Sun. Dec 29th, 2024

ଚିଲିକାକୁ ବାଲୁଗାଁରୁ ରମ୍ଭା ଭିତରେ ଖୋଲିବ ଆଉ ଏକ ପ୍ରବେଶ ପଥ, ଭିତରକନିକା, ହୀରାକୁଦ ଜଳଭଣ୍ଡାରରେ ଚାଲିବ ହାଉସ୍‌ ବୋଟ୍‌

By amfnews Dec 13, 2019 #Featured
240 Views

ଭୁବନେଶ୍ବର : ଚିଲିକା ହ୍ରଦ ବହୁତ ବଡ଼ ହୋଇଥିଲେ ହେଁ ଏହା ଭିତରକୁ ଯାତାୟତ ପାଇଁ ପର୍ଯ୍ୟଟକମାନେ ମୁଖ୍ୟତଃ ସାତପଡ଼ା ଓ ବରକୁଳ ଦେଇ ଯାଉଛନ୍ତି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ବିଶେଷ ସୁବିଧା ସୁଯୋଗ ନାହିଁ। ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାର ବାଲୁଗାଁରୁ ରମ୍ଭା ମଧ୍ୟରେ ଏକ ଅତ୍ୟାଧୁନିକ ବଡ଼ ଜେଟି ପକାଇ ପ୍ରବେଶ ପଥ ଖୋଲାଯିବ। ଏଠାରେ ପର୍ଯ୍ୟଟକ ସୁବିଧା କେନ୍ଦ୍ର, ପାର୍କିଂ ଅଞ୍ଚଳ ରହିବ। ଏଠାରୁ ଚିଲିକା ଭିତରକୁ ବଡ଼ ବଡ଼ ଡଙ୍ଗା ଚାଲିବ। ଏହା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରମ୍ଭାରୁ ବରକୁଳ ପର୍ଯ୍ୟନ୍ତ ରେଳ ଲାଇନ କଡ଼କଡ଼େ ଚିଲିକା କୂଳେକୂଳେ ଏକ ରାସ୍ତା ନିର୍ମାଣ କରାଯିବ।

ସେହିପରି ଗଞ୍ଜାମ ଜିଲ୍ଲାର ଚିଲିକା ଭିତରେ ଥିବା ସାମଲନାସି, ବଡ଼କୁଦି ଏବଂ ସାନକୁଦି ଦ୍ବୀପକୁ ଅଧିଗ୍ରହଣ କରି ଏଠାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ କରାଯିବ। ସାମଲନାସି ଦ୍ବୀପରେ ଘରୋଇ ପୁଞ୍ଜିନିବେଶ ମାଧ୍ୟମରେ ଅଳ୍ପ ଉଚ୍ଚତା ବିଶିଷ୍ଟ ରିସୋର୍ଟସ ନିର୍ମାଣ କରିହେବ। ଯାହା ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଚିଲିକାକୁ ଆକୃଷ୍ଟ କରିବ। ଏଥିପାଇଁ ପୂର୍ତ୍ତ ବିଭାଗ ଓ ପର୍ଯ୍ୟଟନ ବିଭାଗ ସଚିବଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ, ଚିଲିକା ଡିଏଫ୍‌ଓ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ସିଇଓ, ଇଡ୍‌କୋ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ତୁରନ୍ତ ରିପୋର୍ଟ ଦେବାକୁ କୁହାଯାଇଛି।

ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହେବ
ସାମଲନାସି ଦ୍ବୀପରେ ରିସୋର୍ଟସ ଖୋଲିବାକୁ ଯୋଜନା
ଚିଲିକା, ଭିତରକନିକା, ହୀରାକୁଦ ଜଳଭଣ୍ଡାରରେ ଚାଲିବ ହାଉସ୍‌ ବୋଟ୍‌
ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଧୀନକୁ ଆସିବ ଏକାମ୍ର ହାଟ
ପୁରୀରେ ହେବ ଐତିହ୍ୟ ପଦଯାତ୍ରା
ଭୁବନେଶ୍ବରରେ ପ୍ରତି ସଂଧ୍ୟାରେ ହେବ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ

