Sat. Mar 7th, 2026

ଘର ଓଡ଼ିଶା, ଆନ୍ଧ୍ର ଭରସା : ଦିଆସିଲି ଆଣିବାକୁ ଆନ୍ଧ୍ର ଚାଲ

171 Views

ନାରାୟଣପାଟଣା, ନଭେମ୍ବର,୫ : ଘର ଓଡ଼ିଶାରେ, ହେଲେ ନିତିଦିନିଆ ଚଳଣି ପାଇଁ ଆନ୍ଧ୍ର ଭରସା। ଏପରିକି ସାମାନ୍ୟ ଦିଆସିଲି ଖଣ୍ଡିକ କିଣିବାକୁ ହେଲେ ପଡ଼ୋଶୀ ଆନ୍ଧ୍ର ଦୌଡ଼ିବାକୁ ପଡ଼ୁଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଲଙ୍ଗଳବେଡା ପଞ୍ଚାୟତର ହୁକୁମପେଟା ଗ୍ରାମରେ ଆଜି ବି ଏମିତି ଦୟନୀୟ ସ୍ଥିତି ଦେଖିବାକୁ ମିଳୁଛି। ଆନ୍ଧ୍ର ତା’ ସୀମାନ୍ତ ଗାଁରେ ବିକାଶର ସବୁ ଉପାଦାନ ଖଂଜି ଦେଇଥିଲାବେଳେ ଓଡ଼ିଶା ସରକାର ସୀମାନ୍ତ ଗାଁ ଗୁଡିକରେ ମୌଳିକ ସୁବିଧା ସୁଯୋଗ ପହଞ୍ଚାଇବାରେ ବିଫଳ ହୋଇଛନ୍ତି।

ମାଓ ପ୍ରବଣ ନାରାୟଣପାଟଣା ବ୍ଲକର ହୁକୁମପେଟା ଗାଁ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ସୀମାକୁ ଲାଗି ରହିଛି। ଓଡ଼ିଶା ସୀମାର ଏହି ଶେଷ ଗାଁଟି ଲଙ୍ଗଲବେଡା ପଂଚାୟତର ଦଳେଇପେଟା ୱାର୍ଡରେ ରହିଛି। କିନ୍ତୁ ଏହି ଗାଁକୁ ଯିବାକୁ ହେଲେ ଲଙ୍ଗଲବେଡା ପଂଚାୟତରୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଯେଉଁ ରାସ୍ତା ଅଛି ସେହି ରାସ୍ତା ଦେଇ ଯିବା କଷ୍ଟକର। ତେଣୁ ଏହି ଗାଁକୁ ଯିବାକୁ ହେଲେ ପଡୋଶୀ ବନ୍ଧୁଗାଁ ବ୍ଲକ୍ ଦେଇ ଆନ୍ଧ୍ରପ୍ରଦେଶ ପାର୍ବତୀପୁର ମଣ୍ଡଳ ଡୋକୋସିଲି ପଂଚାୟତର ଗୋଚେକା ଦେଇ ପାଖାପାଖି ୬୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡ଼େ।

ଆନ୍ଧ୍ର ସରକାରଙ୍କ ତରଫରୁ ଏହି ଗାଁ ସୀମାନ୍ତ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ତିଆରି କରାଯାଇଛି। ଆନ୍ଧ୍ରର ଡୋକସିଲି ପଞ୍ଚାୟତ ପାଖ ହେଉଥିବାରୁ ହୁକୁମପେଟା ଗ୍ରାମବାସୀ ଡୋକସିଲି ପଂଚାୟତ ଉପରେ ନିର୍ଭର କରିଥାନ୍ତି। କେବଳ ସରକାରଙ୍କ ବାର୍ଧକ୍ୟ ଭତ୍ତା, ରାସନ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସୁବିଧା ଅସୁବିଧା ପାଇଁ ଡୋକସିଲି ନଚେତ୍ ଗୋଚେକା ଗ୍ରାମ ଉପରେ ନିର୍ଭର କରିଥାନ୍ତି ହୁକୁମପେଟା ଗ୍ରାମବାସୀ। ଏପରିକି ଦିଆସିଲି, ଲୁଣ, ଚିନି ଓ ତେଲ ଟିକିଏ ପାଇଁ ଆନ୍ଧ୍ର ଯିବାକୁ ପଡ଼ୁଛି। ନାରାୟଣପାଟଣା ବ୍ଲକ ମହକୁମା ଠାରୁ ୨୯କିଲୋମିଟର ଦୂରରେ ଲଙ୍ଗଲବେଡା ରହିଥିଲା ବେଳେ ସେଠାରୁ ହୁକୁମପେଟା ଯିବାରୁ ରାସ୍ତା ନାହିଁ।

ଯାହା ବି ରହିଛି ସେହି ଅବାଡା ଖାବାଡା ପଥୁରିଆ ରାସ୍ତା। ତାହାକୁ ପୁଣି ଡଙ୍ଗର ପାହାଡ ଓ ଘଂଚ ଜଙ୍ଗଲ ଘେରି ରହିଛି। ଏମିତି ପାଦଚଲା ରାସ୍ତା ଦେଇ ୧୮ କିଲୋମିଟର ଯିବା ପରେ ୧୭ଘର ବିଶିଷ୍ଟ ଏହି ହୁକୁମପେଟା ଗାଁ ପଡ଼େ। ଏଠାରେ ପ୍ରାୟ ୫୦ଜଣ ବସବାସ କରୁଛନ୍ତି। ଫଳରେ, ବଣ ପାହାଡ ଡେଇଁ ସରକାରୀ ଯୋଜନା ଗାଁରେ ପହଞ୍ଚି ପାରୁ ନ ଥିଲା ବେଳେ ଲୋକେ ବି ସଚେତନ ନୁହନ୍ତି। ଏଥିନେଇ ସରପଂଚ ପିଡିକା ପାପେୟା କହିଛନ୍ତି ଯେ, ଗ୍ରାମକୁ ରାସ୍ତା ନଥିବାରୁ ଯିବା ଆସିବାରେ ନାନା ସମସ୍ୟା ସୃଷ୍ଟି ହେଉଛି। ଏନେଇ ସେ ବିଡିଓ ଓ ଜିଲ୍ଲାପାଳଙ୍କ ସହ କଥା ହୋଇ ରାସ୍ତା ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବି ବୋଲି କହିଛନ୍ତି।

By amfnews

Related Post