Sat. Mar 7th, 2026

ଆର୍ଥିକ ନୀତିକୁ ନେଇ ପ୍ରଶ୍ନ ଉଠାଇଲେ ସ୍ୱାମୀ, ନୂଆ ନୀତି ନ ଆସିଲେ ସଫଳ ହେବନି ୫ ଟ୍ରିଲିୟନର ସ୍ବପ୍ନ

202 Views

ନୂଆଦିଲ୍ଲୀ: ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ନୂଆ ଆର୍ଥିକ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି | ସ୍ୱାମୀ କହିଛନ୍ତି ଯେ ନୂଆ ଆର୍ଥିକ ନୀତି ବିନା ୫ ଟ୍ରିଲିୟନର ଅର୍ଥନୀତି ସମ୍ଭବ ହେବ ନାହିଁ | ସ୍ୱାମୀ କହିଛନ୍ତି ଯେ କେବଳ ସାହସ ଓ ଜ୍ଞାନ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇହେବନାହିଁ, ଏଥିପାଇଁ ଦୁଇଟି ଯାକର ଆବଶ୍ୟକତା ରହିଛି | ଆଜି ଆମ ପାଖରେ ଦୁଇଟି ଯାକ ନାହିଁ | ଏଠାରେ ସୂଚନା ଥାଉ କି ମାନ୍ଦାବସ୍ଥା ମାଡ଼ରେ ଦୋହଲି ଯାଇଥିବା ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ଆହୁରି ତଳକୁ ଖସିଯାଇଛି।

ଗତ ଆର୍ଥିକ ବର୍ଷର ଶେଷ ତ୍ରୟମାସ (ଜାନୁଆରି-ମାର୍ଚ୍ଚ)ରେ ଦେଶର ମୋଟ ଘରୋଇ ଉତ୍ପାଦ ବା ଜିଡିପି ଅଭିବୃଦ୍ଧି ହାର ୫.୮ ପ୍ରତିଶତ ରହିଥିଲା। କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ପ୍ରକାଶିତ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସ ଅର୍ଥାତ୍‌ ଏପ୍ରିଲ-ଜୁନ୍‌ ପାଇଁ ଜିଡିପି ଅଭିବୃଦ୍ଧି ହାର ୫ ପ୍ରତିଶତକୁ ଖସିଆସିଛି।

ଏହା ଦେଶର ଅର୍ଥନୀତି ନିମ୍ନାଭିମୁଖୀ ହେଉଥିବା ଦର୍ଶାଉଥିବାରୁ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଦେଶରେ ଲୋକଙ୍କ ଚାହିଦା ଏବଂ ଘରୋଇ ନିବେଶ ହ୍ରାସ ସମେତ ଚୀନ୍ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ଦେଶର ଅଭିବୃଦ୍ଧିକୁ ପ୍ରଭାବିତ କରିଛି। ଅର୍ଥନୀତିର ଗତି ଆହୁରି ଧିମା ହେବା ପରେ ସରକାର ତୁରନ୍ତ ଆର୍ଥିକ ପ୍ୟାକେଜ ଘୋଷଣା କରିବା ଦାବି ବିଭିନ୍ନ ମହଲରୁ ବଢ଼ିବାରେ ଲାଗିଛି।

By amfnews

Related Post