Wed. May 21st, 2025

ଟ୍ରେନ୍‌ରୁ ୪୫ କଇଁଛ ଉଦ୍ଧାର : ୩ ବଙ୍ଗୀୟ ଅଭିଯୁକ୍ତ ଗିରଫ

By amfnews Mar 18, 2019 #Featured
241 Views

ବାଲେଶ୍ବର/ରୁପ୍‌ସା : ଶନିବାର ବିଳମ୍ବିତ ରାତିରେ ଚୋରା ଚାଲାଣ ବେଳେ ୧୮୪୭୭ ଡାଉନ ଉତ୍କଳ ଏକ୍ସପ୍ରେସ୍‌ ଟ୍ରେନରୁ ଆରପିଏଫ ଦଳ ବିଭିନ୍ନ ପ୍ରଜାତିର ୪୫ଟି କଇଁଛ ଜବତ କରିବା ସହ ୩ଜଣ ବଙ୍ଗୀୟ ଅଭିଯୁକ୍ତଙ୍କୁ ଗିରଫ କରି ବନବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି। ପ୍ରକାଶ ଯେ, ପୁରୀ ଜିଲ୍ଲା ସାକ୍ଷୀଗୋପାଳରୁ ପଶ୍ଚିମବଙ୍ଗର ୩ଜଣ ଯୁବକ ଉତ୍କଳ ଏକ୍ସପ୍ରେସ୍‌ରେ କଇଁଛଗୁଡିକୁ ନେଇ କୋଲକାତା ଯାଉଥିବା ଆରପିଏଫ୍‌ ସୂଚନା ପାଇଥିଲା। ସୂଚନା ଆଧାରରେ ରୂପସା ଆରପିଏଫ ସେମାନଙ୍କୁ ବାଲେଶ୍ୱରରୁ ପିଛା କରି ଜଳେଶ୍ୱର ନିକଟରେ ଧରିଥିଲେ।

ଅଭିଯୁକ୍ତ ୩ଜଣ ପଶ୍ଚିମବଙ୍ଗର ଦାନ୍ତୁଣ ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଚାଉଳିଆ ଗାଁର ଉତ୍ତମ ମଣ୍ଡଳ ଠାରୁ ୧୩, କୁରିଆର ଅଶୋକ କୁମାର ପେରିଓ ଠାରୁ ୧୭ ଓ ଭାଟିଆମନାର ଅନାଦି ସାସମଲ ଠାରୁ ୧୫କଇଁଛ ଜବତ କରି ବନବିଭାଗକୁ ସୂଚନା ଦେଇଥିଲେ। ରେଞ୍ଜ ଅଫିସର ଦେବେନ୍ଦ୍ରନାଥ ପାତ୍ର, ଫରେଷ୍ଟର ପ୍ରହଲ୍ଲାଦ ଚନ୍ଦ୍ର ନାୟକ, ପ୍ରଦୀପ ରାଉତ, ମୀନାରାଣୀ ବେହରା, ଶଶିଧର ମହାନ୍ତି ପ୍ରମୁଖ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲେ ଓ କଇଁଛଗୁଡିକୁ ଉଦ୍ଧାର କରିଥିଲେ। ଏ ନେଇ କେସ୍‌ ନଂ ୧୧୩/୧୯ରେ ମାମଲା ରୁଜୁ ହୋଇଛି ଓ ଉଦ୍ଧାର କଇଁଛଗୁଡ଼ିକୁ ସୁରକ୍ଷିତ ଅବସ୍ଥାରେ ବୁଢ଼ାବଳଙ୍ଗ ନଦୀରେ ଛାଡି ଦିଆଯିବ ବୋଲି କୁହାଯାଇଛି।

ଏହି ତିନି ଅଭିଯୁକ୍ତଙ୍କ ବ୍ୟତୀତ ଏହି କଇଁଛ ଚାଲାଣ ରାକେଟରେ ଆଉ କେଉଁମାନେ ସଂପୃକ୍ତ ଓ ଚୋରା କାରବାରର ଚେର ପଶ୍ଚିମବଙ୍ଗ ସହ ଆଉ କେଉଁ ରାଜ୍ୟକୁ ଲମ୍ବିଛି ତାର ଖୋଳତାଡ଼ ଚାଲିଛି।

By amfnews

Related Post