ରାଜ୍ୟର ସବୁ ପର୍ଯ୍ୟଟନସ୍ଥଳୀର ଭିତ୍ତିଭୂମି ସୁଦୃଢ କରିବା ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବା ପାଇଁ ଏଣିକି ସବୁ ପର୍ଯ୍ୟଟନସ୍ଥଳୀରେ ଶୌଚାଳୟ ସୁବିଧା ରହିବ। ଏହାକୁ ନିୟମିତ ସଫା କରାଯିବା ସହ ଏହାର ରକ୍ଷଣାବେକ୍ଷଣ ହେବ। କେଉଁଠି ଶୌଚାଳୟ ଅଛି, କିପରି ଅବସ୍ଥାରେ ଅଛି, କେତେ ଶୌଚାଳୟ ନିର୍ମାଣ ହେବା ଦରକାର ସେନେଇ ପର୍ଯ୍ୟଟନ ବିଭାଗ ରିପୋର୍ଟ ପ୍ରସ୍ତୁତ କରି ପଦକ୍ଷେପ ନେବାକୁ କୁହାଯାଇଛି।

ଏହାସହ ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ପାଇଁ ପ୍ରତୀକ୍ଷା ଗୃହ, ସ୍ନାକ୍‌ ବାର୍‌ ଖୋଲିବ। ଏଥିପାଇଁ ଏକ ମଡେଲ୍‌ ପ୍ଲାନ୍ ପ୍ରସ୍ତୁତ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। କେଉଁ ପର୍ଯ୍ୟଟନସ୍ଥଳୀରେ କେଉଁଠି ଏହି ସୁବିଧା ଉପଲବ୍ଧ ହେବ ସେଥିପାଇଁ ପର୍ଯ୍ୟଟନ ବିଭାଗ ଓ ଜଙ୍ଗଲ ପରିବେଶ ବିଭାଗକୁ ଜାଗା ଚିହ୍ନଟ କରିବାକୁ କୁହାଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା କଡ଼ରେ ନିର୍ମାଣ ହୋଇଥିବା ସୁବିଧା କେନ୍ଦ୍ରଗୁଡ଼ିକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ଇଡ୍‌କୋ ସମସ୍ତ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନିକଟରେ ଏକ ଲ୍ୟାଣ୍ଡ ବ୍ୟାଙ୍କ କରିବ। ଚିଲିକା, ଭିତରକନିକା, ଶିମିଳିପାଳ, ହୀରାକୁଦ, ସାତକୋଶିଆ ଏବଂ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ଜମି ରଖିବାକୁ କୁହାଯାଇଛି। ଏଥିପାଇଁ ଆବଶ୍ୟକ ପଡ଼ିଲେ ଘରୋଇ ଜମି ଅଧିଗ୍ରହଣ ହେବ। ଏହି ଲ୍ୟାଣ୍ଡ ବ୍ୟାଙ୍କରୁ ହୋଟେଲ, ରିସୋର୍ଟସ ପାଇଁ ଜମି ଯୋଗାଇ ଦିଆଯିବ। ଏ ନେଇ ଇଡ୍‌କୋକୁ ଡିପିଆର୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିବା ଜଣାଯାଇଛି।

ସମସ୍ତ ପ୍ରମୁଖ ଜଳାଶୟ ଥିବା ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଦିନବେଳା ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ନୌବିହାର ବ୍ୟବସ୍ଥା ହେବ। ଏଠାରେ ସରକାରୀ ଖର୍ଚ୍ଚରେ ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଭାସମାନ ଜେଟି ପକାଇବେ। ଏହାସହ ଏହି ସ୍ଥାନରେ ପାର୍କିଂ, ଶୌଚାଳୟ, ପ୍ରତୀକ୍ଷା ଗୃହ ରଖିବା ସହ ଘରୋଇ ସଂସ୍ଥାକୁ ନୌବିହାର ପାଇଁ ଲାଇସେନ୍ସ ପ୍ରଦାନ କରିବେ। ଯଦି କୌଣସି ଘରୋଇ ସଂସ୍ଥା ବୋଟିଂ ବ୍ୟବସ୍ଥା ଆରମ୍ଭ କରିବାକୁ ରାଜି ନ ହୁଅନ୍ତି ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡଙ୍ଗା କିଣି ସ୍ଥାନୀୟ ଗ୍ରାମବାସୀଙ୍କୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇ ପାରିବ। ହୀରାକୁଦ ଡ୍ୟାମ୍‌ରେ ବି ଦୁଇଟି ସ୍ଥାନରେ ଦୁଇ ପାର୍ଶ୍ବରେ ଭାସମାନ ଜେଟି ପକାଯାଇ ପାରିବ। ଚିଲିକା, ଭିତରକନିକା, ହୀରାକୁଦ ଜଳଭଣ୍ଡାରରେ ହାଉସ୍‌ ବୋଟ୍‌ କିଣି ଚଲାଯାଇ ପାରିବ। ପର୍ଯ୍ୟଟନ ବିଭାଗ ଏହି ହାଉସ୍‌ ବୋଟ୍‌ କିଣି ଅଭିଜ୍ଞତାସଂପନ୍ନ ସଂସ୍ଥାକୁ ଏହାକୁ ଚଲାଇବାକୁ ଦେଇପାରିବ।

