Sat. Mar 7th, 2026

ଅଭିଯୁକ୍ତକୁ ଅପହରଣ ଉଦ୍ୟମ; ଜଣେ ଗିରଫ

411 Views

ପୁରୀ : ବେଆଇନ ନିଶା କାରବାର କରିବା ଅଭିଯୋଗରେ ଅବକାରୀ ବିଭାଗ ପକ୍ଷରୁ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ତାଙ୍କୁ କାର୍ଯ୍ୟାଳୟରୁ ଅପହରଣ ଉଦ୍ୟମ ଅଭିଯୋଗରେ କୁମ୍ଭାରପଡ଼ା ଥାନା ପୁଲିସ ଆଜି ଜଣକୁ ଗିରଫ କରିଛି। ପ୍ରକାଶ ଯେ, ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଜାଗୁଳାଇପଦା ବଜାରରେ ରେବତୀ ବେହେରା (୪୮) ତାଙ୍କ ପାନ ଦୋକାନରେ ଗଞ୍ଜେଇ ବିକ୍ରି କରୁଥିଲେ। ଗତ ୧୦ ତାରିଖରେ ଅବକାରୀ ବିଭାଗ ଅଧିକାରୀମାନେ ସେଠାରେ ଚଢ଼ଉ କରି ରେବତୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ଦେଢ଼ କେଜି ଗଞ୍ଜେଇ ଜବତ କରିଥିଲେ।

ପୁରୀ ଅବକାରୀ ବାରାକରେ ରେବତୀଙ୍କୁ ରଖାଯାଇଥିବା ବେଳେ ଗତକାଲି ବ୍ରହ୍ମଗିରି ଅଞ୍ଚଳର ବିଜୟ ପାଣି ତା’ର ସହଯୋଗୀମାନଙ୍କୁ ନେଇ ଏକ କାରରେ ସେଠାରେ ପହଞ୍ଚିଥିଲା। ଅବକାରୀ ବାରାକରୁ ରେବତୀଙ୍କୁ ଅପହରଣ କରିନେବାକୁ ବିଜୟ ଉଦ୍ୟମ କରିବାରୁ ସେଠାରେ ଥିବା ଏଏସ୍ଆଇ ଏନ୍. ଜେଗିନି ରାଓ ବିରୋଧ କରିଥିଲେ। ମାତ୍ର ବିଜୟ ମାରପିଟ୍ କରି ତାଙ୍କ ନାକ ଫଟାଇ ରେବତୀଙ୍କୁ ଅପହରଣ କରିନେବାକୁ ଉଦ୍ୟମ କରିଥିଲା। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଜୟକୁ ଧରିଥିଲେ। ଏ ନେଇ ଅବକାରୀ ଏଏସ୍ଆଇ ଶ୍ରୀ ରାଓଙ୍କ ଅଭିଯୋଗକ୍ରମେ କୁମ୍ଭାରପଡ଼ା ଥାନା ପୁଲିସ ଆଜି ବିଜୟକୁ ଗିରଫ କରି କୋର୍ଟ ଚାଲାଣ କରିଛି।

By amfnews

Related Post