ମାଲକାନଗିରି: ବିସ୍ଥାପନ ସହ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ପୁଣି ତେଜିଲା ପୋଲାଭରମ ବିରୋଧୀ ଆନ୍ଦୋଳନ। କୌଣସି ପରିସ୍ଥିତିରେ ବି ଏହି ମେଗା ପ୍ରକଳ୍ପ କରାଇ ଦେବୁ ନାହିଁ ବୋଲି ସ୍ବର ମିଳାଇଛନ୍ତି ୪ଟି ରାଜ୍ୟର ହଜାର ହାଜର ଲୋକ। ଆବଶ୍ୟକ ପଡ଼ିଲେ ବଡ଼ଧରଣର ଆନ୍ଦୋଳନ କରି ସଂପୂର୍ଣ୍ଣ ପ୍ରକଳ୍ପକୁ ଅଚଳ କରି ଦେବାକୁ ବି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଚିନ୍ତୁରରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଓଡ଼ିଶା ସମେତ ଛତିଶଗଡ଼, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ପ୍ରଭାବିତ ହେବାକୁ ଯାଉଥିବା ହଜାର ହଜାର ପରିବାର ସାମିଲ ହୋଇଥିଲେ। ସେହିପରି ବିଭିନ୍ନ ଦଳର ନେତା ମଧ୍ୟ ପ୍ରକଳ୍ପକୁ ବିରୋଧ କରି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଦୀର୍ଘ ଦିନ ଧରି ଚୁପ ରହିବା ପରେ ପୁଣି ଏହି ପ୍ରକଳ୍ପକୁ ନେଇ ବିରୋଧର ସ୍ବର ଉଠିଛି।
ବଡ଼ଧରଣର ଆନ୍ଦୋଳନ ପାଇଁ ସଜବାଜ ବି ଆରମ୍ଭ ହୋଇଛି। ଏଥର ଆର୍ କିମ୍ବା ପାର୍ ପାଇଁ ଲଢ଼େଇ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଦୀର୍ଘ ଦିନର ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ଼ ଦିଆଯିବ ବୋଲି ମଧ୍ୟ ସ୍ଥିର ହୋଇଛି। ତେଣୁ ଏହି ପ୍ରକଳ୍ପର ଭାଗ୍ୟ ତଥା ଭବିଷ୍ୟତକୁ ନେଇ ପୁଣି ପ୍ରଶ୍ନ ଉଠିଛି। ପୂର୍ବରୁ ଏହି ପ୍ରକଳ୍ପକୁ ଓଡ଼ିଶା ସମେତ ଛତିଶଗଡ଼ ଏବଂ ତେଲେଙ୍ଗାନାରେ ବିରୋଧ କରାଯାଇ ଆସୁଛି। ଏହା ସତ୍ତ୍ବେ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପର ମାନ୍ୟତା ପ୍ରଦାନ କରିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପଟେ ଆନ୍ଧ୍ର ସରକାରଙ୍କ ତରଫରୁ ଏହି ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଚାଲିଛି। ତେଣୁ ସମ୍ଭାବ୍ୟ ବନ୍ୟା ଓ ବିସ୍ଥାପିତ ଆଶଂକା ଭିତରେ କାଳ କାଟୁଛନ୍ତି ସାବେରୀ ନଦୀ କୂଳରେ ବସବାସ କରୁଥିବା ଲୋକ।
ତିନି ବର୍ଷ ତଳେ ପୋଲାଭରମ ସଂକ୍ରାନ୍ତ ଗୃହ କମିଟି ବୈଠକରେ ପ୍ରଥମ ଥର ପାଇଁ ଜଳ ସଂପଦ ବିଭାଗ ତରଫରୁ ଯେଉଁ ବିସ୍ତୃତ ରିପୋର୍ଟ ଉପସ୍ଥାପନ କାରଯାଇଥିଲା ସେଥିରେ ୧୫ଟି ରାଜସ୍ବ ଗ୍ରାମ ସମେତ ୧୦ଟି ପଡ଼ା ଗ୍ରାମ ଜଳମଗ୍ନ ହେବ। ପାଖାପାଖି ୬ ହଜାର ୮୧୮ଜଣ ଲୋକ ପ୍ରଭାବିତ ହେବେ। ଏହି ବିସ୍ଥାପିତଙ୍କ ମଧ୍ୟରୁ ୫ ହଜାର ୯୧୭ ଜଣ ଆଦିବାସୀ ବୋଲି କୁହାଯାଇଛି। ମୋଟ ୭ ହଜାର ୬୫୬ ହେକ୍ଟର ଜମି ପାଣିରେ ବୁଡ଼ିଯିବ ବୋଲି ତଥ୍ୟ ଦିଆଯାଇଛି। ପୁଣି ୫ ହଜାର ୫୩୮ ହେକ୍ଟର ସଂରକ୍ଷିତ ଜଂଗଲ ଜମି ମଧ୍ୟ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏ ସମସ୍ତ ଆକଳନରେ ଫରକ ରହୁଥିବାରୁ ଏଯାବତ ପ୍ରକୃତ ତଥ୍ୟ କାହା ପାଖରେ ନାହିଁ। ତେବେ କିଛି ବର୍ଷ ଚୁପ୍ ରହିଥିବା ଏହି ଅଂଚଳବାସୀ ପୁଣି ମୁଣ୍ଡ ଟେକିଛନ୍ତି। ଏଥିରେ ଆନ୍ଧ୍ର ପ୍ରଦେଶର ମଧ୍ୟ କିଛି ଗ୍ରାମ ସାମିଲ ହୋଇଛି। ଚିନ୍ତୁରରେ ଏକ ବିଶାଳ ରାଲି ହେବା ସହ ପୋଲାଭରମ ପ୍ରକଳ୍ପକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେବାକୁ ଆହ୍ବାନ ଦିଆଯାଇଛି। ଏପଟେ ମାଲକାନଗିରି ଜିଲ୍ଲାରେ ମଧ୍ୟ ଲୋକେ ବିରୋଧ ପାଇଁ ସଜବାଜ ହେଉଛନ୍ତି। ମୋଟୁ ଅଂଚଳରେ ଆଗାମୀ ଦିନରେ ପୋଲାଭରମକୁ ବିରୋଧ କରି ଆନ୍ଧ୍ର ଏବଂ କେନ୍ଦ୍ର ସରକାରଙ୍କୁ ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି।