Sun. Mar 8th, 2026

ଦୀପାବଳିରେ ରାଜ୍ୟର ବିିଭିନ୍ନ ସ୍ଥାନରେ ଅଘଟଣ

174 Views

ଭୁବନେଶ୍ୱର, ନଭେମ୍ବର ୮: ବେଶ୍‌ ଆନନ୍ଦ ଉଲ୍ଲାସ ସହ ଆଲୋକର ପର୍ବ ଦୀପାବଳି ପାଳନ ହୋଇଛି। ତେବେ ଦୀପାବଳି ପାଳନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ଜଣାପଡ଼ିଛି।ବାଣ ଫୁଟି ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟିବା ସହ ଲୋକେ ଆହତ ମଧ୍ୟ ହୋଇଛନ୍ତି।ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବାଣ ଫୁଟି ୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସେହିପରି ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ମଧ୍ୟ ଅଘଟଣ ଘଟିଛି। ବାଣ ଫୁଟି କଲୋନୀରେ ଥିବା ୨ଟି ବେଆଇନ୍‌ ଡିଜେଲ ଏବଂ ପେଟ୍ରୋଲ ଦୋକାନ ନିଆଁରେ ପୋଡି ଯାଇଥିବା ସୂଚନା ମିଳିଛି।

ପାରାଦୀପ ଭଞ୍ଜ କଲୋନୀରେ ମଧ୍ୟ ଅଗ୍ନିକାଣ୍ଡ ଘଟି କ୍ଷୟକ୍ଷତି ହୋଇଛି।ମୟୂରଭଞ୍ଜ ଜିଲ୍ଲା ଉଦଳାରେ ବାଣ ଫୁଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ରାଜବରହମପୁର ଜାମୁନା ଗ୍ରାମରେ ବାଣ ବିସ୍ଫୋରଣରେ ୩ ଜଣ ଆହତ ହୋଇଥିବା ବେଳେ ଉକ୍ତ ଅଂଚଳର ଅଁଳାପାଳ ଗାଁର ଜଣେ ନାବାଳକ ହାତରେ ବାଣ ଫୁଟି ଯିବାରୁ ନାବାଳକ ଜଣକ ଗୁରୁତର ହୋଇଛନ୍ତି। ସେଇଭଳି ଆଉ ଜଣେ ବ୍ୟକ୍ତି ବାଣ ଫୁଟାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସମସ୍ତଙ୍କ ଚିକିତ୍ସା ଉଦଳା ଡାକ୍ତରଖାନାରେ ହେଉଛି।

ସେହିପରି ଆନନ୍ଦପୁରରେ ବାଣ ଫୁଟି ୨ ଜଣ ଆହତ ହୋଇଥିବା ବେଳେ ଜଣେ ୪ ବର୍ଷର ଶିଶୁ ଆଖିରେ ବାଣ ପଡ଼ିବାରୁ ସେ ଗୁରୁତର ହୋଇଛି।

ବାଲେଶ୍ୱର ସଦରଥାନା ରସାଳପୁର ଗାଁରେ ଜଣେ ଯୁବକ ବାଣ ଫୁଟାଉଥିବା ବେଳେ ହାତରେ ବାଣ ଫୁଟି ଯାଇଥିଲା। ଏଥିରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି।

By amfnews

Related Post