Sun. Mar 8th, 2026

ଡ୍ରାଇଭର ଓ ସହାୟକଙ୍କୁ ରାସ୍ତା ମଝିରେ ଓହ୍ଲାଇ କୁଆଡ଼େ ଗଲେ ଚିଦାମ୍ୱରମ୍ ?

267 Views

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଗୃହମନ୍ତ୍ରୀ ପି ଚିଦାମ୍ୱରମଙ୍କୁ ଖୋଜୁଛି ସିବିଆଇ। ଏହାରି ଭତିରେ ଏକ ବଡ଼ ଖବର ଆସିଛି। ସୂଚନାଅନୁଯାୟୀ ପି ଚିଦାମ୍ୱରମ ତାଙ୍କ କାରରେ ଯାଉଥିବା ବେଳେ ରାସ୍ତା ମଝିରେ ଡ୍ରାଇଭର ଏବଂ ସହାୟକଙ୍କୁ ଓହ୍ଲାଇ ଦେଇ କୁଆଡେ ପଳାଇଛନ୍ତି। ଏହାପରେ ସେ ବ୍ୟବହାର କରୁଥିବା ତାଙ୍କ ମୋବାଇଲ ମଧ୍ୟ ସେ ବନ୍ଦ କରିଦେଇଥିବା ସୂଚନା ରହିଛି। ଯାହାକି ଏଯାବତ ବନ୍ଦ ରହିଛି।

ମଙ୍ଗଳବାର ପାଖରୁ ଏଯାଏ ଚିଦାମ୍ୱରମଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ସିବିଆଇ ଓ ଇଡି ଖୋଜି ସାରିଲେଣି। ହେଲେ କୌଣସି ଖୋଜ ଖବର ମିଳି ନାହିଁ। ତେଣେ ଜାମିନ୍ ଆବେଦନର ଶୁଣାଣି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କରିବେ। ଇଡି ମଧ୍ୟ ଚିଦାମ୍ୱରମଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରି ସାରିଛି।

ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ଦୂର୍ନୀତି ମାମଲାରେ ଚିଦାମ୍ବରମଙ୍କ ବିରୋଧରେ ଉଭୟ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି। ଗତକାଲି ଦିଲ୍ଲୀ ହାଇକୋର୍ଟ ଶୁଣାଣି ସମୟରେ କହିଥିଲେ, ଚିଦାମ୍ବରମ୍‌ ଏହି ମାମଲାର କିଙ୍ଗପିନ୍‌ ବୋଲି ଜଣାପଡ଼ିଛି। ସେ ଆଇଏନ୍‌ଏକ୍ସ ମିଡିଆ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। କୋର୍ଟ ନିଶ୍ଚିତ ଯେ, ତାଙ୍କୁ ହେପାଜତକୁ ଆଣି ପଚରାଉଚରାର ଆବଶ୍ୟକତା ରହିଛି। ଏହା ମନି ଲଣ୍ଡରିଂର ଏକ ପ୍ରକୃଷ୍ଟ ଉଦାହରଣ ଏବଂ ଏସବୁ ମାମଲାରେ ଆଗୁଆ ଜାମିନ ଦେବା ସମାଜକୁ ଭୁଲ ବାର୍ତ୍ତା ଦେବ।

ଏହାପରେ ଆଜି ଆଗୁଆ ଜାମିନ୍ ପାଇଁ ଚିଦାମ୍ୱରମଙ୍କ ଆବେଦନର ଶୁଣାଣି କରିଥିବା ଜଷ୍ଟିସ ରମନା କୌଣସି ତତ୍କାଳ ଆଦେଶ ଦେଇପାରିବେ ନାହିଁ ବୋଲି କହିଛନ୍ତି। ଏଥିସହ ସେ ଜାମିନ ଆବେଦନ ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।ଅନ୍ୟପଟେ ଚିଦାମ୍ୱରମଙ୍କ ନାଁରେ ଆସିଥିବା ଅଭିଯୋଗକୁ ଭିତ୍ତୀହିନ କହିବା ସହ ଜାଣିଶୁଣି ତାଙ୍କୁ ଫସାଇ ଦିଆଯାଉଛି ବୋଲି କଂଗ୍ରେସ ନେତା କହିଛନ୍ତି।

By amfnews

Related Post