Fri. Mar 6th, 2026

ଇଲେକ୍ଟ୍ରିକାଲ ଇମ୍ପ୍ଲଇଜ୍ ଫେଡେରେସନ ଅଫ୍ ଇଣ୍ଡିଆ (ଇଇଏଫ୍ଆଇ) ପକ୍ଷରୁ ରାଜ୍ୟ ବିଦ୍ୟୁତ୍ କ୍ଷେତ୍ରରେ ଏସ୍ମା ଆଇନ୍କୁ ପ୍ରତ୍ୟାହାର ପାଇଁ ଦାବି

421 Views

ରାଉରକେଲା, ୮/୭: ଚଳିତ ମାସ ୫ ତାରିଖ ଦିନ ଓଡିଶା ରାଜ୍ୟ ସରକାର ସମଗ୍ର ବିଦ୍ୟୁତ୍ ବିଭାଗରେ ଅତ୍ୟାବଶ୍ୟକୀୟ ସେବା ପରିଚାଳନା ଆଇନ୍ (ଇଏସ୍ଏମ୍ଏ) ଲାଗୁ କରିଛନ୍ତି । ଫଳରେ ଗ୍ରୀଡ୍କୋ, ସିଟିଏସ୍ଏଲ୍, ୱେସ୍କୋ, ସାଉଥ୍କୋ, ସେସୁ ତଥା ନେସ୍କୋ କ୍ଷେତ୍ରରେ ଏସ୍ମା ଲାଗୁ ହେବ । ଏହାଦ୍ୱାରା ରାଜ୍ୟରେ ୩୦ ହଜାର ସ୍ଥାୟୀ ଓ ୪୦ ହଜାର ଆଉଟ୍ ସୋର୍ସିଂ ଶ୍ରମିକ ସେମାନଙ୍କ ଦାବି ପୂରଣ ପାଇଁ କୌଣସି ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ ।

ଧର୍ମଘଟ କଲେ ଏହା ବେଆଇନ୍ ହେବ ଏବଂ ଶ୍ରମିକ କର୍ମଚାରୀମାନଙ୍କୁ ଏସ୍ମା ଆଇନ୍ ବଳରେ ଜରିମାନା ଓ ଜେଲ୍ ଦଣ୍ଡ ଭୋଗିବାକୁ ହେବ । ଏଣୁ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଇ ତୁରନ୍ତ ଏହି କଳା ଆଇନ୍କୁ ପ୍ରତ୍ୟାହାର କରନ୍ତୁ ନଚେତ୍ ଏହା ବିରୁଦ୍ଧରେ ରାଜ୍ୟବ୍ୟାପି ବିଦ୍ୟୁତ୍ କ୍ଷେତ୍ରରେ ସ୍ଥାୟୀ କର୍ମଚାରୀ, ଠିକା ଶ୍ରମିକ ଓ ଆଉଟ୍ ସୋର୍ସିଂ ଶ୍ରମିକମାନେ ବ୍ୟାପକ ଆନ୍ଦୋଳନ ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତୁରନ୍ତ ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ମଜୁରୀ ଚୁକ୍ତିନାମା ତୁରନ୍ତ ଲାଗୁ କରିବା, ଠିକା ଆଉଟ୍ ସୋର୍ସିଂ ଶ୍ରମିକଙ୍କ ମଜୁରୀ ବୃଦ୍ଧି, ସ୍ଥାୟୀକରଣ ଆଦି ଦାବିପୂରଣ ନ ହେଲେ ରାଜ୍ୟ ତମାମ୍ ଆନ୍ଦୋଳନ କରାଯିବ ବୋଲି ଏକ ପ୍ରେସ୍ ବିବୃତିରେ ଇଏଫ୍ଏଫ୍ଆଇ ପକ୍ଷରୁ କୁହାଯାଇଛି ।

ଇଏଫ୍ଏଫ୍ଆଇର ଓଡିଶା ରାଜ୍ୟ ଚେୟାରମ୍ୟାନ ବିଷ୍ଣୁ ମହାନ୍ତି ବିଦ୍ୟୁତ୍ ଶ୍ରମିକ କର୍ମଚାରୀଙ୍କ ବରିଷ୍ଠ ନେତା ଅଳିକିଶୋର ପଟ୍ଟନାୟକ, ଇଫି ରାଜ୍ୟ ସଭାପତି ରଜନୀକାନ୍ତ ଆଚାର୍ଯ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ଲଳିତ କୁମାର ପଟ୍ଟନାୟକ, ଇଫି ସର୍ବଭାରତୀୟ ସମ୍ପାଦକ ପ୍ରଣୟ ନାୟକ, ନବକିଶୋର ମହାନ୍ତି, ସନ୍ତୋଷ ସାହୁ, ଅନୀଲ ନାୟକ, ପବିତ୍ର ଖୁଣ୍ଟିଆ, କାଳୁଚରଣ ସାହୁ, ପଞ୍ଚାନନ ଜେନା, ପ୍ରଭାତ କୁମାର ମଲ, ଶୁଭେନ୍ଦୁ ପ୍ରଧାନ, ପ୍ରଫୁଲ୍ଲ ମାହନା, ଶରତ ସାହୁ, ଶ୍ରୀକାନ୍ତ ପରିଜା ପ୍ରଭୃତି ଇଫି ଓଡିଶା, ପଶ୍ଚିମ ଓଡିସା ବିଦ୍ୟୁତ୍ କର୍ମଚାରୀ ମହାସଂଘ, ଓଡିଶା ବିଦ୍ୟୁତ୍ କର୍ମଚାରୀ ସଂଘ, ହୀରାଖଣ୍ଡ ବିଦ୍ୟୁତ୍ କର୍ମଚାରୀ ସଂଘ, କଳାହାଣ୍ଡି ବିଦ୍ୟୁତ୍ କର୍ମଚାରୀ ସଂଘ ଓ ଏସ୍ଇବି କର୍ମଚାରୀ ୟୁନିୟନ ରାଉରକେଲା ମିନିଷ୍ଟ୍ରିଆଲ ଏମ୍ପ୍ଲଇଜ୍ ୟୁନିୟନ ଭୁବନେଶ୍ୱର ପ୍ରଭୃତି ସଙ୍ଗଠନ ପକ୍ଷରୁ ଡାକରା ଦିଆଯାଇଛି ବୋଲି ଶ୍ରୀ ମହାନ୍ତି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।

Related Post