Sun. Mar 8th, 2026

ଆମେରିକା ମନା କରିବା ପରେ ଭାରତର ସହଯୋଗ ମାଗିଲା ଚାଇନା

169 Views

ନୂଆଦିଲ୍ଲୀ  : ଭାରତର ବିନା ସହଯୋଗରେ ଚାଇନାର ବ୍ୟବସାୟ ଓ ଆର୍ଥିକ ସ୍ଥିତି ଆଗକୁ ବଢ଼ି ପାରିବ ନାହିଁ। ଏବେ ଏହା ପୁଣିଥରେ ପ୍ରମାଣିତ ହୋଇଛି। ଚାଇନାର ରାଷ୍ଟ୍ରାୟତ କମ୍ପାନୀ ହୁଓ୍ୱାଇର ୫ଜି ନେଟଓ୍ୱର୍କକୁ ପରୀକ୍ଷା କରିବାକୁ ଆମେରିକା ମନା କରି ଦେବା ସହ ବିଶ୍ୱର ଅନ୍ୟ ପ୍ରମୁଖ ଦେଶ ମାନଙ୍କୁ ମଧ୍ୟ ଏହାକୁ ପରୀକ୍ଷା ପାଇଁ ଅନୁମତି ନଦେବାକୁ ଆହ୍ୱାନ କରିଛି। ଫଳରେ ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଭାରତର ସହଯୋଗ ମାଗିଛି ଚାଇନା।

ନିକଟରେ ଚାଇନା ରାଷ୍ଟ୍ରପତି ଜିଙ୍ଗ୍ ପିଙ୍ଗ୍ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଚାଇନାର ରାଷ୍ଟ୍ରଦୂତ ସନ୍ ବିଦୋଙ୍ଗ୍ ଭାରତକୁ ୫ଜି ନେଟଓ୍ୱର୍କ ପରୀକ୍ଷା ପାଇଁ ଅନୁମତି ମାଗିଛନ୍ତି। ସେ କହିଛନ୍ତି, ଏସିଆର ଏହି ଦୁଇ ଶକ୍ତିଶାଳୀ ଦେଶ ବ୍ୟବସାୟ ଓ ପୁଞ୍ଜି ନିବେଶକୁ ବଢ଼ାଇବା ପାଇଁ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ। ଭାରତ ଓ ଚାଇନାକୁ ନିଜ ମୁକ୍ତ ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ପଡ଼ିବ। ଏହା ବ୍ୟତୀତ ବିଦେଶରେ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ଦୁଇ ଦେଶ ଦୃଢ଼ ପଦକ୍ଷେପ ନେବା ଦରକାର। ଏବେ ବିଦେଶରେ ବ୍ୟବସାୟ ନେଇ ଯେଉଁ ଏକଚାଟିଆ ସ୍ଥିତି ଉପୁଜିଛି, ତା’ ବିରୋଧରେ ଦୃଢ଼ ସ୍ୱର ଉଠିବା ଦରକାର ବୋଲି ସନ୍ ବିଦୋଙ୍ଗ୍ କହିଛନ୍ତି। ତେବେ ଚାଇନାର ଏହି ପ୍ରସ୍ତାବକୁ ନେଇ ଭାରତ ଏଯାଏ କୌଣସି ନିଷ୍ପତ୍ତି ନେଇ ନାହିଁ।

ସୂଚନାଯୋଗ୍ୟ, ବ୍ୟବସାୟକୁ ନେଇ ବିଶ୍ୱରେ ଆମେରିକା-ଚାଇନା ମଧ୍ୟରେ କୂଟନୀତିକ ଯୁଦ୍ଧ ଚାଲିଛି। ତେଣୁ ଚାଇନା ଏବେ ଭାରତର ସହଯୋଗ ଲୋଡ଼ୁଛି। କାରଣ ଚାଇନା ପାଇଁ ଭାରତ ହେଉଛି ସବୁଠୁ ବଡ଼ ବଜାର। ଭାରତରେ ବ୍ୟବସାୟ କଲେ ହିଁ ଚାଇନା ତାର ବ୍ୟବସାୟ ଓ ଆର୍ଥିକ ସ୍ଥିତିକୁ ଆଗକୁ ନେଇପାରିବ।

By amfnews

Related Post