ସେହିପରି ଭୁବନେଶ୍ବରକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ଗୋଟିଏ ଦିନରେ ଭୁବନେଶ୍ବରରୁ ଭିତରକନିକା, ଭୁନବେଶ୍ବରରୁ ସାତକୋଶିଆ ଗଣ୍ଡ, ଭୁବନେଶ୍ବରରୁ ମଙ୍ଗଳାଯୋଡ଼ି ଯାଇ ବୁଲି ଆସିପାରିବେ ସେନେଇ ଘରୋଇ ଟୁର୍‌ ଅପରେଟରମାନେ ପ୍ୟାକେଜ୍ କରିବା ସହ ଅନଲାଇନ୍‌ରେ ଟିକେଟ ବିକ୍ରି କରିବାକୁ ଯୋଜନା ଅଛି। ଏହି ପ୍ୟାକେଜ୍‌ରେ ଯାଉଥିବା ପର୍ଯ୍ୟଟକଙ୍କୁ ଗାଇଡ୍‌, ଖାଦ୍ୟପାନୀୟ ଯେପରି ସୁବିଧାରେ ମିଳିବ ଏବଂ ସମସ୍ତ ଜାଗାକୁ ଯାଇପାରିବେ ସେଥିପାଇଁ ପର୍ଯ୍ୟଟନ ବିଭାଗ, ଜଙ୍ଗଲ ଓ ପରି‌େବଶ ବିଭାଗ ପଦକ୍ଷେପ ନେବେ।

ଏହାବାଦ୍ ସଂଧ୍ୟାରେ ଭୁବନେଶ୍ବରରେ ରହୁଥିବା ପର୍ଯ୍ୟଟକମାନେ ଯେପରି ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବେ ସେଥିପାଇଁ ନିୟମିତ ଓଡ଼ିଶାର ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ପ୍ରଦର୍ଶିତ ହେବ। ସଂସ୍କୃତି ବିଭାଗ ଏ ନେଇ ପଦକ୍ଷେପ ନେବ। ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଏହି ନୃତ୍ୟ ପରିବେଷଣ ହେବ। ଏଥିପାଇଁ ବିଭିନ୍ନ ହୋଟେଲ ଓ ଅନଲାଇନ୍‌ରେ ଟିକେଟ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି।

ଇଡ୍‌କୋ ଅଧୀନରେ ଥିବା ଏକାମ୍ର ହାଟକୁ ବୟନଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ହୋଇଛି। ଏଠାରେ ପ୍ରତି ସଂଧ୍ୟାରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇପାରିବ। ଏହାସହ ଏଠାରେ ବର୍ଷତମାମ୍‌ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶିତ ହେବ। ସେହିପରି ପୁରୀରେ ଭୁବନେଶ୍ବର ଭଳି ଐତିହ୍ୟ ପଦଯାତ୍ରା ହେବ। ସମସ୍ତ ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ପାଇଁ ରାଜଧାନୀ ସମେତ ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଏଲ୍‌ଇଡି ପରଦା ଲଗାଇବାକୁ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦାୟିତ୍ବ ଦିଆଯାଇଛି।

By amfnews

Related Post