Sat. Mar 7th, 2026

ଗଣତନ୍ତ୍ର ଦିବସ ପୂର୍ବରୁ ମାଓ ମେଳି: ସମାଧାନ ଯୋଜନାକୁ ବିରୋଧ କଲେ

261 Views

ମାଲକାନଗିରି/ଚିତ୍ରକୋଣ୍ଡା : ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ପୁଣି ବିଚ୍ଛିନ୍ନାଞ୍ଚଳରେ ମେଳି କରିଛନ୍ତି ଶତାଧିକ ନକ୍ସଲ। ଏଥିରେ କିଛି ଟପ୍ କ୍ୟାଡର ଏବଂ କ୍ୟାଡର ମାଓବାଦୀ ବି ସାମିଲ ହୋଇଥିବା ସୂଚନା ମିଳିଛି। ଆଜି ଠାରୁ ଭାରତ ବନ୍ଦ ପାଇଁ ମାଓବାଦୀ ଡକରା ଦେଇଥିବା ବେଳେ ସୀମାକୁ ସିଲ୍ କରି ଦେଇଛି ମାଲକାନଗିରି ପୁଲିସ। ଦୁର୍ଗମ ଅଞ୍ଚଳ ସମେତ ସନ୍ଦିଗ୍ଧ ଅଞ୍ଚଳରେ ପୁଲିସ ପକ୍ଷରୁ ଘନଘନ କମ୍ବିଂ ଅପରେସନ ଚାଲିଛି। ଏହାସତ୍ତ୍ବେ ସ୍ବାଭିମାନ ଅଞ୍ଚଳରେ ନକ୍ସଲ ଏକାଠି ହୋଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଗୋଟିଏ ପଟେ ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ନକ୍ସଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏପରିକି କମ୍ରେଡ ମୀନାଙ୍କ ଉଦ୍ଦେଶ୍ୟରେ ସହିଦସ୍ତମ୍ଭ ନିର୍ମାଣ କରି ସହିଦ ଅମର ରହେ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଛି। ସେହିପରି ସରକାର ବିରୋଧୀ ସ୍ଲୋଗାନ ମଧ୍ୟ ଦେଇଥିଲେ। ଏହାବ୍ୟତୀତ ସମାଧାନ ଯୋଜନାକୁ ସିଧାସଳଖ ବିରୋଧ କରିଥିଲେ।
ଭାରତ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମାଲକାନଗିରିରେ ଗାଡି ଚଳାଚଳା ସଂପୂର୍ଣ୍ଣ ବନ୍ଦ ରହିଥିଲା। କେବଳ ହାତଗଣତି ଘରୋଇ ବସ ଚଳାଚଳ କରୁଥିବା ଦେଖିବାକୁ ମିଳିଥିଲା। ହାଇଆଲର୍ଟ ଜାରି କରି ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଶାନ୍ତି ଶୃଙ୍ଖଳାରେ ଗଣତନ୍ତ୍ର ଦିବସ ପାଳନ ପାଇଁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବା ବେଳେ ନକ୍ସଲଙ୍କ ଗତିବିଧି ଉପରେ ଗୁଇନ୍ଦା ବିଭାଗ ତୀକ୍ଷ୍ଣ ନଜର ରଖିଛି। ଆବଶ୍ୟକ ପଡ଼ିଲେ ସନ୍ଦିଗ୍ଧ ଠିକଣାରେ ଚଢ଼ାଉ କରିବାକୁ ବି ଯବାନଙ୍କୁ ପ୍ରସ୍ତୁତ କରାଯାଇଛି। ଏତେ କଡ଼ା ସୁରକ୍ଷା ସତ୍ତ୍ବେ ମାଓବାଦୀ ଆସନ୍ତା କାଲି କଳା ଦିବସ ରୂପେ ପାଳନ କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇ କିଛି ସ୍ଥାନରେ କଳା ପତାକା ଉଡ଼ାଇବା ପାଇଁ ନକ୍ସଲ ନିଷ୍ପତ୍ତି ନେଇଛନ୍ତି।

