Wed. Jan 15th, 2025

ଜେଏନୟୁ ହିଂସା ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ

By amfnews Jan 7, 2020 #Featured
104 Views

ନୂଆଦିଲ୍ଲୀ : ଜେଏନ୍‌ୟୁ ହିଂସା ପଛରେ କିଏ ରହିଛି ତାକୁ ନେଇ ସସପେନ୍ସ ଜାରି ରହିଥିବା ବେଳେ ଏବେ ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ହିନ୍ଦୁ ଧର୍ମ ଉପରେ କାର୍ଯ୍ୟ କରୁଥିବା ହିନ୍ଦୁ ରକ୍ଷା ଦଳ ଜାନୁଆରୀ ୫ ଜେଏନୟୁ ହିଂସା ପାଇଁ ନିଜକୁ ଦାୟୀ କରିଛି। ଏହି ସଂଗଠନର କର୍ମକର୍ତ୍ତାମାନେ ଜାନୁଆରୀ ୫ରେ ମୁଖାପିନ୍ଧି ଜେଏନୟୁ କ୍ୟାମ୍ପସରେ ହମଲା କରିଥିଲେ ବୋଲି ଏହାର ନେତା ପିଙ୍କି ଚୌଧୁରୀ କହିଛନ୍ତି। ସେ କହିଛନ୍ତି, ଜେଏନୟୁରେ ଦେଶଦ୍ରୋହୀଙ୍କ ଆଡ୍ଡା ଜମି ଥିବାରୁ ସଂଗଠନର କର୍ମକର୍ତ୍ତାମାନେ ଏଭଳି ଆକ୍ରମଣ କରିଛନ୍ତି।

ହିନ୍ଦୁ ରକ୍ଷା ଦଳ ପକ୍ଷରୁ ତାଙ୍କର ନେତା ପିଙ୍କି ଚୌଧୁରୀଙ୍କ ଏକ ଭିଡିଓ ଜାରି କରାଯାଇଛି। ଏଥିରେ ସେ କହିଛନ୍ତି ଯେ “ଜେଏନୟୁରେ ଦିନକୁ ଦିନ ଦେଶଦ୍ରୋହ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଆମେ ଏହାକୁ କେବେ ହେଲେ ସହ୍ୟ କରିପାରିବୁ ନାହିଁ। ଏବେ ଆମେ ଆକ୍ରମଣ କରି ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଛୁ। ଜେଏନୟୁ ହିଂସା ଘଟଣାର ସମସ୍ତ ଉତ୍ତରଦାୟିତ୍ୱ ଆମେ ଗ୍ରହଣ କରୁଛୁ।

ମୁଁ ଗର୍ବର ସହ କହିବାକୁ ଚାହେଁ ଯେ ଆକ୍ରମଣକାରୀମାନେ ଆମର କର୍ମକର୍ତ୍ତା। ଜେଏନୟୁରେ ବିଗତ କିଛି ବର୍ଷ ହେଲେ ଛାତ୍ରଛାତ୍ରୀମାନେ ଯେଉଁଭଳି ବ୍ୟବହାର କରୁଛନ୍ତି, ତାହା ଆଦୌ ଗ୍ରହଣୀୟ ନୁହେଁ। ଆମ ଧର୍ମ ବିରୋଧରେ ସେମାନେ କାର୍ଯ୍ୟ କରିବାରେ ଲାଗିଛନ୍ତି। ଆମେ କେବେ ହେଲେ ଭାରତ ବିରୋଧୀ କାର୍ଯ୍ୟକୁ ସହ୍ୟ କରିବୁ ନାହିଁ।”

ସେ ଆହୁରି କହିଛନ୍ତି ଯେ “ଏଭଳି ଲୋକମାନେ ଆମ ଦେଶରେ ରହୁଛନ୍ତି। ଆମ ଖାଦ୍ୟ ଖାଉଛନ୍ତି। ଏଠାରେ ପାଠପଢ଼ୁଛନ୍ତି। ହେଲେ ସେମାନେ ଦେଶ ବିରୋଧରେ କାର୍ଯ୍ୟ କରୁଛନ୍ତି। ହିନ୍ଦୁ ରକ୍ଷା ଦଳ ସର୍ବଦା ଏହାକୁ ବିରୋଧ କରୁଛି। ଆଗକୁ ମଧ୍ୟ ଏଭଳି କାର୍ଯ୍ୟ ଜାରି ରହିଲେ,ଆମେ ପୁଣି ଆକ୍ରମଣ କରିବୁ। କେବଳ ଏଠାରେ ନୁହେଁ, ଯେଉଁମାନେ ଏଭଳି କାର୍ଯ୍ୟ କରିବାରୁ ଉଦ୍ୟମ କରୁଛନ୍ତି, ଆମେ ସମସ୍ତଙ୍କୁ ଏଭଳି ଢଙ୍ଗରେ ଆକ୍ରମଣ କରିବୁ।”

ଅନ୍ୟପକ୍ଷରେ ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ହିନ୍ଦୁ ରକ୍ଷା ଦଳର ପିଙ୍କି ଚୌଧୁରୀ ଯେଉଁ ବୟାନ ଦେଇଛନ୍ତି, ତା’କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏବେ ପୁଲିସ ଏହାର ଖୋଳତାଡ଼ କରୁଛି।

ଜାନୁଆରୀ ୫ରେ ୫୦ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ଜେଏନୟୁ କ୍ୟାମ୍ପସରେ ପ୍ରବେଶ କରିଥିଲେ। ସେମାନେ ଲୁହା ରଡ, କାଠ ଫାଳିଆ ଓ ପଥର ଦ୍ୱାରା ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜେଏନୟୁ ଛାତ୍ର ସଂସଦ ସଭାପତି ଆଈଶିଙ୍କ ସହ ୩୪ ଜଣ ଗୁରୁତର ଆହତ ହୋଇଥିଲେ।

ଏହି ହିଂସାକାଣ୍ଡକୁ ନେଇ ଦେଶବ୍ୟାପୀ ବିକ୍ଷୋଭ ଜାରି ରହିଛି। ବାମପନ୍ଥୀ ଛାତ୍ର ସଂଗଠନ ଏହି ହିଂସାକାଣ୍ଡ ପାଇଁ ଏବିଭିପିକୁ ଦାୟୀ କରିଛନ୍ତି। ଏବିଭିପି ମଧ୍ୟ ସମାନ ଅଭିଯୋଗ ଆଣିଛି।

By amfnews

Related Post