Tue. Mar 11th, 2025

ଦୀର୍ଘ ୨୦ ବର୍ଷ ପରେ ସ୍ଥାନୀୟ ବାସଚ୍ୟୁତ ପରିବାରର ସଦସ୍ୟଙ୍କ ଜମିର କାଗଜପତ୍ର ଓ ଅନ୍ୟାନ୍ୟ ନଥିପତ୍ର ଯାଞ୍ଚ କରିବା, ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡିବା ସହିତ ସମାନ – ଆର୍ଏସ୍ଏସ୍

By amfnews Oct 12, 2018 #Featured
243 Views

ରାଉରକେଲା : ସମ୍ପ୍ରତି ଆର୍ଏସ୍ପିରେ ଚାକିରୀ କରିଥିବା ସ୍ଥାନୀୟ ବାସଚ୍ୟୁତ ପରିବାର (ଏଲ୍ଡିପି)ର ସଦସ୍ୟମାନଙ୍କୁ ଭେରିଫିକେସନ ନାମରେ ତାଙ୍କର ଜମି ପଟ୍ଟା ତଥା ଅନ୍ୟାନ୍ୟ ନଥିପତ୍ର ଯାଞ୍ଚ କରାଯାଉଥିବାରୁ ଏହାକୁ ରାଉରକେଲା ଶ୍ରମିକ ସଂଘ ଦୃଢ ବିରୋଧ କରିଛି । ଦୀର୍ଘ ୨୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଚାକିରୀ କରିଥିବା ଶ୍ରମିକ କର୍ମଚାରୀଙ୍କ ପୁନର୍ବାର ଜମିପଟ୍ଟା, ଜେନୋଲୋଜି ତଥା ଶିକ୍ଷାଗତ ସାର୍ଟିଫିକେଟ୍ ଯାଞ୍ଚ କରିବା ଏକ ରାଜନୈତିକ ଅଭିସନ୍ଧି ତଥା ସ୍ଥାନୀୟ ବାସଚ୍ୟୁତ ପରିବାର ସଦସ୍ୟମାନଙ୍କୁ ହଇରାଣ ହରକତ କରି ନିନ୍ଦିତ କରିବା ପାଇଁ ଅପଚେଷ୍ଟା କରାଯାଉଛି ବୋଲି ରାଉରକେଲା ଶ୍ରମିକ ସଂଘ ସଭାନେତ୍ରୀ ଡିଏସ୍ ପାଣିକର ଓ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଅଭିଯୋଗ କରିଛନ୍ତି ।

ଦୀର୍ଘ ୨୦ ବର୍ଷରୁ ଊଦ୍ଧ୍ୱର୍ ସମୟ ଧରି ଚାକିରୀ କରିସାରିଥିବା କର୍ମଚାରୀମାନଙ୍କ ଏହି ଭେରିଫିକେସନ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଗୋଷ୍ଠୀର କର୍ମକର୍ତ୍ତାଙ୍କର ବୋଲି ସଂଘ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି । ଯେତେବେଳେ ଜାତୀୟ ଜନଜାତି କମିଶନ ରାଉରକେଲା ଆସିଥିଲେ ସେତେବେଳେ ଏହି ରାଜନୈତିକ ଦଳର କର୍ମକର୍ତ୍ତାମାନେ ତାଙ୍କ ନିକଟରେ ସ୍ଥାନୀୟ ବାସଚ୍ୟୁତ ପରିବାରର ସଦସ୍ୟମାନଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଓ ତାଙ୍କୁ ଜଣେ କେନ୍ଦ୍ରମନ୍ତ୍ରୀ ମଧ୍ୟ ସହଯୋଗ କରିଥିଲେ ।

ଏହି ଅଭିଯୋଗ ଉପରେ ପ୍ରକୃତ ତଦନ୍ତ ନ କରି ପ୍ରଶାସନ ଓ ଆର୍ଏସ୍ପି ମ୍ୟାନେଜମେଣ୍ଟ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଜଣେ ଶ୍ରମିକ କର୍ମଚାରୀର ମାନବିକ ଅଧିକାର ତଥା ସମ୍ମାନର ହାନୀ ହେଉଛି । ଯେତେବେଳେ କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷ ବା କର୍ମଚାରୀଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ଆସେ ତାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । କିନ୍ତୁ ଏଲ୍ଡିପି ଶ୍ରମିକ କର୍ମଚାରୀମାନଙ୍କ ବିରୁଦ୍ଧରେ କୌଣସି ଅଭିଯୋଗ ନଥିବାବେଳେ ଜଣେ ଅନାମଧ୍ୟେୟ ବ୍ୟକ୍ତିଙ୍କ ଅଭିଯୋଗରେ ଆର୍ଏସ୍ପିର ପ୍ରାୟ ୪ଶହରୁ ଊଦ୍ଧ୍ୱର୍ ଏଲ୍ଡିପି କର୍ମଚାରୀମାନଙ୍କ କାଗଜପତ୍ର ଯାଞ୍ଚ କରିବା ଏକ ନିନ୍ଦନୀୟ ପ୍ରକ୍ରିୟା ।

ଯେତେବେଳେ ଏଲ୍ଡିପି ପରିବାରର ଏହି କର୍ମଚାରୀଙ୍କ ଅସନ୍ତୋଷ ଓ କ୍ଷୋଭ, କ୍ରୋଧ ତଥା ଆନ୍ଦୋଳନର ରୂପ ନେବାକୁ ବସିଲା ସେତେବେଳେ ଆର୍ଏସ୍ପିର ସ୍ୱୀକୃତିପ୍ରାପ୍ତ ୟୁନିୟନ କର୍ମକର୍ତ୍ତାମାନେ ଏହି କର୍ମଚାରୀମାନଙ୍କ ଯାଞ୍ଚକୁ କେନ୍ଦ୍ରମନ୍ତ୍ରୀଙ୍କୁ କହି ବନ୍ଦ କରିଦେବେ ଓ ଅଦାଲତରେ କେସ୍ କରିବେ ଆଶ୍ୱାସନା ଦେଇଥିଲେ । ଆର୍ଏସ୍ପିର ସ୍ୱୀକୃତିପ୍ରାପ୍ତ ୟୁନିୟନର ଏଭଳି ଘୃଣ୍ୟ କାର୍ଯ୍ୟ ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡିବା ଭଲି ଅଟେ । ଏଣୁ ଏପରି ଘୃଣ୍ୟ ତଥା ଅଗତାନ୍ତ୍ରିକ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ରାଉରକେଲା ଶ୍ରମିକ ସଂଘ ତରଫରୁ ଦୃଢ ଦାବି କରାଯାଇଛି । ଅନ୍ୟଥା ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

By amfnews

Related Post