ଆଜି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ମାଓବାଦୀ ସମାଧାନ ଯୋଜନାକୁ ବିରୋଧ କରି ପ୍ରତ୍ୟେକ ଗ୍ରାମରେ ବୈଠକ କରିବାକୁ ଆହ୍ବାନ ଦେଇଛନ୍ତି। ଜିଲ୍ଲାର ଆଭ୍ୟନ୍ତରୀଣ ଗ୍ରାମ ଗୁଡିକରେ ଏନେଇ ପୋଷ୍ଟର ଏବଂ ବ୍ୟାନର ମାରିଛନ୍ତି। ବିପ୍ଳବ ଆନ୍ଦୋଳନକୁ ସମାପ୍ତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଚଳାଉଥିବା ସମାଧାନ ଯୋଜନାକୁ ବିରୋଧ କରିବା ବୋଲି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ସାମ୍ରାଜ୍ୟବାଦ, ପୁଂଜିପତି, ଦଲାଲ, ଅମଲାତାନ୍ତ୍ରିକ ଓ ସାମନ୍ତବାଦୀକୁ ହରାଇବାକୁ ହେଲେ ଯୁଦ୍ଧ ହିଁ ସମାଧାନ ବୋଲି କୁହାଯାଇଛି। ସମାଧାନ ନାମରେ ଭାରତର ଜନନେତାଙ୍କ ବିରୋଧରେ ଚାଲୁଥିବା ଯୁଦ୍ଧକୁ ବିରୋଧ କରନ୍ତୁ।

ବିଜେପି ସରକାର ହିନ୍ଦୁ ଫାଶୀବାଦୀ ଏଜେଣ୍ଡା ସହ ବିଭିନ୍ନ ଧର୍ମ ଉପରେ ଆକ୍ରମଣ ତଥା ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବାରୁ ଏହାକୁ ବିରୋଧ କରାଯାଉ। ବିପ୍ଳବୀ ଆନ୍ଦୋଳନ ବେଳେ ଲୋକଙ୍କ ଉପରେ ଫମ୍ପା ଗୁଳି ଚଳାଇବା, ଗିରଫ କରିବା, ମିଥ୍ୟା ଆତ୍ମସମର୍ପଣ କରିବା ଭଳି କାମ କେବଳ ବିଜେଡି ଏବଂ ଟିଡିପି ନେତାମାନେ କରୁଛନ୍ତି। ତେଣୁ ତାଂକୁ ଗ୍ରାମରୁ ତଡି ଦିଅ। ସମାଧାନ ନାମରେ ଭାରତର ଜନତାଙ୍କ ଉପରେ ଚାଲୁଥିବା ଆକ୍ରମଣକୁ ବିରୋଧ କର। ଆସନ୍ତା ୩୧ ତାରିଖ ଦିନ ଭାରତ ବନ୍ଦକୁ ସଫଳ କର। ଆସନ୍ତା ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ଗ୍ରାମରେ ସମାଧାନ ବ୍ୟବସ୍ଥାକୁ ବିରୋଧ କରି ବୈଠକ କର। ଅପରେସନ ସମାଧାନକୁ ବିରୋଧ କରିବା ଏବଂ ନୂଆ ବିପ୍ଳବ ତିଆରି କରିବା ବୋଲି ଉଲ୍ଲେଖ କରାଯାଇଛି। ସହରୀ ମାଓବାଦୀ କହି ଲୋକଙ୍କୁ ଜେଲରେ ଭର୍ତ୍ତି କରାଯାଉଥିବା ଏହାକୁ ବନ୍ଦ କରାଯାଉ। ମଣିପୁର, ନାଗାଲାଣ୍ଡ, କାଶ୍ମୀର, ଆସାମରେ ହେଉଥିବା ମୁକ୍ତି ଆନ୍ଦୋଳନ ଉପରେ ହେଉଥିବା ଶାସକ ଦଳର ଅତ୍ୟାଚାରକୁ ବିରୋଧ କରନ୍ତୁ ବୋଲି କୁହାଯାଇଛି। ତେବେ ନକ୍ସଲ ଏହି ସମାଧାନ ବିରୋଧ ଦିବସରେ କେଉଁ ପ୍ରକାର ଅଘଟଣ ଘଟାଉଛନ୍ତି ଦେଖିବାକୁ ବାକି ରହିଲା।

By amfnews

Related Post