କୋରାପୁଟ, ଫେବୃଆରୀ ୧ : କୋରାପୁଟ ଜିଳ୍ଲାରେ ଗତ କାଲି (ରବିବାର) ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଗୋଟିଏ ପିକ୍ଅପ୍ ଭ୍ୟାନ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯିବା ପରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି ।
ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହାତଙ୍କୁ ଡାକ୍ତରଖାନା ନେବା ସମୟରେ ଆଉ ୨ ଜଣଙ୍କ ଜୀବନ ଯାଇଛି । ବର୍ତମାନ ସୁଦ୍ଧା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ଆଉ ୮-୯ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣା ପଡିଛି । ମୃତ୍ୟୁ ସଂଖ୍ୟା ବଢିବାର ମଧ୍ୟ ସମ୍ଭାବନା ରହିଛି ।
ଏହି ଘଟଣା ପରେ କୋଟପାଡ ବିଧାୟିକା ପଦ୍ମିନୀ ଦିଆନ୍ କୋଟପାଡ ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାର ବର୍ଗଙ୍କୁ ଭେଟିଛନ୍ତି ।
ତେବେ ଗତ କାଲି ଏହି ପିକ୍ଅକ୍ ଭ୍ୟାନଟି ଛତିଶଗଡର ଏକ ସୀମାନ୍ତ ଗାଁରୁ କୋଟପାଡର ସିନ୍ଧିଆ ଗ୍ରାମକୁ ଆସୁଥିଲା । ସୂଚନା ଅନୁସାରେ ଏକ ଦଶାୟ କର୍ମରେ ଯୋଗ ଦେବା ପାଇଁ ଏହି ପିକ୍ଅପ୍ ଭ୍ୟାନରେ ପ୍ରାୟ ୨୦-୨୨ ଜଣ ଲୋକ ଆସୁଥିଲେ । ଏବଂ ବାଟରେ ହଠାତ୍ ଏଭଳି ଦୁର୍ଘଟଣାରେ ସେମାନଙ୍କ ଅକାଳ ବିୟୋଗ ହୋଇଛି ।