବ ।
371 Views