Sun. Mar 8th, 2026

ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିବ: ଅମିତ ଶାହା

225 Views

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରିଣୀରେ ଦୃଢ଼ତାର ସହ ମତ ରଖିଛନ୍ତି ଯେ ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରିବ। ନିଜର ଅଭିଭାଷଣରେ ସେ ୫ଟି ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ବିଜେପି ବିଜୟ ଲାଭ କରିବ ବୋଲି ଦାବି କରିଛନ୍ତି।

ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ପ୍ରସ୍ତୁତି ନେଇ ଆଲୋଚନା ଓ ରଣନୀତି ନିର୍ଦ୍ଧାରଣ ଲାଗି ଅନୁଷ୍ଠିତ ହେଉଥିବା ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ ଶନିବାର ସକାଳେ ଆରମ୍ଭ ହୋଇଛି। ପ୍ରଥମ ଅଧିବେଶନରେ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଦଳର ଜାତୀୟ କାର୍ଯ୍ୟକର୍ତ୍ତାଙ୍କ ସହ ବିଧାନସଭା ନିର୍ବାଚନ ହେଉଥିବା ରାଜ୍ୟର ଅଧ୍ୟକ୍ଷଙ୍କ ସହ ଗୁପ୍ତ ବୈଠକ ହେବ ବୋଲି ଜଣାପଡ଼ିଛି।

ଏଥିସହ ଚଳିତ ଜାତୀୟ କାର୍ଯ୍ୟକାରିଣୀରେ ତୈଳ ଦର ବୃଦ୍ଧି ଏବଂ ୟୁପିଏ ସରକାର ଅମଳର ଆର୍ଥିକ କୁପରିଚାଳନାର ପ୍ରଭାବ ନିର୍ବାଚନରେ ପଡ଼ିବ କି ନାହିଁ, ତାହା ମଧ୍ୟ ଆଲୋଚିତ ହେବ ବୋଲି ଜଣାପଡ଼ିଛି।

ପାଖାପାଖି ୧ବର୍ଷ ପରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବୈଠକର ଉଦ୍‌ଯାପନୀ ସମାରୋହରେ ନିଜର ଅଭିଭାଷଣ ରଖିବେ ବୋଲି ଜଣାପଡ଼ିଛି।

By amfnews

Related Post