Fri. Mar 6th, 2026

କରୋନା ଟିକା ପାଇଁ ଚାଲିଯିବ ୫ଲକ୍ଷ ସାର୍କଙ୍କ ଜୀବନ !

275 Views

ନୂଆଦିଲ୍ଲୀ: କରୋନା ଭୂତାଣୁ ଟିକା ପାଇଁ ପ୍ରାୟ ୫ଲକ୍ଷ ସାର୍କଙ୍କୁ ହତ୍ୟା କରାଯାଇପାରେ। ବନ୍ୟଜନ୍ତୁ ବିଶେଷଜ୍ଞ ଏ ନେଇ ସତର୍କ କରାଇଛନ୍ତି। ସାର୍କର ଯକୃତରେ ଏକ ପ୍ରକାରର ତେଲ ରହିଥାଏ, ଯାହାକୁ ଟିକାର ସାମଗ୍ରୀ ଭାବରେ ବ୍ୟବହୃତ ହୁଏ |

କରୋନା ଭୂତାଣୁ ପାଇଁ ପ୍ରସ୍ତୁତ ହେଉଥିବା ଅନେକ ଟିକା ସାମଗ୍ରୀରେ ସାର୍କର ଯକୃତରେ ମିଳୁଥିବା ତେଲ ବିଷୟରେ ଉଲ୍ଲେଖ ରହିଛି | ଏହା ଟିକାର ପ୍ରଭାବକୁ ବଢ଼ାଇବା ପାଇଁ ବ୍ୟବହୃତ ହୁଏ | ଆମେରିକାର କାଲିଫର୍ନିଆର ସାର୍କ ଅଲାଇଜ୍ ଆସୋସିଏସନ୍ କହିଛି ଯେ, ଏହି ଟିକା ପାଇଁ ୫ ଲକ୍ଷ ସାର୍କଙ୍କୁ ହତ୍ୟା କରାଯାଇପାରେ।

ସାର୍କ ଯକୃତରେ ସ୍କ୍ୱାଲେନ ନାମକ ଏକ ପଦାର୍ଥ ମିଳିଥାଏ | ଏହା ଏକ ପ୍ରକାର ପ୍ରାକୃତିକ ତେଲ | ଏହା ଟିକା ପ୍ରସ୍ତୁତିରେ ବ୍ୟବହୃତ ହୁଏ |

ସାର୍କ ଅଲାଇଜ୍ ପକ୍ଷରୁ କୁହାଯାଇଛି ଯେ, ଯଦି ବିଶ୍ବର ଲୋକଙ୍କୁ କରୋନା ଟିକା ର ଗୋଟିଏ ମାତ୍ର ଡୋଜ ଆବଶ୍ୟକ ହୁଏ, ତେବେ ୨.୫ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡିପାରେ, କିନ୍ତୁ ଯଦି ଦୁଇଟି ଡୋଜ ଆବଶ୍ୟକ ହୁଏ ତେବେ ୫ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡିବ। ବର୍ତ୍ତମାନ ମାନବ ପରୀକ୍ଷଣ ସମୟରେ ସ୍ବେଚ୍ଛାସେବୀଙ୍କୁ ଅଧିକାଂଶ କରୋନା ଟିକାର ଦୁଇଟି ଡୋଜ ଦିଆଯାଉଛି |

ସାର୍କ ଅଲାଇଜ୍ ଦଳର ପ୍ରତିଷ୍ଠାତା ଷ୍ଟିଫନି ବ୍ରେଣ୍ଡିଲ୍ କହିଛନ୍ତି ଯେ, କୌଣସି ଜିନିଷ ପାଇଁ ବଣୁଆ ଜନ୍ତୁକୁ ହତ୍ୟା କରିବା ସ୍ଥାୟୀ ହେବ ନାହିଁ, ବିଶେଷତଃ ଯେତେବେଳେ ଜୀବଜନ୍ତୁଙ୍କର ବୃହତ ପ୍ରଜନନ ନଥାଏ। ତେବେ ସେ କହିଛନ୍ତି ଯେ, ସେ ଟିକା ପ୍ରସ୍ତୁତି ପ୍ରକ୍ରିୟାକୁ ମନ୍ଥର କରିବାକୁ ନୁହେଁ ବରଂ ଏହାର ଅନ୍ୟ ବାଟ ବାହାର କରିବାକୁ ଉପଦେଶ ଦେଉଛନ୍ତି।

By amfnews

Related Post