Sun. Mar 8th, 2026

ଆମେରିକା ସ୍ଥିତି ଅସମ୍ଭାଳ, ପୁଣି ଗଲା ୧୫ ଶହରୁ ଅଧିକ ଜୀବନ

162 Views

ୱାଶିଂଟନ: ମହାମାରୀ କରୋନା ଯୋଗୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ସ୍ଥିତି ବେହାଲ ହୋଇଛି। ପ୍ରତିଦିନ ଏଠାରେ ୧୫ ଶହରୁ ଅଧିକ ଲୋକଙ୍କ ଜୀବନ ଯିବାରେ ଲାଗିଛି। ସ୍ଥିତି ଏପରି ହୋଇଛି ଯେ ଆମେରିକା ଏବେ କରୋନାର ହଟସ୍ପଟ ପାଲଟି ଯାଇଛି।

ବିଶ୍ୱର ସର୍ବାଧିକ ମୃତକ ଓ ଆକ୍ରାନ୍ତ ଆମେରିକାରେ ହିଁ ଚିହ୍ନଟ ହୋଇଛନ୍ତି। ଆମେରିକାର ନ୍ୟୁୱର୍କ ସିଟି କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ପ୍ରାୟ ୨ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୧୦,୦୫୬ରେ ପହଞ୍ଚି ଯାଇଛି। ନ୍ୟୁଜର୍ସି, ମାସାସୁଚସେଟସ, ମିଚଗାନ ଓ କାଲିଫର୍ଣ୍ଣିଆ ସ୍ଥିତି ମଧ୍ୟ ବିଗିଡ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟାରେ କରୋନା ଯୋଗୁ ଆମେରିକାରେ ୧୫୦୯ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଏଠାରେ ୧୫୨୮ ଜଣଙ୍କ ଜୀବନ ଯାଇଥିଲା। ୨୪ ଘଣ୍ଟାରେ ୧୫୦୯ ଜଣଙ୍କ ଜୀବନ ଯିବା ପରେ ଆମେରିକାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୩,୬୪୦ରେ ପହଞ୍ଚି ଯାଇଛି।

ସେହିପରି କରୋନା ଯୋଗୁ ଆମେରିକାରେ ଏଯାଏ ୫,୮୬,୯୪୧ ଜଣ ଆକ୍ରାନ୍ତ ହୋଇଛନ୍ତି। ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାରୁ ଟ୍ରମ୍ପ ପ୍ରଶାସନର ଚିନ୍ତା ବଢ଼ି ଯାଇଛି। ଦେଶରେ ୩୬,୯୪୮ ଜଣ ସୁସ୍ଥ ହୋଇଛନ୍ତି।

ଅନ୍ୟପକ୍ଷରେ ଇଟାଲୀରେ ଆଜି ମୃତ୍ୟୁସଂଖ୍ୟା ୨୦ ପାର ହୋଇଯାଇଛି। ବର୍ତ୍ତମାନ ଏଠାରେ ୨୦,୪୬୫ ଜଣ ଲୋକ କରୋନା ଯୋଗୁ ପ୍ରାଣ ହରାଇ ସାରିଲେଣି। ଫ୍ରାନ୍ସରେ ୧୪,୯୬୭, ସ୍ପେନରେ ୧୭,୭୫୬, ଜର୍ମାନୀରେ ୩,୧୯୪, ବ୍ରିଟେନରେ ୧୧,୩୨୯ ଜଣ ପ୍ରାଣ ହରାଇଛନ୍ତି।

ସକାଳ ୮ଟା ସୁଦ୍ଧା ସାରା ବିଶ୍ୱରେ କରୋନା ଯୋଗୁ ୧,୧୯,୬୯୨ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୯,୨୪,୬୭୯ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୪,୪୫,୦୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

By amfnews

Related Post