Sat. Mar 7th, 2026

ଚନ୍ଦ୍ରଭାଗା ‘ବ୍ଳୁ ଫ୍ଲାଗ୍‌ ବିଚ୍‌’ ପାଇଁ ପ୍ରକ୍ରିୟା ଆରମ୍ଭ

315 Views

କୋଣାର୍କ : ବିଶ୍ୱ ଐତିହ୍ୟର ମାନ୍ୟତା ଲାଭ କରିଥିବା କୋଣାର୍କ ପୁଣି ଏକ କୀର୍ତିମାନ ପାଇଁ ସ୍ଥାନ ସୁଦୃଢ଼ କରିଛି। ଚନ୍ଦ୍ରଭାଗା ନିକଟରେ ରହିଥିବା ବଙ୍ଗୋପସାଗରର ବେଳାଭୂମିକୁ ବିଶ୍ୱସ୍ତରୀୟ ବ୍ଳୁ ଫ୍ଳାଗ ବିଚ ଭାବେ ଗଢ଼ି ତୋଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମଗ୍ର ଭାରତବର୍ଷରେ ବ୍ଳୁ ଫ୍ଳାଗ ବିଚ ପାଇଁ ୧୩ଟି ବେଳାଭୂମି ଚୟନ କରାଯାଇଥିବା ବେଳେ ସେଥିମଧ୍ୟରୁ ଓଡ଼ିଶାରୁ ଏକମାତ୍ର ବେଳାଭୂମି ଭାବେ ଚନ୍ଦ୍ରଭାଗା ସ୍ଥାନ ପାଇଛି। ଚନ୍ଦ୍ରଭାଗା ବଜାରଠାରୁ କୋଣାର୍କ-ପୁରୀ ବେଳାମାର୍ଗର ମାତ୍ର ୫୦୦ ମିଟର ଦୂରତାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ସ୍ଥାନ ନିରୂପିତ ହୋଇଛ। ସମୁଦ୍ର ପତ୍ତନ, ସମୁଦ୍ର ଜଳର ସ୍ୱଚ୍ଛତା, ଜୀବାଣୁ ପରୀକ୍ଷା, ଜଳ ନମୁନା ଆଦି ପରୀକ୍ଷା ନିରୀକ୍ଷା ମଧ୍ୟ ଆରମ୍ଭ ହୋଇଛି। ନିରୂପିତ ସ୍ଥାନରେ ଥିବା ସମୁଦ୍ରର ଆଠ ଶହ ମିଟର ଲମ୍ବ ପରିମିତ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି ପ୍ରକଳ୍ପ ପାଇଁ ୧୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ସମନ୍ଵିତ ଉପକୂଳ ପରିଚାଳନା ପ୍ରକଳ୍ପ ତତ୍ୱାବଧାନରେ ଏଥି ପାଇଁ ପୁନେର ଭାରତ ବିଶାଳ ଗ୍ରୁପ (ବିଭିଜି) ନାମକ ଏକ ଘରୋଇ କଂପାନିକୁ କାର୍ଯ୍ୟାଦେଶ ଦିଆଯାଇଛି। ଏହି ପ୍ରକଳ୍ପର ସଫଳ ରୂପାୟନ ପାଇଁ ଆଜି ବେଳାମାର୍ଗରେ ଅବସ୍ଥିତ ଇକୋଟୁରିଜିମ ପ୍ରକଳ୍ପ ଲୋଟସ୍‌ ରିସର୍ଟ ପରିସରରେ ଏକ ପ୍ରସ୍ତୁତି ଓ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରକଳ୍ପର ବରିଷ୍ଠ ଅଧିକାରୀ ସଂଜୟ ଜାଲା ପ୍ରକଳ୍ପ ସଂପର୍କିତ ସମସ୍ତ ଦିଗ ସଂପର୍କରେ ଟିକିନିଖି ଭାବେ ପ୍ରୋଜେକ୍ଟର ମାଧ୍ୟମରେ ବୁଝାଇଥିଲେ। ଏହି ଶିବିରରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ, ଏସପି ଡ଼ା. ସାର୍ଥକ ଷଡ଼ଙ୍ଗୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚରଣ ମାଝି, ଡ଼ିଏଫଓ ହର୍ଷବର୍ଦ୍ଧନ ଉଦ୍‌ଗାତା ପ୍ରମୁଖ ଉପସ୍ଥିତ ଥିଲେ।

By amfnews

Related Post