Fri. Mar 6th, 2026

କାମ ପାଇଁ ରାଜ୍ୟ ଭିତରେ ଯାତାୟାତ କରିପାରିବେ ଅଟକି ଯାଇଥିବା ଶ୍ରମଜୀବୀ

289 Views

ଭୁବନେଶ୍ବର: କରୋନାଭାଇରସ୍‌ ଲକ୍‌ଡାଉନ୍‌ ଯୋଗୁଁ ଓଡ଼ିଶା ରାଜ୍ୟରେ ଅଟକି ରହିଯାଇଥିବା ରାଜ୍ୟ ବାହାର ଓ ରାଜ୍ୟ ମଧ୍ୟର ଶ୍ରମଜୀବୀମାନେ କାମ କରିବା ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତାୟାତ କରିପାରିବେ ବୋଲି ରାଜ୍ୟ ସରକାର ଆଦେଶ ଦେଇଛନ୍ତି। କିନ୍ତୁ, କର୍ମସ୍ଥଳୀରେ ପହଞ୍ଚିବା ନିମନ୍ତେ ସେମାନଙ୍କୁ କେତେକ ମାର୍ଗଦର୍ଶିକା ମାନିବାକୁ ପଡ଼ିବ।

ସମ୍ପ୍ରତି ରାଜ୍ୟର ସମୁଦାୟ ୨୬୧୦ଟି କ୍ୟାମ୍ପ୍‌ରେ ୮୬୦୦୦ ଶ୍ରମଜୀବୀଙ୍କୁ ଆଶ୍ରୟ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୧୬, ୦୦୦ ହେଉଛନ୍ତି ଓଡ଼ିଶାର ବାସିନ୍ଦା।

ଶିଳ୍ପସଂସ୍ଥା, ଏଜେନ୍‌ସି ଓ ଲେବର୍ କଣ୍ଟ୍ରାକ୍ଟର୍‌ମାନେ ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ସହ କ୍ୟାମ୍ପ୍‌ରୁ ନିର୍ଦ୍ଧାରିତ ବସ୍ ଯୋଗେ ଶ୍ରମଜୀବୀମାନଙ୍କୁ ରାଜ୍ୟ ମଧ୍ୟରେ ଥିବା କର୍ମସ୍ଥଳୀମାନଙ୍କୁ ନେଇ ପାରିବେ। ଏଥିପାଇଁ ସେମାନଙ୍କୁ ଶ୍ରମିକ, କାର୍ଯ୍ୟସ୍ଥଳୀ ଓ ବସ୍‌ ବାବଦରେ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ବିବରଣୀ ଦେଇ ପାସ୍ ଆଣିବାକୁ ପଡ଼ିବ।

ଅଟକି ରହିଥିବା ବୁଲା ଶ୍ରମିକମାନଙ୍କ କଥା ସମ୍ପୃକ୍ତ ବିଡିଓ/ଡିଏଲ୍ଓ ଜିଲ୍ଲାପାଳ/ପିଡି ଡିଆର୍‌ଡିଏଙ୍କ ଦୃଷ୍ଟିକୁ ଆଣିବେ। ସେମାନେ ଦଳବଦ୍ଧ ଭାବେ କୌଣସି ସ୍ଥାନକୁ ଯିବା ପାଇଁ ଜିଲ୍ଲାପାଳ/ପିଡି ଡିଆର୍‌ଡିଏ ବ୍ୟବସ୍ଥା କରିବେ। ଏଥିପାଇଁ ଜିଲ୍ଲାପାଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ବସ୍‌ ବ୍ୟବସ୍ଥା କରିବେ। ଏ ବାବଦ ବ୍ୟୟ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରିବେ।

ଲକ୍‌ଡାଉନ୍ ଯୋଗୁଁ ବସ୍ ବନ୍ଦ ଥିବାରୁ ଶ୍ରମିକଙ୍କ ଯାତାୟାତ ନିମନ୍ତେ ବସ୍‌ ଚଳାଯିବ। ରିକ୍ୟୁସନ୍‌ରେ ଆସିଥିବା ବସ୍‌ଗୁଡ଼ିକ ପାଇଁ ମାସିକ ରାସ୍ତା ଟିକସ ଛାଡ଼ କରାଯିବ। କ୍ୟାମ୍ପ୍‌ରେ ଥିବା ଶ୍ରମଜୀବୀମାନେ ୧୪ ଦିନିଆ କ୍ବାରେଣ୍ଟିନ୍ ସମୟ ଅବଧି ଶେଷ କରିସାରିଥିବାରୁ ଅନ୍ୟ କୌଣସି ଠାରେ ସ୍ଥାନୀୟ କର୍ତ୍ତୃପକ୍ଷମାନେ ତାଙ୍କୁ ବାଧ୍ୟ କରି କ୍ବାରେଣ୍ଟିନ୍‌ରେ ରଖିପାରିବେ ନାହିଁ।

By amfnews

Related Post