Mon. May 19th, 2025

‌‌ଷ୍ଟେସନ୍‌ ଭିତରେ ଯାତ୍ରୀଙ୍କୁ ଲୁଟୁଥିଲେ : ୩ ଲୁଟେରା ଗିରଫ, ୨୪ଟି ମୋବାଇଲ ଫୋନ ଜବତ

By amfnews Mar 18, 2019 #Featured
252 Views

ଭୁବନେଶ୍ବର : ଷ୍ଟେସନ ଭିତରେ ପଶି ଯାତ୍ରୀଙ୍କୁ ଲୁଟୁଥିଲେ। ଏକୁଟିଆ ଯାତ୍ରୀଙ୍କୁ ଦେଖିଲେ ଲୁଟପାଟ କରିବା ପାଇଁ ପ୍ରାଣାନ୍ତକ ଆକ୍ରମଣ ମଧ୍ୟ କରୁଥିଲେ। ଏଭଳି ଏକ ଲୁଟେରା ଗ୍ୟାଙ୍ଗର ପର୍ଦାଫାସ କରିଛି ଭୁବନେଶ୍ବର ରେଳବାଇ ଥାନା ପୁଲିସ। ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨୪ଟି ମୋବାଇଲ୍ ଫୋନ୍‌ ଜବତ କରିଛି। ଗିରଫ ଲୁଟେରାମାନେ ହେଲେ, ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧନଗର ପ୍ରଧାନ ସାହିର ସୀମାଞ୍ଚଳ ପାଢ଼ୀ, ରବି ବେହେରା ଓରଫ ବାବୁ ଓ ଯାଜପୁରରୋଡ୍‌ ଥାନା ଅଧୀନ ରାଚିପୁରର ଅଶୋକ ଦାସ ଓରଫ ଆକାଶ। ଆଜି ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ରେଳବାଇ ଥାନା ଇନ୍ସପେକ୍ଟର ଭରତ ସାହୁଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧୀନ ସରୁଳ ଗାଁର ମନୋଜ କୁମାର ଦାସ ଭୁବନେଶ୍ବର ଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ର ଯାତ୍ରୀ ବିଶ୍ରାମଗାରରେ ବିଶ୍ରାମ ନେଉଥିଲେ। ତାଙ୍କର ଝାରସୁଗୁଡ଼ା ଯିବାର ଥିଲା। ଏହି ସମୟରେ ୩ଜଣ ଯୁବକ ହାତରେ ମାରଣାସ୍ତ୍ର ଧରି ତାଙ୍କ ନିକଟରେ ପହଞ୍ଚିଥିଲେ। ମନୋଜ ଧରିଥିବା ବ୍ୟାଗକୁ ଜବରଦସ୍ତ ଛଡ଼ାଇ ନେଇଥିଲେ। ସେଥିରେ ତାଙ୍କ ମୋବାଇଲ, ଟଙ୍କା ଓ ଅନ୍ୟାନ୍ୟ ଜିନିଷପତ୍ର ଥିଲା। ଏ ନେଇ ମନୋଜ ରେଳବାଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭିରୁ ପୁଲିସ ଲୁଟେରାମାନଙ୍କ ଫଟୋ ଚିହ୍ନଟ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା ଷ୍ଟେସନ ପଛପଟେ ରହୁଥିବା ବୁଦ୍ଧନଗର ବସ୍ତିର କେତେକ ଯୁବକ ଏହି ଲୁଟପାଟ ଘଟଣାରେ ସଂପୃକ୍ତ ଅଛନ୍ତି। ପୁଲିସ ସେହି ବସ୍ତିରେ ଚଢ଼ଉ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଥାନାରେ ପଚରାଉଚରା ପରେ ସେମାନେ ଦୀର୍ଘ ଦୁଇ ମାସ ହେବ ଷ୍ଟେସନରେ ଏଭଳି ଲୁଟପାଟ କରୁଥିବା ସ୍ବୀକାର କରିବା ସହିତ ବିଭିନ୍ନ ଯାତ୍ରୀଙ୍କଠାରୁ ଲୁଟି ଥିବା ପୁଲିସ ଫୋନ ଜିମା ଦେଇଥିଲେ। ସେମାନଙ୍କ ନିକଟରୁ ବିଭିନ୍ନ କମ୍ପାନିର ପାଖାପାଖି ୨୪ଟି ମୋବାଇଲ ଫୋନ ଜବତ ହୋଇଛି ବୋଲି ଇନ୍ସପେକ୍ଟର ଶ୍ରୀ ସାହୁ ସୂଚନା ଦେଇଛନ୍ତି।

By amfnews

Related Post