Sun. Mar 8th, 2026

ଦଳିତ ମହିଳାଙ୍କୁ ଥାନାରେ ଅଟକ ରଖି ଗଣଦୁଷ୍କର୍ମ ଓ ନିର୍ଯାତନା!

286 Views

ଚୁରୁ  : ରାଜସ୍ଥାନର ଚୁରୁଠାରେ ଏକ ଭୟଙ୍କର ଘଟଣା ଘଟିଛି। ଜଣେ ଦଳିତ ମହିଳାଙ୍କୁ ପୁଲିସ୍‌ବାବୁମାନେ ଥାନାରେ ଅଟକ ରଖି ଗଣଦୁଷ୍କର୍ମ କରିଛନ୍ତି। ଖାଲି ସେତିକି ନୁହେଁ, ପୁଲିସ୍‌ ପକ୍ଷରୁ ମହିଳାଙ୍କୁ ଅକଥନୀୟ ନିର୍ଯାତନା ମଧ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ପ୍ରଥମେ ପୁଲିସ୍‌ ମହିଳାଙ୍କ ୨୨ ବର୍ଷୀୟ ଦିଅରଙ୍କୁ ପକେଟ ମାର ଅଭିଯୋଗରେ ଜୁନ୍‌ ୩୦ରେ ଅଟକ ରଖିଥିଲା। ଏହାପରେ ତାଙ୍କୁ ପ୍ରବଳ ମାଡ଼ ମାରିଥିଲା। ଜୁଲାଇ ୩ରେ ପୁଲିସ୍‌ ଉକ୍ତ ୨୨ ବର୍ଷୀୟ ଯୁବକଙ୍କୁ ଧରି ତାଙ୍କ ଘରେ ପହଞ୍ଚିଥିଲା। ସେଠାରୁ ଯୁବକଙ୍କ ଭାଉଜଙ୍କୁ ମଧ୍ୟ ପୁଲିସ୍‌ ଉଠାଇ ନେଇଥିଲା।

ସେବେଠାରୁ ପୁଲିସ୍‌ ଦିଅର ଓ ଭାଉଜଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା। ନିର୍ଯାତନା ସହି ନପାରି ଜୁଲାଇ ୬-୭ ତାରିଖରେ ଯୁବକ ଜଣଙ୍କ ଥାନାରେ ପ୍ରାଣ ହରାଇଥିଲେ। ଏହାକୁ ନିଜ ଆଖିରେ ଦେଖିଥିବା ତାଙ୍କ ଭାଉଜଙ୍କୁ ମଧ୍ୟ ପୁଲିସ୍‌ ଛାଡ଼ି ନଥିଲା।

ପୁଲିସ୍‌ ଉକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ନଖ ତାଡ଼ି ଦେଇଥିଲେ। ଏତିସହ ତାଙ୍କ ଆଖି ଏବଂ ଆଙ୍ଗୁଠିରେ ମଧ୍ୟ ଆଘାତ ଦେଇଥିଲେ। ଜୁଲାଇ ୧୦ ତାରିଖ ଯାଏ, ତାଙ୍କ ସହ ଏଭଳି ଅମାନବୀୟ କାଣ୍ଡ ପୁଲିସ୍‌ ଥାନା ମଧ୍ୟରେ କରିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ଚୁରୁ ଏସ୍‌ପି ରାଜେନ୍ଦ୍ର କୁମାର ଶର୍ମାଙ୍କୁ ନିଜ ପଦରୁ ହଟାଇ ଦିଆଯାଇଛି। ସେହିପରି ଉକ୍ତ ପୁଲିସ୍‌ ଷ୍ଟେସନର ଅଫିସର, ଜଣେ ହେଡ୍‌ କନଷ୍ଟେବଲ ଓ ୬ ଜଣ କନଷ୍ଟେବଲଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।

By amfnews

Related Post